୯ ପ୍ରକଳ୍ପରେ ନିବେଶ ହେବ ୧,୪୧୧ କୋଟି

ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମୋଦନ, ୨୮୪୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ବର : ଶୁକ୍ରବାର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ୧୪୧୧.୫୮ କୋଟି ଟଙ୍କାର ୯ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୮୪୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମାନୁଫାକ୍‌ଚରିଂ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଆନୁଷଙ୍ଗିକ, ସାର ଓ ଆତ‌ିଥେୟତା କ୍ଷେତ୍ର ଲାଗି ଆସିଥିବା ନିବେଶ ପ୍ରସ୍ତାବକୁ ଆଜିର ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି।

ସିଙ୍ଗଲ ୱିଣ୍ଡୋ ବୈଠକରେ ବାୟୋ ଡବ୍ଲୁଏମ୍ଏସ୍‌, ଟିପିଏସ୍‌ ବ୍ରିୱେରିଜ୍ ଆଣ୍ଡ୍‌ ଡିଷ୍ଟିଲେରିଜ୍, ଏମ୍‌ଜିଏମ୍ ବାୟୋଫୁଏଲ୍‌ସ, ଇଫ୍‌କୋ, ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍, ସହ୍ୟାଦ୍ରି ଇଣ୍ଡଷ୍ଟ୍ରିଜ୍‌, ସିସ୍କୋପ୍ ଇନଫ୍ରାଷ୍ଟ୍ରକ୍‌ଚର୍‌, ଓଡ଼ିଶା କଙ୍କ୍ରିକ୍ଟ ଓ ନିଉ ମଡର୍ଣ୍ଣ ଟେକ୍ନୋମେକ୍‌ର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ନୂଆ ପ୍ରକଳ୍ପଗୁଡ଼ିକ ମୟୂରଭଞ୍ଜ, କଟକ, ପୁରୀ, ବାଲେଶ୍ବର, ଗଞ୍ଜାମ, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି, ଅନୁଗୁଳ, ବରଗଡ଼, ଜୟପୁର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ସ୍ଥାପନ କରାଯିବ।

ବାୟୋ ଡବ୍ଲୁଏମ୍ଏସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୩୧୯.୨୫ କୋଟି ଟଙ୍କା ବିନିଯୋଗ କରି ଅନୁଗୁଳ, ବରଗଡ଼, ଜୟପୁର, ଝାରସୁଗୁଡ଼ା ଓ ସମ୍ବଲପୁରରେ ବାୟୋମାସ୍ ପ୍ଲାଣ୍ଟ୍ ସ୍ଥାପନ କରିବ। ଡିପିଏସ୍‌ ବ୍ରିୱେରିଜ୍ ଆଣ୍ଡ୍‌ ଡିଷ୍ଟିଲେରିଜ୍ ୨୩୫ କୋଟି ଟଙ୍କା ବିନିଯୋଗରେ କଳାହାଣ୍ଡିର ଜୁନାଗଡ଼ରେ ଇଥାନଲ୍‌ କାରଖାନା ଓ ୬ ମେଗାୱାଟ୍ ପାୱାର ପ୍ଲାଣ୍ଟ୍ ସ୍ଥାପନ କରିବ। ସେହିପରି, ଏମ୍‌ଜିଏମ୍ ବାୟୋଫୁଏଲ୍‌ସ ପକ୍ଷରୁ ବୌଦ୍ଧରେ ଏକ ଇଥାନଲ୍‌ ପ୍ଲାଣ୍ଟ୍ ଓ ୫ ମେଗାୱା‌ଟ୍‌ର ବିଦ୍ୟୁତ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ଲାଗି ୨୨୫.୨୪ କୋଟି ଟଙ୍କା ବିନିଯୋଗ କରାଯିବ। ଇଫ୍‌କୋ ପକ୍ଷରୁ ପାରାଦୀପରେ ଏକ ନାନୋ ୟୁରିଆ ଉତ୍ପାଦନ କାରଖାନା ପ୍ରତିଷ୍ଠା କରାଯିବ ଓ ସେଥିରେ ୨୨୫ କୋଟି ଟଙ୍କା ବିନିଯୋଗ କରାଯିବ।

ଟାଟା ଏସ୍‌ଇଜେଡ୍ ପକ୍ଷରୁ ଗୋପାଳପୁରରେ ଏକ ସିୱାଟର ଡିଷ୍ଟିଲେସନ୍ ପ୍ଲାଣ୍ଟ୍ ସ୍ଥାପନ କରିବା ଲାଗି ୧୦୭ କୋଟି ଟଙ୍କା ନିବେଶ କରାଯିବ। ସହ୍ୟାଦ୍ରି ଇଣ୍ଡଷ୍ଟ୍ରିଜ୍‌ ବାଲେଶ୍ବରରେ ୧୦୦ କୋଟି ଟଙ୍କା ନିବେଶ କରି ଫାଇବର୍‌ ସିମେଣ୍ଟ୍‌ ସିଟ୍ କାରଖାନା ସ୍ଥାପନ କରିବ। ସିସ୍କୋପ୍ ଇନଫ୍ରାଷ୍ଟ୍ରକ୍‌ଚର୍‌ ଆଣ୍ଡ୍‌ ହସ୍ପିଟାଲିଟି ପକ୍ଷରୁ କୋଣାର୍କରେ ୧୦୦ କୋଟି ଟଙ୍କା ନିବେଶରେ ଏକ ହୋ‌ଟେଲ୍‌-ତଥା-ରିସୋର୍ଟ ସ୍ଥାପନ କରାଯିବ। ଓଡ଼ିଶା କଙ୍କ୍ରିଟ୍ ପକ୍ଷରୁ ବାରଙ୍ଗରେ ଏକ ଡ୍ରେନେଜ୍ ଓ ସ୍ବରେଜ୍ ସିଷ୍ଟମ୍ ଉତ୍ପାଦ ତିଆରି କରିବା ଲାଗି ୧୦୦ କୋଟି ଟଙ୍କା ନିବେଶରେ ଏକ କାରଖାନା ସ୍ଥାପନ କରାଯିବ। ନିଉ ମଡର୍ଣ୍ଣ ଟେକ୍ନୋମେକ୍ ପକ୍ଷରୁ ମୟୂରଭଞ୍ଜର ବାରିପଦାରେ ୫୫ କୋଟି ଟଙ୍କା ନିବେଶ କରାଯିବ।

ସମ୍ବନ୍ଧିତ ଖବର