ଠେଙ୍ଗାରେ ପିଟିପିଟି ବୃଦ୍ଧା ମା’କୁ ହତ୍ୟା

କଙ୍କଡାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମକୁଆକାଟେଣି ଗାଁ’ରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ତାର ବୃଦ୍ଧା ମା’କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରିଛି। ଅଭିଯୁକ୍ତ ଯୁବକଜଣକ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଛି। ହତ୍ୟାକାଣ୍ଡ ପରେ ଗ୍ରାମବାସୀ ଅଭିଯୁକ୍ତ ଯୁବକକୁ ରଶିରେ ବାନ୍ଧି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସୂଚନା ଅନୁଯାୟୀ, ମକୁଆକାଟେଣି ଗାଁ’ର ହରିହର ସାହୁ (୭୫) ଓ ବୈଦେହୀ ସାହୁ (୭୨) ପୁଅ ବିଷ୍ଣୁପ୍ରସାଦ (୪୦) ସହ ଘରେ ରହନ୍ତି। ବିଷ୍ଣୁପ୍ରସାଦ ପ୍ରାୟ ୧୦ ବର୍ଷ ହେଲା ମାନସିକ ରୋଗରେ ଆକ୍ରାନ୍ତ। ବିଭିନ୍ନ ସ୍ଥାନରେ ଚିକିତ୍ସା କରାଯାଇଥିଲେ ହେଁ ସେ ସୁସ୍ଥ ହୋଇନଥିଲେ। ଫଳରେ ପୁଅକୁ ଧରି ବାପା-ମା ଏକାକୀ ରହୁଥିଲେ। ପୁଅ ବିଷ୍ଣୁଙ୍କ ସହ ବାପା-ମା’ ଗତ ରାତିରେ ଖାଇ ସାରିବାପରେ ଘରେ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳେ ବିଷ୍ଣୁ ହଠାତ୍ ଉଠି ବାହାରକୁ ପଳାଉଥିବାବେଳେ ବୈଦେହୀ ଏହା ଜାଣିପାରି ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ଏଥିରେ ଉତ୍ତ୍ୟକ୍ତ ହୋଇ ବିଷ୍ଣୁ ସେଠାରେ ପଡ଼ିଥିବା ଏକ ଠେଙ୍ଗାରେ ବୃଦ୍ଧା ମା’ଙ୍କୁ ବାରମ୍ବାର ପ୍ରହାର କରିଥିଲେ। ଠେଙ୍ଗାମାଡ଼ରେ ବୃଦ୍ଧା ବୈଦେହୀଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର