ପେଟ୍ରୋଲ, ଡିଜେଲ ଦରକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ । ଏକ ଘରୋଇ ଟିଭି ଚ୍ୟାନେଲ (ଏବିପି ନ୍ୟୁଜ)କୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହୋଇପାରେ ।

ସେ କହିଛନ୍ତି ଯେ, ୨୦୨୨ ଏପ୍ରିଲ ପରଠାରୁ ପେଟ୍ରୋଲ ଦର ବୃଦ୍ଧି ହୋଇନାହିଁ । ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାଉଛି  । କାରଣ ସେ ୨୦୨୧ ନଭେମ୍ବର ଏବଂ ମେ ୨୦୨୨ରେ ଦୁଇ ଥର ନିଷ୍ପତ୍ତି ନେଇଥିଲେ ଯେ କେନ୍ଦ୍ରୀୟ ଉତ୍ପାଦ ଶୁଳକ ହ୍ରାସ କରାଯିବ। ଫଳରେ ପେଟ୍ରୋଲ ଓ ଡିଜେଲ ଦର କମିଥିଲା ।

ହରଦୀପ ସିଂହ ପୁରୀ କହିଛନ୍ତି ଯେ ଯଦି ସମଗ୍ର ବିଶ୍ୱରେ ବର୍ତ୍ତମାନର ସ୍ଥିତି ଜାରି ରହେ, ତେବେ ତୈଳ ଦର ଆହୁରି ହ୍ରାସ ପାଇବ। ପ୍ରଧାନମନ୍ତ୍ରୀ ମୋଦି ନିଶ୍ଚିତ ଭାବେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ । ସେ କହିଛନ୍ତି ଯେ ପୂର୍ବରୁ ତୈଳ ମାର୍କେଟିଂ କମ୍ପାନୀଗୁଡିକ କ୍ଷତିରେ ଯାଉଥିଲେ, କିନ୍ତୁ ବର୍ତ୍ତମାନ ତାହା ନୁହେଁ । ଯଦି ଆପଣ ତୈଳ ଉତ୍ପାଦନକାରୀ ଦେଶବ୍ୟତୀତ ସମଗ୍ର ବିଶ୍ୱରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ନଜର ପକାନ୍ତୁ, ତେବେ ଭାରତରେ ସବୁଠାରୁ କମ୍ ମୂଲ୍ୟ ରହିଛି ।

ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ବଜାରରେ ତେଲ ଦର କମିବା ସତ୍ତ୍ବେ ଗତ ବର୍ଷଠାରୁ ଦେଶରେ ପେଟ୍ରୋଲ,ଡିଜେଲ ଦର କମିନାହିଁ । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର