ବଢ଼ୁଛି ସୁନା ଚାହିଦା: ୩ ମାସରେ ୧୩୭ ଟନ

ନୂଆଦିଲ୍ଲୀ: ସୁନା ଦର ଐତିହାସିକ ଉଚ୍ଚସ୍ତର ଛୁଇଁବା ସତ୍ତ୍ୱେ ଭାରତରେ ଏହି ମୂଲ୍ୟବାନ ଧାତୁର ଚାହିଦା କମିନାହିଁ। ଚଳିତ ବର୍ଷର ଜାନୁଆରି-ମାର୍ଚ୍ଚ ଅବଧିରେ ଭାରତର ସୁନା ଚାହିଦା ୧୩୭ (୧୩୬.୬) ଟନ୍‌ ରହିଥିବା କହିଛି ‘ୱାର୍ଲଡ ଗୋଲ୍ଡ କାଉନସିଲ୍‌’ (ଡବ୍ଲ୍ୟୁଜିସି)। ପୂର୍ବବର୍ଷର ପ୍ରଥମ ୩ ମାସ ତୁଳନାରେ ଏହା ୮% ଅଧିକ। ସୁଦୃଢ଼ ଅର୍ଥନୈତିକ ବାତାବରଣ ଯୋଗୁ ସୁନା ଆମଦାନି ବଢ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅତ୍ୟଧିକ ସୁନା କ୍ରୟ ମଧ୍ୟ ଚାହିଦା ବୃଦ୍ଧିରେ ସହାୟକ ହୋଇଛି। ମୂଲ୍ୟଦୃଷ୍ଟିରୁ ଦେଖିଲେ ଉକ୍ତ ତ୍ରୟମାସରେ ସୁନା ଚାହିଦା ୨୦ ପ୍ରତିଶତ ବୃଦ୍ଧି ପାଇ ୭୫,୪୭୦ କୋଟି ଟଙ୍କାରେ ପହଞ୍ଚିଛି।

ମୋଟ ସୁନା ଚାହିଦା ମଧ୍ୟରୁ ଭାରତରେ ଅଳଙ୍କାର ଚାହିଦା ୪ ପ୍ରତିଶତ ବୃଦ୍ଧି ପାଇ ୯୫.୫ ଟନ୍‌ରେ ପହଞ୍ଚିଛି। ମୋଟ ନିବେଶ ଚାହିଦା (ବାର୍, ମୁଦ୍ରା ଆକାରରେ) ୧୯ ପ୍ରତିଶତ ବୃଦ୍ଧି ପାଇ ୪୧.୧ ଟନ୍‌ରେ ପହଞ୍ଚିଛି। ଚଳିତ ବର୍ଷ ଭାରତରେ ସୁନା ଚାହିଦା ୭୦୦ରୁ ୮୦୦ ଟନ୍ ମଧ୍ୟରେ ରହିବ ବୋଲି ଡବ୍ଲୁଜିସିର ଭାରତ ଆଞ୍ଚଳିକ ସିଇଓ ସଚିନ ଜୈନ ଆକଳନ କରିଛନ୍ତି। ୨୦୨୩ରେ ଦେଶରେ ସୁନା ଚାହିଦା ୭୪୭.୫ ଟନ୍ ଥିଲା। ୨୦୨୩ ମସିହାରେ ରିଜର୍ଭ ବ୍ୟାଙ୍କ ୧୬ ଟନ୍ ସୁନା କିଣିଥିବା ବେଳେ ୨୦୨୪ର ପ୍ରଥମ ତ୍ରୟମାସରେ ୧୯ ଟନ୍ ସୁନା କିଣିସାରିଛି ବୋଲି ଜୈନ କହିଛନ୍ତି। ସେ କହିଛନ୍ତି ଯେ ଆରବିଆଇ ଏହାର କ୍ରୟ ଜାରି ରଖିବା ନେଇ ସଙ୍କେତ ଦେଇଛି।

ସମ୍ବନ୍ଧିତ ଖବର