ଇପୋ (ମାଲେସିଆ): ଦୁଇଟି ପରାଜୟ ଏବଂ ଗୋଟିଏ ଅମୀମାଂସିତ ପରେ ଭାରତୀୟ ଦଳ ଶେଷରେ ଚଳିତ ସୁଲତାନ ଆଜ୍ଲାନ ସାହ କପ୍ ହକି ପ୍ରତିଯୋଗିତାରେ ପ୍ରଥମ ବିଜୟ ପାଇଛି। ଆର୍ଜେଣ୍ଟିନାଠୁ ୨-୩ ଏବଂ ଅଷ୍ଟ୍ରେଲିଆଠୁ ୨-୪ ଗୋଲ୍ରେ ହାରିଥିବା ଭାରତ ୧-୧ ଗୋଲ୍ରେ ଇଂଲଣ୍ଡ ସହ ମ୍ୟାଚ୍ ଅମୀମାଂସିତ ରଖି ପଏଣ୍ଟ୍ ବାଣ୍ଟିଥିଲା। ତେବେ ବୁଧବାର ଆୟୋଜକ ମାଲେସିଆକୁ ୫-୧ ଗୋଲ୍ରେ ପରାସ୍ତ କରି ପ୍ରଥମ ବିଜୟ ପାଇଛି। ଫଳରେ ଏହି ଷଡ଼ରାଷ୍ଟ୍ରୀୟ ପ୍ରତିଯୋଗିତାରେ ୪ ମ୍ୟାଚ୍ ଶେଷରେ ୪ ପଏଣ୍ଟ ପାଇ ଭାରତ ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଛି। ଏହା ପୂର୍ବରୁ ଭାରତର ଫାଇନାଲ୍ ଖେଳିବା ଆଶା ମଧ୍ୟ ମଉଳି ଯାଇଥିଲା ବେଳେ ବୁଧବାର ବିଜୟ ପୁଣି ଆଶା ଭରିଦେଇଛି। ଯଦି ନିଜ ନିଜର ଅନ୍ତିମ ମୁକାବିଲାରେ ଅଷ୍ଟ୍ରେଲିଆଠୁ ଆର୍ଜେଣ୍ଟିନା ହାରିଯାଏ ଏବଂ ଇଂଲଣ୍ଡ-ମାଲେସିଆ ପଏଣ୍ଟ୍ ଭାଗ କରନ୍ତି ତେବେ ଭାରତର ଫାଇନାଲ୍ ଆଶା ରହିବ। ଅବଶ୍ୟ ଭାରତ ଯଦି ତା’ର ଶେଷ ମ୍ୟାଚ୍ରେ ଆୟର୍ଲାଣ୍ଡ୍କୁ ଅଧିକ ଗୋଲ୍ ବ୍ୟବଧାନରେ ପରାସ୍ତ କରି ତେବେ ଏଭଳି ସମୀକରଣରେ ଭାରତ ଫାଇନାଲ୍ ଖେଳିବା ନିଶ୍ଚିତ ହୋଇଯିବ। ବୁଧବାର ଚତୁର୍ଥ ମ୍ୟାଚ୍ରେ ଭାରତ ୫-୧ ଘରୋଇ ମାଲେସିଆକୁ ହରାଇ ସମ୍ମାନ ରଖିଛି। ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ମ୍ୟାଚ୍ର ଦଶମ ମିନିଟ୍ରେ ପ୍ରଥମ ଗୋଲ୍ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ପ୍ରତିଯୋଗିତାରେ ମଧ୍ୟ ଶିଳାନନ୍ଦଙ୍କର ଏହା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ଥିଲା। ତେବେ ୩୩ ମିିନିଟ୍ରେ ମାଲେସିଆ ପକ୍ଷରୁ ଫଇଜାଲ୍ ସାରି ପେନାଲ୍ଟି ଗୋଲ୍ରେ ଏହାକୁ ଶୁଝି ଦେଇଥିଲେ। ସ୍ଥିତି ୧-୧ ପରେ ଭାରତ ଆଉ ମାଲେସିଆକୁ କୌଣସି ସୁଯୋଗ ଦେଇନଥିଲା। ଏହପରେ ଗୁରଜାଣ୍ଟ୍ ସିଂହ (୪୨, ୫୭ ମିନିଟ୍) ଦୁଇଟି, ସୁମିତ କୁମାର (୪୮ ମିନିଟ୍) ଓ ରମଣଦୀପ ସିଂହ (୫୧ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ି ଭାରତର ବ୍ୟବଧାନ ବଢ଼ାଇଥିଲେ। ଶୁକ୍ରବାର ଭାରତ ତା’ର ପଞ୍ଚମ ତଥା ଶେଷ ମ୍ୟାଚ୍ରେ ଆୟର୍ଲାଣ୍ଡ୍କୁ ଭେଟିବ। ଏହି ପ୍ରତିଯୋଗିତାର ବୁଧବାର ଅନ୍ୟ ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିକରେ ଅଷ୍ଟ୍ରେଲିଆ ୪-୧ ଗୋଲ୍ରେ ଆୟର୍ଲାଣ୍ଡ୍କୁ ପରାସ୍ତ କରିଥିଲା ବେଳେ ଅନ୍ୟଟିକୁ ଆର୍ଜେଣ୍ଟିନା ଓ ଇଂଲଣ୍ଡ (୧-୧) ଅମୀମାଂସିତ ରଖି ପଏଣ୍ଟ୍ ଭାଗ କରିଥିଲେ।