ପ୍ରତି ବ୍ଲକ୍ରେ ଜଳ ପରୀକ୍ଷାଗାର କାର୍ଯ୍ୟକ୍ଷମ ନେଇ ସରକାରଙ୍କ ଯୋଜନା ନାହିଁ
ଭୁବନେଶ୍ବର: ଜଳର ତ୍ବରିତ ମାନ ପରୀକ୍ଷା ଲାଗି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ରାଜ୍ୟସ୍ତରରେ ଗୋଟିଏ, ଜିଲ୍ଲାରେ ୩୦ଟି ଓ ଉପଖଣ୍ଡସ୍ତରରେ ୪୬ଟିକୁ ମିଶାଇ ସମୁଦାୟ ୭୭ଟି ଜଳ ପରୀକ୍ଷାଗାର ସ୍ଥାପନ କରାଯାଇଛି। ପ୍ରତ୍ୟେକ ପରୀକ୍ଷାଗାରରେ ବର୍ଷକୁ ୩ହଜାର ସଂଖ୍ୟକ ଜଳ ନମୁନା ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। ତେବେ ପ୍ରତି ବ୍ଲକ୍ରେ ଜଳ ପରୀକ୍ଷାଗାର କାର୍ଯ୍ୟକ୍ଷମ କରିବାକୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନ ଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।
Sambad is now on WhatsApp
Join and get latest news updates delivered to you via WhatsApp
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଅମାତ କହିଛନ୍ତି ଯେ ଏସବୁ ପରୀକ୍ଷାଗାରରେ ଜଳର ୧୩ ପ୍ରକାର ରାସାୟନିକ ଓ ଜୀବାଣୁ ଜନିତ ପରୀକ୍ଷା କରାଯାଇ ଆବଶ୍ୟକ ପ୍ରତିଷେଧକ ପୂର୍ବ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ପରୀକ୍ଷା କରାଯାଉଥିବା ଜଳର ରିପୋର୍ଟ ଆସିବା ଲାଗି ୪-୭ଦିନ ସମୟ ଲାଗିଥାଏ। ଏହାବାଦ୍ ପ୍ରତ୍ୟେକ ଗ୍ରାମ ପଞ୍ଚାୟତସ୍ତରରେ ଫିଲ୍ଡ ଟେଷ୍ଟ କିଟ୍(ଏଫ୍ଟିକେ) ମାଧ୍ୟମରେ ତାଲିମପ୍ରାପ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ବାରା ଜଳର ଗୁଣାବତ୍ତା ପରୀକ୍ଷା କରାଯାଉଛି। ଏହାସହ ପ୍ରତ୍ୟେକ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ଏକ ଜଳ ପରୀକ୍ଷାଗାର ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଗ୍ରାମାଞ୍ଚଳରେ ପାନୀୟ ଜଳ ବିଶୋଧନ ପାଇଁ ଗତ ୫ବର୍ଷରେ ୪୦୬.୦୨ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ତାହା ଲକ୍ଷ କିମ୍ବା କୋଟିରେ ରହିଛି ତାହା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।