ଭାରତୀୟ ମସଲା ବିବାଦ: ହଂକଂ, ସିଙ୍ଗାପୁର ରିପୋର୍ଟରେ କ’ଣ ରହିଛି

ଅଷ୍ଟ୍ରେଲିଆ ବି ଯାଞ୍ଚ କରୁଛି

ନୂଆଦିଲ୍ଲୀ: ହଂକଂର ଖାଦ୍ୟ ନିୟାମକ କର୍ତ୍ତୃପକ୍ଷ ବା ସେଣ୍ଟର ଫର ଫୁଡ୍‌ ସେଫ୍‌ଟି (ସିଏଫ୍‌ଏସ୍‌) ଏହାର ଅଫିସିଆଲ ୱେବସାଇଟରେ ଗତ ୫ ତାରିଖରେ ଭାରତୀୟ ମସଲାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଭାରତର ୩ଟି ମସଲା ଉତ୍ପାଦରେ କ୍ୟାନ୍‌ସର ସୃଷ୍ଟିକାରୀ ରାସାୟନିକ ସାମଗ୍ରୀ ବା ଏଥଲିନ୍ ଅକ୍ସାଇଡ ନାମକ କୀଟନାଶକ ରହିଛି ବୋଲି କହିଛି। କେବଳ ହଂକଂ ନୁହେଁ, ସିଙ୍ଗାପୁରର ଖାଦ୍ୟ ନିୟାମକ ସଂସ୍ଥା ମଧ୍ୟ ସମାନ ଧରଣର ରିପୋର୍ଟ ପ୍ରକାଶ କରିଛି। ଏଥିସହିତ ସେମାନେ ସେମାନଙ୍କ ଦେଶର ନାଗରିକମାନଙ୍କୁ ଉକ୍ତ ମସଲା ବ୍ୟବହାର ନକରିବା ପାଇଁ ସଚେତନ କରାଇଛନ୍ତି। ଯେଉଁ ମସଲା ସଂପର୍କରେ ଉକ୍ତ ରିପୋର୍ଟରେ କୁହାଯାଇଛି ତାହା ଭାରତର ଦୁଇଟି ବଡ଼ କମ୍ପାନି ଦ୍ବାରା ପ୍ରସ୍ତୁତ ହୋଇଛି। ସେଥିରୁ ଗୋଟିଏ ହେଲା ଏମ୍‌ଡିଏଚ୍‌ ଏବଂ ଅନ୍ୟଟି ହେଲା ‌ଏଭରେଷ୍ଟ୍‌। ଏମ୍‌ଡିଏଚ୍‌ର ୩ଟି ଏବଂ ଏଭରେଷ୍ଟ୍‌ର ଗୋଟିଏ ମସଲାକୁ ବ୍ୟବହାର ନକରିବା ପାଇଁ କୁହାଯାଇଛି।

