ଶିକ୍ଷକଙ୍କ ଡ୍ରେସକୋଡ ବର୍ଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ଆନ୍ଦୋଳନ
ଖୋର୍ଦ୍ଧା: ଶିକ୍ଷକଙ୍କ ତିନି ଦଫା ଦାବି ପୂରଣ ପାଇଁ କ୍ରମାଗତ ଭାବେ ଦାବି ହେଉଛି। ଏହି ଦାବିପ୍ରତି ରାଜ୍ୟ ସରକାର ଉଦାସୀନ ରହିଥିବାରୁ ଗତ ୧୫ ତାରିଖରେ ଭୁବନେଶ୍ୱରରେ ଆନ୍ଦୋଳନ କରିବାକୁ ଯୋଜନା କରିଥିଲେ। ପୁଲିସ ଆନ୍ଦୋଳନ ପାଇଁ ଅନୁମତି ଦେଇନଥିଲା, ଏହାର ପ୍ରତିବାଦରେ ସେମାନେ ଡ୍ରେସ୍କୋଡ ବର୍ଜନ କରିଛନ୍ତି। କିନ୍ତୁ ନିକଟରେ ଜଟଣୀ ବିଇଓ ଏନେଇ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଯଦି ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପଲ୍ଲା ଠାରେ ଥିବା ଓଷ୍ଟାର ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରିୟାନୁଷ୍ଠାନ କମିଟିର ସଭ୍ୟ ଗୋପାଳ କିଶୋର ସେନ, ଜିଲ୍ଲା ସଭାପତି ଅଗାଧୁ ସେଠୀ, ସମ୍ପାଦକ ଅଜୟ ରାଉତରାୟ, ଜିଲ୍ଲା ଉପସଭାପତି ରବୀନ୍ଦ୍ର ନାଥ ସାହୁ, ଜଟଣୀ ବ୍ଲକ ସଂଘ ସମ୍ପାଦକ ଟୁଲୁ ଦେଈ, ସଭାପତି ଅକ୍ଷୟ ପାଲଟାସିଂହ, ଖୋର୍ଦ୍ଧା ବ୍ଲକ ସଂଘର ପ୍ରକାଶ ଚନ୍ଦ୍ର ମୁଦୁଲି, ସଭାପତି ପ୍ରସନ୍ନ କୁମାର ମହାପାତ୍ର, ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ର, ଓଷ୍ଟା ଖୋର୍ଦ୍ଧା ସମ୍ପାଦକ ସୁଧାକର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀରେ ଓଷ୍ଟାର ସମ୍ପାଦକ ସୁଧାକର ମହାପାତ୍ର କହିଛନ୍ତି ଯେ ଶିକ୍ଷକମାନେ ୨୦୧୦ରୁ ସରକାରଙ୍କ ନିର୍ଦେଶିତ ଡ୍ରେସ୍କୋଡ ଗ୍ରହଣ କରିଥିଲେ। କିନ୍ତୁ ଗୃହବିଭାଗ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ନର୍ସପାଇଁ ଲାଗୁ ହୋଇଥିବା ଡ୍ରେସ୍କୋଡ ବାବଦକୁ ସେମାନଙ୍କୁ ପୋଷାକ ଭତ୍ତା ମଳିୁଥିବା ବେଳେ ଶିକ୍ଷକଙ୍କୁ ଏହା ମିଳୁନାହିଁ। କେବଳ ଏହାନୁହେଁ ସେମାନଙ୍କୁ ପ୍ରତିବାଦ ପାଇଁ ଅନୁମତି ଦିଆଯାଇ ନଥିବାରୁ ଶାନ୍ତିପୂର୍ଣ୍ଣ ଭାବେ ଡ୍ରେସ ବର୍ଜନ କରିଛନ୍ତି। ଯଦି ଏହି ବର୍ଜନ ବିରୋଧରେ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସେମାନେ ଆଗାମୀ ଦିନରେ ଏହାବିରୋଧରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ।