ମୃତ ଆଇନଜୀବୀଙ୍କ ଜମି ବିକ୍ରି ମାମଲା, ୨ ଜଣ ଦୋଷୀ ସାବ୍ୟସ୍ତ

ଦେବଗଡ଼: କାଗଜପତ୍ର ଜାଲିଆତି ସହ ଚଞ୍ଚକତା କରି ଜଣେ ମୃତ ଆଇନଜୀବୀଙ୍କ ଜମିକୁ ବିକ୍ରି କରି ଦିଆଯିବା ମାମଲାର ରାୟ ପ୍ରକାଶ ପାଇଛି। ଦେବଗଡ଼ ଏସ୍‌ଡିଜେଏମ ଲିଙ୍କିପ୍ରିୟା ସାହୁ ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଥିବା ଜଣାପଡ଼ିଛି। ଦୋଷୀ ସାବ୍ୟସ୍ତ ଦେବଗଡ଼ ଥାନା କୈଳାସ ଗ୍ରାମର ତପନ ନାୟକ ଓ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗାନ୍ଧୀପଡ଼ା ଗ୍ରାମର ଅଖିଳ ଚରଣ ଜାମୁଡାଲିଆଙ୍କୁ ଦଫା ୧୨୦ (ଖ)ରେ ୧ ବର୍ଷ କାରାଦଣ୍ଡ ସହ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି।

ନିର୍ଦୋଷ ୩ ଜଣ ହେଲେ ଦେବଗଡ଼ ଥାନା କପାସିରା ଗ୍ରାମର ଉମାକାନ୍ତ ଗଡ଼ନାୟକ, କାଲକାଠ ଗ୍ରାମର ଉମାକାନ୍ତ ପ୍ରଧାନ ଓ ବାରକୋଟ ଥାନା ବାହାଡ଼ାପୋଶି ଗ୍ରାମର ଅଜୟ ବାଘ। ଏହି ମାମଲାର ତଦନ୍ତ ପ୍ରକ୍ରିୟା ଓ ଅଭିଯୋଗ ଫର୍ଦ ଦାଖଲ କରିବାରେ ପୁଲିସ ବିଳମ୍ବ କରିଥିବା ନେଇ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ ବିଳମ୍ବରେ ଚାର୍ଜସିଟ ଦାଖଲ କରିବାର କାରଣ ସମ୍ପର୍କରେ ପୁଲିସ ଦେଇଥିବା କୈଫିୟତକୁ ଅଦାଲତ ନାପସନ୍ଦ କରି। ପୁଲିସର ଖାମଖିଆଲି ତଦନ୍ତ ଯୋଗୁଁ ଅନ୍ୟ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ପ୍ରମାଣିତ ହୋଇପାରି ନଥିବା ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଦାଲତଙ୍କ ରାୟରେ ଉଲ୍ଲେଖ ରହିଛି। ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର ନାୟକ ଏହାର ତଦନ୍ତକାରୀ ଅଧିକାରୀ ଥିଲେ।

ପ୍ରାପ୍ତ ସୂଚନାନୁଯାୟୀ, ଦେବଗଡ଼ ଜିଲ୍ଲା ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଜାଲ ଆଧାର କାର୍ଡ ଓ କାଗଜପତ୍ର ଦାଖଲ କରି ଜଣେ ଦୁର୍ବୃତ୍ତ ନିଜକୁ ହୃଦୟନାଥ ପ୍ରଧାନ ବୋଲି ପରିଚୟ ଦେଇ ଆଇନଜୀବୀ ସ୍ଵର୍ଗତ ହୃଦୟନାଥ ପ୍ରଧାନଙ୍କ ନାମରେ ତିଲେଇବଣି ମୌଜାରେ ଥିବା ୧ ଏକର ୯୦ ଡେସିମିଲ ମୂଲ୍ୟବାନ ଜମିକୁ ଦେବଗଡ ସହରର ଭିକାରୀ ଚରଣ ପ୍ରଧାନ ଓ ତାଙ୍କ ସ୍ତ୍ରୀ ପ୍ରତିଭା କିସାନଙ୍କୁ ୫୯ ଲକ୍ଷ ୮୫ ହଜାର ଟଙ୍କାରେ ବିକ୍ରି କରିଥିଲା। ମାତ୍ର କିଛି ଦିନ ପରେ ଭିକାରୀ ୧୦ ବର୍ଷ ପୂର୍ବରୁ ହୃଦୟନାଥଙ୍କ ମୃତ୍ୟୁ ହୋଇ ସାରିଥିବା ଖବର ପାଇ ସେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ। ଉକ୍ତ ଘଟଣା ଜଣାପଡ଼ିବା ପରେ ତତ୍କାଳୀନ ଦେବଗଡ଼ ଜିଲା ସବ୍‌ରେଜିଷ୍ଟ୍ରାର୍ ଗତ ୨୯.୧୦. ୨୦୨୧ରେ ଦେବଗଡ଼ ଥାନାରେ ଲିଖତ ଅଭିଯୋଗ କରିଥିଲେ। ଫଳରେ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୨.୧୧.୨୦୨୧ରେ ପୁଲିସ ଉକ୍ତ ଘଟଣାରେ ୭ ଜଣଙ୍କୁ ଗିରଫ କରି କ‌ୋର୍ଟଚାଲାଣ କରିଥିଲା। ଏହାସହିତ ସେମାନଙ୍କ ନିକଟରୁ ଜାଲ ଜମି ପଟ୍ଟା, ନକଲି ଷ୍ଟାମ୍ପ୍‌ ପେପର, ନକଲି ଆଧାର କାର୍ଡ, ନକଲି ଭୋଟର କାର୍ଡ, ବ୍ୟାଙ୍କ ପାସ୍‌ବୁକ, କମ୍ପ୍ୟୁଟର, ନକଲି ଜମିପଟ୍ଟା ପ୍ରସ୍ତୁତ କରିବାରେ ବ୍ୟବହୃତ କାଗଜ ଜବତ କରିଥିଲା।

ସମ୍ବନ୍ଧିତ ଖବର