ଅଜବ କାରଣକୁ ନେଇ ଇ-ସ୍କୁଟର୍‌ ମାଲିକ ନାଁରେ ଚାଲାଣ କାଟିଲା ଟ୍ରାଫିକ୍‌ ପୁଲିସ୍‌

ତିରୁଅନନ୍ତପୁରମ୍‌: ଏକ ଅଜବ କଥାକୁ ନେଇ କେରଳ ଟ୍ରାଫିକ୍‌ ପୁଲିସ୍‌ କାଟିଥିବା ଚାଲାଣ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରଦୂଷଣ ମୁକ୍ତ ଇଲେକ୍‌ଟ୍ରିକ୍‌ ସ୍କୁଟର୍‌ ଉପରେ ପ୍ରଦୂଷଣ ସାର୍ଟିଫ‌ିକେଟ୍‌ ନଥିବା ଅଭିଯୋଗ ଆଣି ଚାଲଣ କାଟି ଜରିମାନା ଲଗାଇଛି ଟ୍ରାଫିକ୍‌ ପୁଲିସ୍‌। ଯାହାକି ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଟ୍ରାଫିକ୍‌ ପୁଲିସ୍‌ ଦ୍ବାରା ଜାରି କରାଯାଇଥିବା ଏହି ଇ-ଚାଲାଣର ଫଟୋଟିକୁ ବାଇକ୍‌ ଚାଳକ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଚାଲାଣର ଫଟୋରେ ଦେଖିବାକୁ ମିଳିଛି ଯେ ଚାଲାଣ କଟିଛି ସେପ୍ଟେମ୍ବର ୬(ମଙ୍ଗଳବାର ଦିନ)। ବ୍ୟବହାରକାରୀ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ କହିଛନ୍ତି।

ଯେଉଁ ଚାଲାଣର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ସେଥିରେ ୨୫୦ ଟଙ୍କା ଜରିମାନା ପଡ଼ିଥିବା ଦେଖିବାକୁ ମିଳିଛି। ସେଥିରେ ମୋଟର ଯାନ ଅଧିନିୟମ, ୧୯୮୮ ର ଧାରା ୨୧୩(୫)(ଇ) ଉଲ୍ଲେଖ କରାଯାଇଛି।

ଏପରି ଅଜବ ଚାଲାଣ ଘଟିବା କଥା ପ୍ରଥମ ନୁହେଁ। ପୂର୍ବରୁ ବି ଏପରି ଅନେକ ଥର ହୋଇଛି। ଜୁଲାଇ ମାସରେ କେରଳର ଜଣେ ବ୍ୟକ୍ତିଙ୍କ ଉପରେ ପର୍ଯ୍ୟାପ୍ତ ପେଟ୍ରୋଲ୍‌ ବିନା ନିଜ ମୋଟରସାଇକେଲ୍‌ ଚଲାଉଥିବାର କାରଣରୁ ବି ଜରିମାନା ଲାଗିଥିଲା।

ସେହିପରି ଆଉ ଏକ ଅଜବ ଚାଲାଣ କଟିଥିଲା ଉତ୍ତରପ୍ରଦେଶର ଜଣେ କାର୍‌ ଚାଳକଙ୍କ ନାମରେ। କାର୍‌ ଚାଳକଙ୍କ ନାମରେ ହେଲ୍‌ମେଟ୍‌ ପିନ୍ଧିନଥିବାରୁ ଜରିମାନା ପକାଇ ଚାଲାଣ କାଟିଥିବା ଟ୍ରାଫିକ୍‌ ପୁଲିସ୍‌।

ସମ୍ବନ୍ଧିତ ଖବର