ବ୍ରହ୍ମଗିରି : ଚିଲିକାରେ ଭସାପୋଲକୁ ଆଉ ଯାତ୍ରୀଙ୍କ ଭରସା ପାଉନି। ବାରମ୍ବାର ଚିଲିକାରେ ଯାନ୍ତ୍ରିକ ତ୍ରୁଟି ଓ ଦୁର୍ଘଟଣା ଘଟିବା ଫଳରେ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ମଝି ଚିଲିକାରେ ଘଣ୍ଟାଘଣ୍ଟା ଫସି ରହିବା ସହିତ ମାସ ମାସ ଧରି ବନ୍ଦ ରହିବା ଘଟଣା ଏବେ ଭସାପୋଲରେ ଯାତ୍ରୀ ପରିବହନ ନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଅନ୍ୟପଟେ ମାସେ ହେଲା ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ରହିଥିବା ଚିଲିକାରାଣୀ ଭସାପୋଲ ଚାଲିଛି। କିନ୍ତୁ ଭାବକୁଣ୍ଡଳେଶ୍ବର ଭସାପୋଲର ଯାନ୍ତ୍ରିକ ତ୍ରୁଟି ଆଜି ସୁଦ୍ଧା ସଜଡ଼ା ହୋଇନାହିଁ। ଚିଲିକାରାଣୀ ସହିତ ଗୋଟିଏ ଏମ୍ଭି-୪ ଏସ୍କାଭେଟର୍ ଚିଲିକାରେ ଯାତ୍ରୀ ପରିବହନ କରୁଛି। ଭାବକୁଣ୍ଡଳେଶ୍ବର ଭସାପୋଲର ଯାନ୍ତ୍ରିକ ତ୍ରୁଟି କେବେ ସଜଡ଼ା ହେବ ତାହା ସ୍ଥାନୀୟ ଅଧିକାରୀ ସ୍ପଷ୍ଟ କରୁନାହାନ୍ତି। ଆଗକୁ କୃଷ୍ଣପ୍ରସାଦର ପ୍ରସିଦ୍ଧ ପଣାଯାତ୍ରା ଆସୁଥିବାରୁ ହଜାର ହଜାର ଲୋକ ଚିଲିକା ପାରି ହେବେ। ଅନ୍ୟପଟେ ମରାମତି ହୋଇ ଯାତ୍ରୀ ପରିବହନ ଆରମ୍ଭ କରିଥିବା ଚିଲିକାରାଣୀ ପାଇଁ ଚିଲିକାର ଜଳସ୍ତର ବଡ଼ ସମସ୍ୟା ଭାବରେ ଛିଡ଼ାହୋଇଛି। ଚିଲିକାରେ ଜଳସ୍ତର କମିବା ଯୋଗୁ ଚିଲିକାରାଣୀ ଯାତାୟାତ କରିବାରେ ସମସ୍ୟା ଉପୁଜିଛି। ଫଳରେ ଲୋକେ ଏବେ ଘରୋଇ ଡଙ୍ଗା ସହିତ ଘାଟ ଡଙ୍ଗାରେ ପାରି ହେବାକୁ ପସନ୍ଦ କରୁଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶଯୋଗ୍ୟ, ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟ ଓ ଜହ୍ନିକୁଦା ଘାଟରୁ ସାତପଡ଼ା ଘାଟକୁ ଚିଲିକାରେ ଭସାପୋଲ ସୁରକ୍ଷିତ ଭାବରେ ଯାତ୍ରୀ ପରିବହନ କରିଥାଏ। ଚିଲିକା ଉନ୍ନୟନ କତ୍ତୃର୍ପକ୍ଷ(ସିଡିଏ) ପକ୍ଷରୁ ଏହି ଭସାପୋଲ ସେବା ଚାଲିଛି। କୃଷ୍ଣପ୍ରସାଦ ବ୍ଲକ୍କୁ ଯାତାୟାତ ପାଇଁ ଏକମାତ୍ର ମାଧ୍ୟମ ହେଉଛି ଭସାପୋଲ ଓ ଡଙ୍ଗା। ପ୍ରତିଦିନ ପୁରୀରୁ ବ୍ରହ୍ମପୁରକୁ ଦୁଇଟି ବସ୍ ଯାତ୍ରୀ ପରିବହନ କରିବା ସହିତ ଯାତ୍ରୀ ଯାତାୟାତ କରିଥାନ୍ତି। ଏବେ ଭସାପୋଲ ଖରାପ ରହିବାରୁ ଯାତ୍ରୀ ପରିବହନରେ ସମସ୍ୟା ଦେଖାଦେଇଛି। ସମସ୍ତ ଭସାପୋଲକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ସହିତ ଭସାପୋଲର ଚ୍ୟାନେଲ୍ ଖୋଳିବା ପାଇଁ ସାଧାରଣ ଦାବି ହେଉଛି।