ରିଜର୍ଭ ବ୍ୟାଙ୍କ ନଜରରେ ୪୦ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌

ପିଏନ୍‌ବି କାରସାଦିରେ ସହାୟତା କରୁଥିଲେ!

ନୂଆଦିଲ୍ଲୀ କମ୍ପାନିର ମାଲିକମାନଙ୍କ ସହ ମିଳିମିଶି ବ୍ୟାଙ୍କ ଋଣକୁ ପରିଶୋଧ ନକରିବା ଏବଂ ଚାପଗ୍ରସ୍ତ ସମ୍ପତ୍ତିକୁ ପୁନର୍ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ନଜରରେ ଏବେ ୩୫ରୁ ୪୦ ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ରହିଛନ୍ତି। ଚାପଗ୍ରସ୍ତ ସମ୍ପତ୍ତି ଥିବା ଅଧିକରୁ ଅଧିକ କମ୍ପାନି ଏବେ ଦେବାଳିଆ ଆଇନ ପରିସରକୁ ଆସୁଥିବାବେଳେ କମ୍ପାନି ଗୁଡ଼ିକ ଋଣ ପରିଶୋଧ ନକରିବା ଏବଂ ଚାପଗ୍ରସ୍ତ ସମ୍ପତ୍ତିର ପୁନର୍ଗଠନ କ୍ଷେତ୍ରରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ମାନଙ୍କ ଭୂମିକା କ’ଣ ରହିଛି ତାହାର ଖୋଳତାଡ଼ ସିିବିଆଇ କରୁଛି। ଋଣ ଖିଲାପ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ପ୍ରାୟ ୩୫ରୁ ୪୦ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ଉପରେ ନଜର ରଖିଛି ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। କମ୍ପାନି ଗୁଡ଼ିକୁ ବେଆଇନ କାର୍ଯ୍ୟ କରିବାରେ ଏହି ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ କୌଣସି ପ୍ରକାର ସହାୟତା କରିଥିଲେ କି ନାହିଁ ତାହା ରିଜର୍ଭ ବ୍ୟାଙ୍କ ଜାଣିବାକୁ ଚାହୁଛି। ତେବେ ଏହି ପ୍ରସଙ୍ଗରେ ଚାର୍ଟାର୍ଡ ଆକାଉଣ୍ଟାମାନଙ୍କ ସର୍ବୋଚ୍ଚ ନୀତି ନିିର୍ଧାରଣକାରୀ ସଂସ୍ଥା ଆଇସିଏଆଇକୁ ଏ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମିଳିନାହିଁ। ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍‌ସି ପିଏନ୍‌ବିରୁ ୧୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଠକି ନେବା ଘଟଣା ପଦାକୁ ଆସିବା ପରେ ବ୍ୟାଙ୍କ ଗୁଡ଼ିକର ଏନ୍‌ପିଏ ପ୍ରସଙ୍ଗ ପୁଣି ଚର୍ଚାକୁ ଆସିଛି। ପିଏନ୍‌ବି ଠକେଇ ଘଟଣାର ଅନୁଧ୍ୟାନ ମଧ୍ୟ ଆଇସିଏଆଇର ଏକ ଉଚ୍ଚସ୍ତରୀୟ କମିଟି କରୁଛି।

ସମ୍ବନ୍ଧିତ ଖବର