ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଶୋକାକୁଳ ପରିବେଶରେ ସରିଲା ଗଣଶୁଦ୍ଧିକ୍ରିୟା

ସୋର/ବାହାନଗା: କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ବାହାନଗା ଗ୍ରାମବାସୀ ଓ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଦୁର୍ଘଟଣାସ୍ଥଳରେ ୩ ଦିନ ଧରି ଆୟୋଜିତ ହେଉଥିବା ଗଣଶୁଦ୍ଧିକ୍ରିୟାର ଆଜି ଶେଷ ହୋଇଛି।
ରବିବାର ଦଶାହରେ ବାହାନଗା ଚନ୍ଦନ ପୁଷ୍କରିଣୀରେ ୧୨୦ ଜଣ ମୁଣ୍ଡନ ହୋଇଥିବା ବେଳେ ଅନେକ ମହିଳା ନଖ କାଟିଥିଲେ। ଏହାସହିତ ତିଳତର୍ପଣ ମଧ୍ୟ କରାଯାଇଥିଲା। ସେହିପରି ଗତକାଲି ଭୋର୍‌ ୫ଟା ବେଳେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିବା ବେଳେ ୯ଟାରେ ଅଖଣ୍ଡ ଗାୟତ୍ରୀ ମନ୍ତ୍ରଜପ, ୧୦ଟାରେ ସର୍ବଧର୍ମ ପ୍ରାର୍ଥନା ସଭା, ମଧ୍ୟାହ୍ନ ୧୨ଟା ୩୦ରେ ସ୍ମୃତିସଭା ପରେ ପ୍ରସାଦସେବନ ବ୍ୟବସ୍ଥା କରାଯାଇଥିଲା। ସେହିପରି ଆଜି ସର୍ବଧର୍ମ ସଭା, ଶାନ୍ତି ଶୋଭାଯାତ୍ରା, ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ, ୫୦୦୮ ଦୀପଦାନ, ସତ୍‌ସଙ୍ଗ ଓ ୧୫୦୦ ଲୋକ ପ୍ରସାଦ ବିତରଣ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକଙ୍କ ସହ ଅନେକ ରାଜନେତା, ମନ୍ତ୍ରୀ, ଦଳୀୟ କର୍ମୀ, ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗଦେଇଥିଲେ।
ସୂଚନାଥାଉକି, ଗତ ୨ ତାରିଖ ସନ୍ଧ୍ୟାରେ ବାହାନଗା ବଜାର ଷ୍ଟେସନ୍‌ଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଏକ ମାଲ୍‌ବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା। ଏହି ସମୟରେ ଡାଉନ୍‌ ଲାଇନ୍‌ରେ ଯାଉଥିବା ଯଶବନ୍ତପୁର-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନଚ୍ୟୁତ ହେବା ଫଳରେ ଉଭୟ ଟ୍ରେନର ୨୮୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଓ ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।
ସମ୍ବନ୍ଧିତ ଖବର