କାରଣ ଏହି ମସଲାରେ ଅନୁମତିଯୋଗ୍ୟ ମାତ୍ରାଠାରୁ ଉକ୍ତ କ୍ଷତିକାରକ ରାସାୟନିକର ମାତ୍ରା ଅଧିକ ରହିଛି। ‘‘ଦ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍‌ ରିସର୍ଚ ଅନ୍‌ କ୍ୟାନ୍‌ସର’’ ଏଥିଲିନ ଅକ୍ସାଇଡକୁ ‘ଗ୍ରୁପ ୧ କ୍ୟାନ୍‌ସରକାରକ’ ବର୍ଗରେ ରଖିଛି। ହଂକଂର ଖାଦ୍ୟ ନିୟାମକ କର୍ତ୍ତୃପକ୍ଷ କହିଛନ୍ତି, ଏମ୍‌ଡିଏଚ୍‌ର ୩ଟି ମସଲା ଯଥା ମାଡ୍ରାସ କରି ପାଉଡର, ସମ୍ବର ମସଲା, କରି ପାଉଡର ସହିତ ଏଭ‌ରେଷ୍ଟର ଫିସ୍‌ କରି ମସଲାରେ ଏଥିଲିନ ଅକ୍ସାଇଡ ନାମକ କୀଟନାଶକ ରହିଛି। ହଂକଂର ସିଏଫ୍‌ଏସ୍‌ ଏହା ନିୟମିତ ଖାଦ୍ୟ ଅନୁଧ୍ୟାନ ଯୋଜନାରେ ତିନିଟି ଦୋକାନରୁ ଉକ୍ତ ମସଲାକୁ ସଂଗ୍ରହ କରିଥିଲା। ଏହାର ପରୀକ୍ଷାରୁ ଜଣାପଡ଼ିଥିଲା ଯେ ନମୁନାରେ ଏଥିଲିନ ଅକ୍ସାଇଡ ନାମକ କୀଟନାଶକ ରହିଛି। ଏହାପରେ ନିୟାମକ କର୍ତ୍ତୃପକ୍ଷ ବିକ୍ରେତାଙ୍କୁ ଉକ୍ତ ମସଲା ବିକ୍ରି ବନ୍ଦ କରିବା ସହିତ ଥାକରୁ କାଢ଼ିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସିଏଫ୍‌ଏସ୍‌ ପ୍ରବକ୍ତାଙ୍କ କହିବାନୁଯାୟୀ, ଯଦି ଖାଦ୍ୟରେ ଥିବା କୀଟନାଶକ ମନୁଷ୍ୟର ସ୍ବାସ୍ଥ୍ୟ ପ୍ରତି ବିପଦଶୂନ୍ୟ ରହିଥିବ, ତ‌େବେ ତାହାକୁ ହିଁ କେବଳ ବିକ୍ରି କରାଯାଇ ପାରିବ। ଏଥିରେ ଖିଲାପ ହେଲେ ସର୍ବାଧିକ ୫୦ ହଜାର ଡଲାରର ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହେଲେ ୬ ମାସ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି। ସିଏଫ୍‌ଏସ୍‌ର କହିବାନୁଯାୟୀ, ଏବେ ତଦନ୍ତ ଚାଲିଛି ଏବଂ ଏ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଅନ୍ୟପକ୍ଷରେ ସିଙ୍ଗାପୁର ଖାଦ୍ୟ ଏଜେନ୍ସି (ଏସ୍‌ଏଫ୍‌ଏ) ମଧ୍ୟ ଏଭରେଷ୍ଟର ମାଛ ତରକାରି ମସଲାକୁ ଅନୁମତିଯୋଗ୍ୟ ସୀମାଠାରୁ ଅଧିକ ଏଥିଲିନ ଅକ୍ସାଇଡ ଥିବା ଯୋଗୁ ତାହାକୁ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଇଛି।

