ରାଘବ ଚଢ଼ା ଦୃଷ୍ଟିଶକ୍ତି ହରାଇଥାନ୍ତେ: ସୌରଭ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ସୌରଭ ଭରଦ୍ୱାଜ ମଙ୍ଗଳବାର କହିଛନ୍ତି ଯେ ରାଘବ ଚଢ଼ାଙ୍କ ଆଖିରେ ଜଟିଳତା ଦେଖାଦେଇଥିଲା ଏବଂ ସେ ସମ୍ଭାବ୍ୟ ଦୃଷ୍ଟିହୀନତାର ସମ୍ମୁଖୀନ ହୋଇଥିଲେ। ଚଢ଼ା ଏକ ବଡ଼ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଦୁଇ ମାସ ହେଲା ଲଣ୍ଡନରେ ଅଛନ୍ତି। ନିର୍ବାଚନ ପ୍ରଚାର ଋତୁରେ ଚଢ଼ାଙ୍କ ଅନୁପସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରି ଭରଦ୍ୱାଜ କହିଛନ୍ତି, ସେ ସେଠାକୁ ଚିକିତ୍ସା ପାଇଁ ଯାଇଛନ୍ତି। ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିବେ ଏବଂ ପ୍ରଚାର ଅଭିଯାନରେ ଯୋଗ ଦେବେ। ଯଦି ତୁରନ୍ତ ଅସ୍ତ୍ରୋପଚାର ହୋଇନଥାନ୍ତା ତା’ହେଲେ ରାଘବ ଦୃଷ୍ଟିଶକ୍ତି ହରାଇବା ସ୍ଥିତି ଆସିଥାନ୍ତା ବୋଲି ଭରଦ୍ବାଜ କରିଛନ୍ତି।

ଗତ ମାସରେ ରାଘବ ଚଢ଼ାଙ୍କ ବ୍ରିଟେନ ଗସ୍ତ ବିବାଦଘେରକୁ ଆସିଥିଲା, ଯେତେବେଳେ ସେ ବ୍ରିଟିସ ଲେବର ସାଂସଦ ପ୍ରୀତ କେ ଗିଲଙ୍କୁ ଭେଟିଥିଲେ, ଯିଏ କି ସୋସିଆଲ ମିଡିଆରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦର ସମର୍ଥନ କରିବା ଓ ଭାରତ ବିରୋଧୀ ଭାବନା ପାଇଁ ଜଣାଶୁଣା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଏବଂ ନିର୍ବାଚନ ପ୍ରଚାର ସମୟରେ ବିଦେଶରେ ଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ା ଏବଂ ସ୍ୱାତୀ ମାଲିୱାଲଙ୍କ ସମେତ ଅନେକ ଆପ୍ ନେତାଙ୍କ ଦୀର୍ଘ ଦିନ ଧରି ଅନୁପସ୍ଥିତ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର