ଶସ୍ତା ହେବ ନାହିଁ ବ୍ୟାଙ୍କ କିସ୍ତି, ସୁଧହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଗତ ତିନିଦିନ ଧରି ଚାଲିଥିବା ରିଜର୍ଭ ବ୍ୟାଙ୍କ ମନିଟାରୀ କମିଟିର ବୈଠକ ଶେଷରେ ଏହି ଘୋଷଣା କରାଯାଇଛି । ଗତ ଅକ୍ଟୋବର ମାସରେ ଘୋଷିତ ଋଣନୀତି ସମୀକ୍ଷାରେ ମଧ୍ୟ ସୁଧହାର ଅପରିବର୍ତ୍ତିତ ରଖାଯାଇଥିଲା ।

ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କଠାରୁ ସ୍ପଳ୍ପ ମିଆଦୀ ଋଣ ଆଣନ୍ତି ତାହାକୁ ରେପୋ ହାର ବୋଲି କୁହାଯାଏ । ରେପୋହାର ଅପରିବର୍ତ୍ତିତ ଥିବାରୁ ବ୍ୟାଙ୍କ ଋଣ କିସ୍ତି (ଇଏମଆଇ) ଶସ୍ତା ହେବାର ଆଶା ମଉଳି ଯାଇଛି । ସେହିପରି ରିଭର୍ସ ରେପୋହାର ଅର୍ଥାତ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କଠାରୁ ଋଣ ନିଏ ତାହା ୬.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

ଅନ୍ୟପକ୍ଷରେ ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶ ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ ଓ ୨୦୧୯-୨୦ ର ପ୍ରଥମ ଭାଗରେ ଏହା ୭.୫ ପ୍ରତିଶତକୁ ବୃଦ୍ଧି ପାଇବ । ଚଳିତ ଆର୍ଥିକ ବର୍ଷର ୨ୟ ଭାଗରେ ମୁଦ୍ରାସ୍ପୀତି ହାର ୨.୭ରୁ ୩.୨ ପ୍ରତିଶତ ମଧ୍ୟରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ କହିଛନ୍ତି ।

ସମ୍ବନ୍ଧିତ ଖବର