ରାଜ୍ୟରେ ହେବ ଏମ୍ଏସ୍‌ଏମ୍ଇ ଗଣନା

ତିନି ମାସ ଚାଲିବ, ୧୫ କୋଟିର ବଜେଟ୍, ୧୫୦୦ ଶିକ୍ଷକ ନିୟୋଜିତ ହେବେ

ଭୁବନେଶ୍ବର : ରାଜ୍ୟରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ)ଗୁଡ଼ିକର ଗଣନା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଗଣନା ଅକ୍ଟୋବର ମାସଠାରୁ ଆରମ୍ଭ ହୋଇ ତିନି ମାସ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୀକୃତି ପ୍ରଦାନ କରିଛନ୍ତି। ଦୀର୍ଘ ୧୫ ବର୍ଷ ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ସର୍ଭେ କରିବ ବୋଲି ଏମ୍ଏସ୍‌ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ଇତିମଧ୍ୟରେ ମାଷ୍ଟର ଟ୍ରେନରମାନଙ୍କ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଗଣନାକାରୀ ଭାବେ ଗଣଶିକ୍ଷା ବିଭାଗର ୧୫୦୦ ଶିକ୍ଷକଙ୍କୁ ଏହି କାର୍ଯ୍ୟରେ ନିୟୋଜନ କରାଯିବ। ଏହି ଗଣନା ନିମନ୍ତେ ନିର୍ଦିଷ୍ଟ ପ୍ରଶ୍ନାବଳୀ ସହିତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ ପାଇଁ ଫର୍ମାଟ ପ୍ରସ୍ତୁତ କରାଯାଇଛି। ପ୍ରାୟ ୫ ଲକ୍ଷ ୟୁନିଟ୍‌ ଠାରୁ ତଥ୍ୟ ସଂଗ୍ରହ କରାଯିବାକୁ ଧାର୍ଯ୍ୟ କରାଯାଇଛି। ଏହା ଏକାଥରକେ ରାଜ୍ୟର ୩୧୪ଟି ବ୍ଲକ୍ ଏବଂ ୧୨୬ଟି ପୌରାଞ୍ଚଳରେ ସଂଚାଳନ କରାଯିବ। ରାଜ୍ୟର ଆର୍ଥିକ ବିକାଶ ଓ ଯୋଜନା ପ୍ରଣୟନ ନିମେନ୍ତ ଏହି ତଥ୍ୟ ଅଧିକ ଗୁରୁତ୍ୱ ବହନ କରୁଥିବା ହେତୁ ଏହି ପ୍ରକ୍ରିୟାକୁ ନିର୍ଭୁଲ ଏବଂ ସଠିକ୍ ଭାବେ ପରିଚାଳନା କରିବା ଉପରେ ଅଧିକ ଦୃଷ୍ଟି ଦିଆଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୧୫ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛନ୍ତି।

ସଂଗୃହୀତ ହେବାକୁ ଥିବା ତଥ୍ୟରେ ଉଦ୍ୟୋଗର ଅବସ୍ଥିତିଠାରୁ ଆରମ୍ଭ କରି ତାହାର ପ୍ରକାର, ଆକାର, ଠିକଣା, ସତ୍ତ୍ବାଧିକାରୀଙ୍କ ସବିଶେଷ ବିବରଣୀ, ସରକାରଙ୍କଠାରୁ ଆର୍ଥିକ ସହଯୋଗ ଯଦି ପାଇଥାନ୍ତି ତା’ର ସଂପୂର୍ଣ୍ଣ ବିବରଣୀ ତଥା ଉଦ୍ୟୋଗର ସାଂପ୍ରତିକ ଅବସ୍ଥା, ସଫଳତା, ବିଫଳତା, ଉଦ୍ୟୋଗୀ ସମ୍ମୁଖୀନ ହେଉଥିବା ସମସ୍ୟା ଇତ୍ୟାଦି ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ। ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିବା ପାଇଁ ଶିଳ୍ପ ନିର୍ଦେଶାଳୟ, କଟକକୁ ନୋଡାଲ ଏଜେନ୍ସି ଭାବେ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପାଇଁ ଭାରତ ସରକାରଙ୍କ ଜନଗଣନା ନିର୍ଦେଶାଳୟ, ପରିସଂଖ୍ୟାନ ନିର୍ଦେଶାଳୟ ଆଦିର ସହାୟତା ନିଆଯାଇଛି।

ସମ୍ବନ୍ଧିତ ଖବର