ଖଣ୍ଡଗିରି : କାର୍‌ରୁ ବ୍ରାଉନ୍‌ସୁଗାର ଜବତ; ୩ ଗିରଫ

ଖଣ୍ଡଗିରି : ବୁଧବାର ସକାଳେ କମିସନରେଟ୍ ପୁଲିସର କୁଇକ୍ ଆକସନ୍ ଟିମ୍‌ ଓ ଖଣ୍ଡଗିରି ଥାନା ପୁଲିସ ମିଳିତ ଭାବେ ସ୍ଥାନୀୟ ଭରତପୁର ଆୟୁର୍ବେଦିକ ହସ୍ପିଟାଲ ସମ୍ମୁଖ ମାଛ ମାର୍କେଟ୍‌ରେ ଚଢ଼ଉ କରି ୩ ଜଣ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସାଲିଆସାହି ନାରାୟଣ ବସ୍ତିରେ ରହୁଥିବା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ମାଳିବେଲାଣିର ଦୟାନିଧି ବରାଡ଼ ଓରଫ୍ ଦୟା(୩୭), ଶିରିପୁର ଓୟୁଏଟି କଲୋନି ଅଞ୍ଚଳରେ ରହୁଥିବା ଖୋର୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରିର ପ୍ରଭାତ ଚୌହାନ ଓରଫ୍ ଦୀପୁ(୩୫) ଓ ମୟୂରଭଞ୍ଜ ଲାଲବଜାର ଥାନା ସୁଙ୍ଗୋଡ଼ିଆର ସୂର୍ଯ୍ୟ କୁମାର ଘଡ଼େଇ(୨୩)। ପୁଲିସ ସେମାନଙ୍କଠାରୁ ସାଢ଼େ ୫୫ ଗ୍ରାମ୍ ବ୍ରାଉନ୍‌ସୁଗାର (ଆନୁମାନିକ ବଜାର ମୂଲ୍ୟ ସାଢ଼େ ୫ ଲକ୍ଷ ଟଙ୍କା), ଗୋଟିଏ କାର୍(ଓଡି୦୨ଏଏ-୩୫୭୧) ଓ ୩ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସ୍ଥାନୀୟ କଲେଜ ପିଲାମାନଙ୍କୁ ଟାର୍ଗେଟ୍‌ କରି ଏମାନେ ଏହି ନିଶା କାରବାର ଚଳାଇ ଆସୁଥିଲେ। ବାଲେଶ୍ବରର ଜଳେଶ୍ବରରୁ ରାଜଧାନୀକୁ ଆସୁଥିବା ଏହି ନିଶାଦ୍ରବ୍ୟ ବେପାର ବାବଦରେ ଅଭିଯୁକ୍ତମାନେ ପୁଲିସକୁ ବହୁ ତଥ୍ୟ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର