ଚିକୁର ଚିଠି: ଅପାସୋର ଅତୀତକୁ ମନେପକାଇଲେ କୋହଲି

ଜନ୍ମ ଦିନରେ ଧାର୍ମିକ ସ୍ଥଳ ଭ୍ରମଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲିଙ୍କୁ ମଙ୍ଗଳବାର ୩୨ ଚାଲିଲା। ନିଜ ୩୧ତମ ଜନ୍ମ ଦିବସକୁ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଭୁଟାନରେ ପାଳନ କରିଛନ୍ତି। ଏହି ଅବସରରେ କୋହଲି ତାଙ୍କ କିଶୋରାବସ୍ଥାକୁ ମନେ ପକାଇଛନ୍ତି। ଅତୀତକୁ ଫେରି ନିଜେ ହିଁ ନିଜ ପାଇଁ ଭାବବିହ୍ବଳ ଚିଠି ଲେଖିଥିଲେ। ଏଥିରେ କୋହଲି ମଧ୍ୟ ନିଜ ପିତାଙ୍କ ଭଲ ପାଇବା ଏବଂ ଆବେଗଭରା ଆଲିଙ୍ଗନକୁ ମନେ ପକାଇଛନ୍ତି। ତାଙ୍କର ଏହି ଚିଠି ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚିତ ହୋଇଥିଲା ବେଳେ କୋହଲିଙ୍କୁ ଶୁ‌େଭଚ୍ଛାର ସୁଅ ଛୁଟିଛି। ୧୫ ବର୍ଷୀୟ ଚିକୁ (କୋହଲିଙ୍କ ଡାକ ନାଁ)କୁ କୋହଲି ଲେଖିଥିବା ଏହି ଚିଠି କୋହଲିଙ୍କ ବ୍ୟକ୍ତିତ୍ବର ଅନାଲୋଚିତ ଦିଗକୁ ଉନ୍ମୋଚିତ କରିଛି।

‘ପାଗଳାମି ଛାଡ଼ନି, ରନ୍ ବର୍ଷା ଜାରି ରଖ’
କୋହଲିଙ୍କ ଜନ୍ମ ଦିନରେ ତାଙ୍କୁ ସାଧାରଣ ପ୍ରଶଂସକଙ୍କଠାରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ହଜାର ହଜାର ଶୁଭେଚ୍ଛା ମିଳିଛି। ସଚିନ ଟ୍ବିଟ୍ କରିଛନ୍ତି ଯେ ରନ୍ ବର୍ଷା କରିବା ଜାରି ରଖ ବିରାଟ। କ୍ରିକେଟ୍ ପ୍ରତି ଥିବା ସେହି ପାଗଳାମିକୁ ଆଦୌ ପରିତ୍ୟାଗ କରନି। ଭାରତକୁ ସେହିଭଳି ବରିଷ୍ଠ ନେତୃତ୍ବ ଦେଇ ଚାଲିଥାଅ। ବିସିସିଆଇ କୋହଲିଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକର ଫଟୋ ପ୍ରକାଶ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ରନ୍ ମେସିନ୍ ଆଖ୍ୟା ଦେଇଛି। ଭାରତର ପୂର୍ବତନ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ ବଲ୍ ତୁମକୁ ସବୁବେଳେ ବଡ଼ ଦେଖାଯାଉ, ତୁମ ବ୍ୟାଟିଂ କମ୍ପୁଟର କି’ ବୋର୍ଡର ଏଫ୍‌-ଫାଇଭ୍ ବଟନ ଭଳି ହେଉ। ବାଦଲ ଭଳି ଛାଇ ରୁହ, ସବୁବେଳେ ଖୁସି ରୁହ। ଶିଖର ଧାୱନ ଲେଖିଛନ୍ତି, ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା, ସବୁବେଳେ ଏମିତି ଚମକୁ ଥାଅ ଭାଇ। ଭିଭିଏସ୍ ଲକ୍ଷ୍ମଣ ଟ୍ବିଟ୍ କରିଛନ୍ତି ଯେ ପ୍ରିୟ କୋହଲି ତୁମକୁ ଜନ୍ମ ଦିନର ଶୁଭେଚ୍ଛା, ଆଗାମୀ ବର୍ଷ ତୁମ ପାଇଁ ସମୃଦ୍ଧିମୟ ଏବଂ ସୁଖମୟ ହେଉ। ତୁମେ ଆହୁରି ଅନେକ କୀର୍ତ୍ତିମାନ କର। ମହମ୍ମଦ କୈଫ ଲେଖିଛନ୍ତି ଯେ ୨୦୧୨ରେ ଆରସିବି ପକ୍ଷରୁ ଖେଳୁଥିଲା ବେଳେ ଆମେ ସାଥୀ ହୋଇ ତାଙ୍କ ଲାପଟପରେ ବାର୍ସେଲୋନା ଖେଳ ଦେଖିଥିଲୁ। ସେତେବେଳେ ମୁଁ ଜାଣିଥିଲି ଯେ ସେ ଜଣେ ସ୍ବତନ୍ତ୍ର ଖେଳାଳି ଏବଂ ଜଣେ କିମ୍ବଦନ୍ତୀ ହେବା ବେଶି ଦୂର ନୁହେଁ। ହରଭଜନ ସିଂହ ଲେଖିଥିଲେ, ଜନ୍ମ ଦିନର ଶୁଭେଚ୍ଛା ମୋ ଛୋଟ ବୀର। ଆଧୁନିକ ପିଢ଼ିର ବ୍ୟାଟିଂ ମାଷ୍ଟର। ପଡ଼ିଆ ଏବଂ ପଡ଼ିଆ ବାହାରେ ତୁମକୁ ସମସ୍ତ ପ୍ରକାର ସଫଳତା ମିଳୁ। ଈଶାନ୍ତ ଶର୍ମା ଲେଖିଥିଲେ, ଚିକୁ ତୁମକୁ ଅଶେଷ ଅଶେଷ ଅଭିନନ୍ଦନ। ତୁମ ଜୀବନ ସୁଖମୟ ହେଉ, ଆହୁରି ଅନେକ କୀର୍ତ୍ତିମାନ କର। ସୁରେଶ ରାଇନା କହିଥିଲେ, ଅଧିକ ରନ୍, ଅଧିକ କ୍ଷମତା, ଅଧିକ ସମ୍ମାନ ପାଅ, ତୁମ ସ୍ବତନ୍ତ୍ର ଦିନରେ ଭଗବାନଙ୍କ ନିକଟରେ ଏତିକି ହିଁ କାମନା। ଭାରତୀୟ କ୍ରିକେଟରଙ୍କ ସହ ବିଶ୍ବ କ୍ରିକେଟର ଅନେକ ମହାନ ତାରକା ମଧ୍ୟ କୋହଲିଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ମଙ୍ଗଳବାର ଦିନ ସାରା ସାମାଜିକ ଗଣମାଧ୍ୟମରେ ସେ ହିଁ ଚର୍ଚାରେ ରହିଥିଲେ।

ନିଜ ୩୧ ତମ ଜନ୍ମ ଦିବସରେ କୋହଲି ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଭୁଟାନର ବିଭିନ୍ନ ଧାର୍ମିକ ସ୍ଥଳୀ ଭ୍ରମଣ କରିଛନ୍ତି। କ୍ରିକେଟ୍‌ରୁ ବିରତି ନେଇ ଛୁଟି କଟାଇବାକୁ ଭୁଟାନ ଯାଇଥିବା ବିରୁଷ୍କା ଟ୍ବିଟ୍ କରି ଏହି କଥା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଭାଗବାନଙ୍କ ଆଶୀର୍ବାଦରୁ ମୋ ଜୀବନସାଥୀଙ୍କ ସହ ଏଭଳି ପବିତ୍ର ସ୍ଥାନକୁ ପରିଦର୍ଶନରେ ଆସିପାରିଲି। ଜନ୍ମଦିନର ସେହି ସୁନ୍ଦର ଶୁ‌େଭଚ୍ଛା ଲାଗି ହୃଦୟର ଗଭୀରତାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। କୋହଲି ମଧ୍ୟ ଅନୁଷ୍କାଙ୍କ ସହ ବୁଲିଥିବା ଭୁଟାନର ଅନେକ ଦର୍ଶନୀୟ ସ୍ଥାନର ଫଟୋ ପ୍ରକାଶ କରିଛନ୍ତି। ତା’ ଛଡ଼ା ସେଠାରେ ପାହାଡ଼ ଚଢ଼ାର ମଜା ନେଉଥିବା ସୂଚନା ଦେଇଛନ୍ତି।

ପ୍ରିୟ ଚିକୁ,
ସର୍ବପ୍ରଥମେ, ମୁଁ ତୁମକୁ ଜନ୍ମ ଦିନର ‌ଅଶେଷ ଅଶେଷ ଅଭିନନ୍ଦନ ଜଣାଉଛି। ମୁଁ ଜାଣିଛି ଭବିଷ୍ୟତକୁ ନେଇ ମୋ ପାଇଁ ତୁମ ପାଖରେ ଅନେକ ପ୍ରଶ୍ନ ଅଛି। ହେଲେ ମୁଁ ଦୁଃଖିତ ଯେ ତୁମର ସେହି ପ୍ରଶ୍ନଗୁଡ଼ିକ ମଧ୍ୟରୁ ଅନେକର ଉତ୍ତର ମୁଁ ଦେଇ ପାରିବିନାହିଁ। କାରଣ ଆଗକୁ କ’ଣ ଘଟିବ, ତାହା ଜାଣି ନଥିଲେ ହିଁ ପ୍ରତ୍ୟେକ ଉପହାର ମିଠା, ପ୍ରତ୍ୟେକ ଆହ୍ବାନ ରୋମାଞ୍ଚଭରା ଏବଂ ପ୍ରତିଟି ବିଫଳତା ନୂଆ କରି କିଛି ଶିଖିବାର ସୁଯୋଗ ଭଳି ଲାଗିଥାଏ। ଅବଶ୍ୟ ତୁମେ ଏକଥା ଏବେ ବୁଝି ପାରିବନାହିଁ। କାରଣ ଏହା ଲକ୍ଷ୍ୟ ସାଧନ ଅପେକ୍ଷା ଏଥିଲାଗି କରିଥିବା ଯାତ୍ରା ବିଷୟରେ ଅଧିକ ଏବଂ ଯାତ୍ରା ଅତି ଚମତ୍କାର ଥିଲା!
ମୁଁ ଏତିକି କହିବି ଯେ ଜୀବନରେ ତୁମକୁ ବହୁତ ବଡ଼ ବଡ଼ କାମ କରିବାର ଅଛି ବିରାଟ। ସେଥିପାଇଁ ତୁମକୁ ଜୀବନର ଚଲାପଥରେ ଆସିବାକୁ ଥିବା ପ୍ରତ୍ୟେକ ସୁଯୋଗ ଲାଗି ସବୁବେଳେ ପ୍ରସ୍ତୁତ ରହିବାକୁ ହେବ। ମିଳିଥିବା ସୁଯୋଗକୁ ଦୁଇ ହାତରେ ମାଡ଼ିବସ। କୌଣସି ଜିନିଷକୁ ସହଜ ଏବଂ ହାଲକା ଭାବେ ନିଅନାହିଁ। ଏକଥା ସତ ଯେ ସମସ୍ତଙ୍କ ଭଳି ତୁମେ କେବେ ନା‌ କେବେ ବିଫଳ ହେବ। ନିଜକୁ ପ୍ରତିଶ୍ରୁତି ଦିଅ ଯେ ତୁମେ କେବେ ବି ଉପରକୁ ଉଠିବାକୁ ଭୁଲିବ ନାହିଁ। ପ୍ରଥମ ଥର ସଫଳ ନହେଲେ ବାରମ୍ବାର ଉଦ୍ୟମ କର। ପ୍ରୟାସ ଜାରି ରଖ। ତୁମକୁ ଅନେକ ଲୋକ ଭଲପାଇବେ, ଆଦୌ ଚିହ୍ନି ନଥିବା କିମ୍ବା ଜାଣି ନଥିବା କିଛି ବ୍ୟକ୍ତି ଘୃଣା ବି କରିବେ। ସେମାନଙ୍କ ବିଷୟରେ ଚିନ୍ତା କରନାହିଁ। ନିଜ ଉପରେ ବିଶ୍ବାସ ରଖ। ମୁଁ ଜାଣିଛି ତୁମେ ସେହି ଜୋତା ବିଷୟରେ ଭାବୁଛ, ଯାହା ବାପା ଆଜି ତୁମକୁ ଉପହାର ଭାବେ ଦେଇ ନାହାନ୍ତି। ହେଲେ ଆଜି ସକାଳେ ସେ ଦେଇଥିବା ସ୍ନେହଭରା ଆଲିଙ୍ଗନ କିମ୍ବା ତୁମ ଉଚ୍ଚତାକୁ ନେଇ ସେ କରିଥିବା ଥଟ୍ଟାମଜା ଆଗରେ ତା’ର କୌଣସି ମୂଲ୍ୟ ନାହିଁ। ଏହାକୁ ସବୁଦିନ ପାଇଁ ସାଇତି ରଖ। ମୁଁ ଜାଣିଛି ସେ‌ କେବେ କେବେ ଜଣେ ରୁକ୍ଷ ପିତା ଭଳି ମନେ ହୁଅନ୍ତି। ଏହାର ଏକମାତ୍ର କାରଣ ହେଉଛି ସେ ସବୁବେଳେ ତୁମର ଭଲ ଚାହାନ୍ତି। ତୁମେ ଭାବୁଥିବ ଆମ ମାତାପିତା ଅନେକ ସମୟରେ ଆମକୁ ବୁଝି ପାରନ୍ତିନି। ମନେ ରଖ କେବଳ ଆମ ପରିବାର ହିଁ ଆମକୁ ନିଃସର୍ତ୍ତ ଭଲାପଇବା ଦିଅନ୍ତି। ତୁମେ ବି ସେମାନଙ୍କୁ ଅନୁରୂପ ଏବଂ ନିଃସ୍ବାର୍ଥପର ଭଲପାଇବା ଦିଅ। ସେମାନଙ୍କୁ ସମ୍ମାନ କର। ଯେତେ‌ ସମ୍ଭବ, ସେତେ ସମୟ ସେମାନଙ୍କ ସହ ଅତିବାହିତ କର। ବାପାଙ୍କୁ କୁହ, ତୁମେ ତାଙ୍କୁ ବହୁତ ବହୁତ ଭଲ ପାଅ। ଏକଥା‌ ତାଙ୍କୁ ଆଜି, ଆସନ୍ତାକାଲି ଏବଂ ଯେତେ‌ ଥର ପାରୁଛ ସେତେ ଥର କୁହ।

ଶେଷରେ, ସର୍ବଦା ହୃଦୟର ଡାକ ଶୁଣ, ସ୍ବପ୍ନକୁ ଅନୁସରଣ କର, ଦୟାଳୁ ହୁଅ ଏବଂ ବିଶ୍ବକୁ ଜଣାଇ ଦିଅ ଯେ ବଡ଼ ସ୍ବପ୍ନ ଦେଖିବା କେମିତି ତୁମକୁ ଅନ୍ୟମାନଙ୍କଠାରୁ ଅଲଗା ଏବଂ ଭିନ୍ନ କରିଥାଏ। ଅନ୍ୟର ଅନୁକରଣ ନ କରି ତୁମେ ନିଜ ଭିତରେ ନିଜକୁ ହିଁ ଦେଖ। ସେହି ପରାଠାଗୁଡ଼ିକର ମନଭରି ମଜା ନିଅ ବନ୍ଧୁ। ଆସନ୍ତା ବର୍ଷଗୁଡ଼ିକରେ ‌ସେସବୁ ତୁମ ପାଇଁ ଦୁର୍ମୂଲ୍ୟ ହେବାକୁ ଯାଉଛି………………………’’
ଜୀବନର ପ୍ରତ୍ୟେକ ଦିନକୁ ସୁନ୍ଦର ଓ ସରସ କର
ବିରାଟ

ସମ୍ବନ୍ଧିତ ଖବର