ଅନ୍ୟତ୍ର ବାହାଘର ସ୍ଥିର ହେବାରୁ ଶାଳୀକୁ ହତ୍ୟା କଲା ଏକତରଫା ଭିଣୋଇ ପ୍ରେମିକ

ସାହାରନପୁର: ଉତ୍ତରପ୍ରଦେଶର ସାହାରନପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏକତରଫା ପ୍ରେମରେ ପାଗଳ ହୋଇଥିବା ଜଣେ ଭିଣୋଇ ନିଜ ଶାଳୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଯାଇଛି ବୋଲି ଜ‌ାଣିବା ପରେ ତାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଭିଣୋଇ ନିଜ ପତ୍ନୀଙ୍କ ଭଉଣୀଙ୍କୁ ହତ୍ୟା କରିବା ପାଇଁ ପେସାଦାର ଅପରାଧିଙ୍କୁ ଡକାଇ ୩ ଲକ୍ଷ ଟଙ୍କା ସୁପାରୀ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ଭି‌ଣୋଇ ସେହି ଅପରାଧିଙ୍କ ସହ ମିଶି ନିଜ ଶାଳୀଙ୍କ ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ଯେତେବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କଲା ସେତେବେଳେ ସେ ଦାବି କରିଥିଲା ଯେ ତା’ର ନିଜ ଶାଳୀ ସହ ପ୍ରେମ ସଂପର୍କ ଅଛି ବୋଲି। ‌ଅଭିଯୁକ୍ତ ନିଜ ଶାଳୀକୁ ଭଲପାଉଥିଲା, ହେଲେ ତା’ର ଆଚରଣ ସେତେବେଳେ ବଦଳି ଯାଇଥିଲା, ଯେତେବେଳେ ସେ ଜାଣିବାକୁ ପାଇଲା ତା’ ଶଶୁରଘର ଲୋକ ଶାଳୀର ବିବାହ ଅନ୍ୟତ୍ର ସ୍ଥିର କରିଛନ୍ତି। ଏଥିରେ ସେ ହିଂସ୍ର ହୋଇଉଠିଥିଲା।

ପୁଲିସର ସୂଚନାନୁସାରେ, ଏହା ହେଉଛି ଉତ୍ତରପ୍ରଦେଶର ସାହାରନପୁରର ଚିଲକାନା ପୁଲିସ ଷ୍ଟେସନର ଚଲାକପୁର ଗାଁର ଘଟଣା । ଗତ ୨୫ ଅକ୍ଟୋବରରେ ୨୦ ବର୍ଷର ଯୁବତୀଙ୍କୁ ହତ୍ୟା କରାଯାଇଥିଲା। ଯୁବତୀଙ୍କୁ ପ୍ରଥମେ ଛୁରୀରେ ଆକ୍ରମଣ କରାଯାଇଥିଲା, ଏପରିକି ତାଙ୍କ ବେକରେ ଛୁରୀ ଚାଲିବାର ଚିହ୍ନ ବି ରହିଛି। ଏହାପରେ ହତ୍ୟାକାରୀମାନ ତାଙ୍କୁ ଗୁଳି ମଧ୍ୟ ଚଳାଇଥିଲେ। ପ୍ରାରମ୍ଭିକ ଅନୁସନ୍ଧାନରେ ପୁଲିସ କିଛି ଗୁରୁତ୍ୱପୂର୍ଣ୍ଣ ସୂତ୍ର ପାଇଥିଲା ଏବଂ ପରେ ସିସିଟିଭି ମାଧ୍ୟମରେ ଅଭିଯୁକ୍ତ ଭିଣୋଇ ପାଖରେ ପହଞ୍ଚି ପାରିଛି। ପୁଲିସ୍‌ ପଚରାଉଚରା ବେଳେ ଅଭିଯୁକ୍ତ ହତ୍ୟାକାଣ୍ଡର ପୂରା କାହାଣୀ କହିଥିଲା।

ସମ୍ବନ୍ଧିତ ଖବର