ଏପ୍ରିଲ ୧୮ ତାରିଖରେ ଏସ୍‌ଏଫ୍‌ଏ ଏକ ରିଲିଜ୍‌ ତାହାର ୱେବସାଇଟ୍‌ରେ ପୋଷ୍ଟ୍‌ କରିଥିଲା। ଯେଉଁଥିରେ ଉକ୍ତ ମସଲାର ଆମଦାନିକାରୀ ଏସ୍‌ପି ମୁଥିୟା ଆଣ୍ଡ୍‌ ସନ୍ସ ପ୍ରାଇଭେଟ ଲିମିଟେଡକୁ ଉତ୍ପାଦକୁ ପ୍ରତ୍ୟାହାର କରିନେବା ଲାଗି ନିର୍ଦ୍ଦେଶ ଦେଇଥିଲା। ଏହି ପ୍ରତ୍ୟାହାର ଜାରି ରହିଛି। ଏସ୍‌ଏଫ୍‌ଏ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଏଥିଲିନ ଅକ୍ସାଇଡ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ। କିନ୍ତୁ କୃଷି ସାମଗ୍ରୀକୁ ସାଇତି ରଖିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ତେବେ ସିଙ୍ଗାପୁରର ଖାଦ୍ୟ ନିୟାମକ ବ୍ୟବସ୍ଥାରେ ମସଲାକୁ ଅଣୁଜୀବମୁକ୍ତ କରିବା ପାଇଁ ଏଥିଲିନ ଅକ୍ସାଇଡ ବ୍ୟବହାର କରାଯାଇପାରେ। ଏହା ଉଲ୍ଲେଖ କରାଯାଇଥିଲା ଯେ କମ୍‌ ମାତ୍ରାର ଏଥିଲିନ ଅକ୍ସାଇଡ ଥିବା ଖାଦ୍ୟ ଖାଇଲେ ତୁରନ୍ତ ବିପଦ ନଥାଏ। କିନ୍ତୁ କୀଟନାଶକର କ୍ୟାନ୍‌ସର ସୃଷ୍ଟିକାରୀ ଗୁଣ ଦୀର୍ଘ ଅବଧିରେ କ୍ୟା‌ନ୍‌ସର ସେଲ୍‌ ବୃଦ୍ଧି କରି ସ୍ବାସ୍ଥ୍ୟ ପ୍ରତି ବିପଦ ଆଣିପାରେ। ତେଣୁ ଏହି ଉତ୍ପାଦକୁ ଯେତେ ସମ୍ଭବ କମ୍‌ ବ୍ୟବହାର ପାଇଁ ଏସ୍‌ଏଫ୍‌ଏ ପକ୍ଷରୁ କୁହାଯାଇଛି। ମସଲାରେ କର୍କଟ ସୃଷ୍ଟିକାରୀ ରାସାୟନିକ ସାମଗ୍ରୀ ରହିଥିବା ସଂପର୍କରେ ସୂଚନା ଆସିବା ପରେ ୟୁରୋପୀୟ ସଂଘର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ୫୨୭ଟି ଖାଦ୍ୟ ସାମଗ୍ରୀରେ କ୍ୟାନ୍‌ସରକାରକ ରାସାୟନିକ ସାମଗ୍ରୀ ପାଇଛି। ଅବଶ୍ୟ ଏମ୍‌ଡିଏଚ୍‌ ଏହାର ମସଲାରେ ଏଥିଲିନ ଅକ୍ସାଇଡ ବ୍ୟବହାର କରେ ନାହିଁ ବୋଲି ସ୍ପଷ୍ଟ କରିଛି।

ଅଷ୍ଟ୍ରେଲିଆ ବି ଯାଞ୍ଚ କରୁଛି

ନୂଆଦିଲ୍ଲୀ: ଭାରତୀୟ ମସଲାର ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ହଂକଂ ଓ ସିଙ୍ଗାପୁରରେ ଦୁଇଟି ଭାରତୀୟ କମ୍ପାନିର କେତୋଟି ମସଲାର ବିକ୍ରି ଉପରେ ରୋକ୍‌ ଲଗାଯାଇଛି। ଏହାପରେ ଆମେରିକା ମଧ୍ୟ ଭାରତୀୟ ମସଲାକୁ ନିଜର ସ୍କାନରରେ ରଖିଥିବା କହିଛି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ମଧ୍ୟ ଭାରତୀୟ ମସଲାକୁ ଏବେ ଯାଞ୍ଚ କରୁଛି। ଫୁଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ (ଏଫ୍‌ଏସ୍‌ଏଏନ୍‌ଜେଡ୍‌) ମଙ୍ଗଳବାର ଘୋଷଣା କରିଛି ଯେ ଏମଡିଏଚ ଏବଂ ଏଭରେଷ୍ଟ ମସଲାକୁ ନେଇ ଯେଉଁ ଅଭିଯୋଗ ଉଠିଛି ତାହାର ଅନୁଧ୍ୟାନ କରାଯାଉଛି।

ସମ୍ବନ୍ଧିତ ଖବର