ବିଶ୍ବକପ୍‌: ବର୍ଷା ଅଟକାଇଲା ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍‌, ଜାଣନ୍ତୁ କ’ଣ ହୋଇପାରେ ଫଳାଫଳ

ବେଙ୍ଗାଲୁରୁ: ବିଶ୍ବକପ୍‌-୨୦୨୩ରେ ଶନିବାର ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମୁକାବିଲା ହୋଇଛି। ଏହି ଗୁରୁତ୍ବପୂର୍ଣ୍ଣ ‌ମ୍ୟାଚରେ ପାକିସ୍ତାନର ଅଧିନାୟକ ବାବର ଆଜମ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ପାକିସ୍ତାନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡ ଟିମ୍‌ ପାକିସ୍ତାନକୁ ୪୦୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। କିନ୍ତୁ ବର୍ଷା ବାରମ୍ବାର ବାଧକ ସାଜୁଛି। ଫଳରେ ମ୍ୟାଚ୍‌ ବନ୍ଦ ରହିଛି।

ଲକ୍ଷ୍ୟ ପଛରେ ଗୋଡେଇଥିବା ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଥିଲା। ମାତ୍ର ୬ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଫକର ଜମାନ ଏବଂ ବାବର ଆଜମ ଶତକୀୟ ଭାଗିଦାରୀ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ବର୍ଷା ଯୋଗୁଁ ମ୍ୟାଚ୍‌ ଅଟକି ରହିଛି। ୨୧.୩ ଓଭରରେ ପାକିସ୍ତାନର ସ୍କୋର ୧୬୦ ରନ୍‌ ଥିବା ବେଳେ ବର୍ଷା ହୋଇଥିଲା। ମାତ୍ର ୪ ଓଭର ପରେ ଅର୍ଥାତ ୨୫.୩ ଓଭର ବେଳକୁ ସ୍କୋର ଗୋଟିଏ ୱିକେଟ୍‌ ବିନିମୟରେ ୨୦୦ ରନ୍‌ରେ ପହଞ୍ଚିଛି। ପୁଣି ଥରେ ବର୍ଷା ଆରମ୍ଭ ହୋଇଯିବାର ଖେଳକୁ ବନ୍ଦ ରଖାଯାଇଛି।

ରିପୋର୍ଟ ଲେଖାଯିବା ବେଳକୁ ଫଖର ଜମାନ ୧୨୬ ଏବଂ ବାବର ଆଜମ ୬୬ ରନ୍‌ରେ ଅପରାଜିତ ଅଛନ୍ତି। ପାକିସ୍ତାନ ଡିଏଲ୍‌ଏସ୍‌ ନିୟମ ଅନୁସାରେ ଲକ୍ଷ୍ୟ ଠାରୁ ୨୧ ରନ୍‌ ଆଗୁଆ ରହିଛି। ଯଦି ମ୍ୟାଚ୍‌ ଖେଳାଯାଇପାରିବ ନାହିଁ, ତା’ହେଲେ ପାକିସ୍ତାନର ବିଜୟ ହେବ। ଅନ୍ୟପଟରେ ଯଦି ଓଭର କମ୍‌ କରି ଦିଆଯିବ ପାକିସ୍ତାନ ପାଇଁ ଏଭଳି ଟାର୍ଗେଟ ମିଳିବ।

ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ଟି ୱିକେଟ୍‌ ହରାଇ ୪୦୧ ରନ୍‌ ସଂଗ୍ରହ କରିଥିଲା। ଏହି ଇନିଂସରେ ପ୍ରାରମ୍ଭିକ ବ୍ୟାଟର ରଚିନ ରବୀନ୍ଦ୍ର ଶତକ ହାସଲ କରିଥିଲେ। ସେ ୧୫ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୧୦୮ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ୭୯ଟି ବଲ୍‌ ଖେଲି ୧୦ଟି ଚୌକା ଓ ୨ଟି ଛକା ବଳରେ ୯୫ ରନ୍‌ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ଡେୱନ୍‌ କନ୍‌ୱେ ୩୫ ରନ୍‌, ଡେରିଏଲ ମିଚେଲ ୨୯ ରନ୍‌, ମାର୍କ ଚାମ୍ପମ୍ୟାନ୍‌ ୩୯ ରନ୍‌, ଗ୍ଲେନ ଫିଲିପ୍‌ସ ୪୧ ରନ୍‌, ମିଚେଲ ସାଣ୍ଟନର ଅପରାଜିତ ୨୬ ରନ୍‌ ଓ ଟମ୍‌ ଲାଥମ ଅପରାଜିତ ୨ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର