ରୁଷ୍‌ରୁ ତେଲ ଆମଦାନି ବଢ଼ୁଛି

ନୂଆଦିଲ୍ଲୀ: ମାର୍ଚ୍ଚ ତୁଳନାରେ ଏପ୍ରିଲ ମାସରେ ଭାରତ ରୁଷ୍‌ରୁ ଅଧିକ ଅଶୋଧିତ ତେଲ ଆମଦାନି କରିଛି। ଅନ୍ୟପକ୍ଷରେ ଇରାକ ଓ ସାଉଦି ଆରବରୁ କମ୍‌ ତେଲ ଆଣିଛି। କେପଲର୍‌ ଏବଂ ଏଲ୍‌ଏସ୍‌ଇଜି ପକ୍ଷରୁ ପ୍ରକାଶିତ ପ୍ରାଥମିକ ରିପୋର୍ଟରୁ ଏହା ଜଣାଯାଇଛି। ୟୁକ୍ରେନ ଉପରେ ରୁଷ୍‌ ସାମରିକ ଆକ୍ରମଣ ୨୦୨୨ ଫେବ୍ରୁଆରିରୁ ଆରମ୍ଭ କରିବା ପରଠାରୁ ଭାରତ ଏହି ଦେଶରୁ ଅଧିକ ତେଲ ଆମଦାନି କରୁଛି। ଏପ୍ରିଲ ମାସରେ ଭାରତ ସବୁଠୁ ଅଧିକ ତେଲ ରୁଷ୍‌ରୁ କିଣିଥିବାବେଳେ ଏହା ପଛକୁ ଇରାକ ଓ ସାଉଦି ଆରବ ରହିଛନ୍ତି। ଭାରତ ବିଶ୍ବର ତୃତୀୟ ବୃହତ୍ ତେଲ ବ୍ୟବହାରକାରୀ ଏବଂ ଆମଦାନିକାରୀ ରାଷ୍ଟ୍ର। ମାର୍ଚ୍ଚ ମାସ ତୁଳନାରେ ଏପ୍ରିଲରେ ଭାରତ ୧୩ରୁ ୧୭ ପ୍ରତିଶତ ଅଧିକ ତେଲ ଆମଦାନି କରିଛି। କିନ୍ତୁ ଇରାକରୁ ଭାରତର ତେଲ ଆମଦାନି ଉକ୍ତ ମାସରେ ୨୦ରୁ ୨୩ ପ୍ରତିଶତ କମିଛି। ଏପ୍ରିଲରେ ଭାରତ ରୁଷ୍‌ଠାରୁ ଦିନକୁ ୧.୭୫ ନିୟୁତ ବ୍ୟାରେଲ ତେଲ ଆମଦାନି କରିଥିବାବେଳେ ମେ ମାସରେ ଏହା ୧.୧ ନିୟୁତ ବ୍ୟାରେଲକୁ ହ୍ରାସ ପାଇବ ବୋଲି ଏଲଏସଇଜି ପକ୍ଷରୁ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର