ସୁବର୍ଣ୍ଣ ସମ୍ପର୍କ ପରିବାର ପକ୍ଷରୁ ଛବିବାଳା ମେଧା ସମ୍ମାନ ପ୍ରଦାନ ଉତ୍ସବ

ଶିକ୍ଷା ସହ ଲକ୍ଷ୍ୟ, ଆଭିମୁଖ୍ୟ ଓ ସାଧନା ସଫଳତା ଆଣିଦିଏ: ଅଶ୍ୱିନୀ ପାତ୍ର

ବାଲିଆପାଳ: ସଫଳତା ହାସଲ କରିବାକୁ ହେଲେ ଶିକ୍ଷା ସହ ଲକ୍ଷ୍ୟ, ଆଭିମୁଖ୍ୟ ଓ ନିଷ୍ଠାପର ସାଧନା ଆବଶ୍ୟକ। ଆରାମକୁ ପରିତ୍ୟାଗ କରି ପରିଶ୍ରମ କଲେ ମଣିଷ ଶୀର୍ଷସ୍ଥାନ ଅଧିକାର କରିପାରିବ ବୋଲି ବାଲିଆପାଳ ବ୍ଲକ୍‌ ଛକସ୍ଥିତ ଶୁଭମ ଅତିଥି ଭବନ ପରିସରରେ ବ୍ଲକ୍‌ର କୃତୀ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କୁ ସୁବର୍ଣ୍ଣ ସଂପର୍କ ପରିବାର ପକ୍ଷରୁ ଛବିବାଳା ମେଧାବୃତ୍ତି ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍କୃତି, ଭାଷା, ସାହିତ୍ୟ ଓ ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମତବ୍ୟକ୍ତ କରିଛନ୍ତି।
ଛବିବାଳା ଟ୍ରଷ୍ଟର ସଂଯୋଜକ ସମାଜସେବୀ ସଞ୍ଜୟ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଶ୍ରୀ ପାତ୍ରଙ୍କ ସହ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ତଥା ‘ରେବତୀ’ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା ଯୋଗଦେଇଥିଲେ। ସେ ପିତାମାତା ଓ ଈଶ୍ୱରଙ୍କୁ ଭକ୍ତି କଲେ ସଫଳତା ନିଶ୍ଚୟ ମିଳିବ। ଆତ୍ମସଫଳତା ସହ ସମାଜ ଓ ଦେଶ ପାଇଁ ମଧ୍ୟ କର୍ତ୍ତବ୍ୟ କରିବା ଉଚିତ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଡିଓ ବିନୋଦ କୁମାର ପଣ୍ଡା, ଭେଲର ପୂର୍ବତନ ଏମ୍‌ଡି ମନମୋହନ ସେଠୀ ଏବଂ ଚଳିତ ବର୍ଷ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ଓଡ଼ିଶାରୁ ଷଷ୍ଠ ସ୍ଥାନରେ ଥିବା ବଲିଆପାଳର ଛାତ୍ରୀ ସୂର୍ଯ୍ୟଶିଖା ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନେ ଦେଶର ବିକାଶ ଦିଗରେ ଯୋଗଦାନ କରବାକୁ ଆହ୍ବାନ ଦେଇଥିଲେ।
ବିଶିଷ୍ଟ ଅତିଥି ଭାବେ ଆପୋଲୋ ହସ୍‌ପିଟାଲ୍‌ର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡ. ବ୍ରଜରାଜ ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ପରିଷଦ ସଭାପତି ନାରାୟଣ ପ୍ରସାଦ ସାହୁ, ସମ୍ବାଦ ସାହିତ୍ୟଘର ସଭାପତି ଝାଡ଼େଶ୍ୱର ପ୍ରଧାନ, ବାଘାଯତୀନ ସ୍ମୃତି ପରିଷଦର ଆବାହକ ଅରବିନ୍ଦ ବେହେରା ଉପସ୍ଥିତ ଥିଲେ। ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୯୨ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବାଲିଆପାଳର ୭୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ପ୍ରଧାନଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ସୁବର୍ଣ୍ଣ ସମ୍ପର୍କ ପରିବାର ପକ୍ଷରୁ ମନ୍ତ୍ରୀ ଶ୍ରୀ ପାତ୍ର, ସମାଜସେବୀ ସୁବାସିନୀ ଜେନା ଏବଂ ସୂର୍ଯ୍ୟଶିଖା ମହାନ୍ତିଙ୍କୁ ସମର୍ଦ୍ଧିତ କରାଯାଇଥିଲା। ସୁବର୍ଣ୍ଣ ସମ୍ପର୍କର ସଭାପତି ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ପଣ୍ଡା ସ୍ବାଗତ ଅଭିଭାଷଣ ଏବଂ ଆବାହକ ଇଂ. ବିଜୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୋମକେଶ ସାହୁ, ଡ. ଗୟାରାମ ଗଙ୍ଗାଇ, ରଂଜନ ଭୂୟାଁ, ଉମାକାନ୍ତ ନାୟକ, ସାଗର ପଟ୍ଟନାୟକ, ମନୋରଂଜନ ପ୍ରଧାନ, ଅର୍ଦ୍ଧେନ୍ଦୁ ପାଣିଗ୍ରାହୀ, ସନ୍ନ୍ୟାସୀ ବେହେରା, ବଳରାମ ଦେ ପ୍ରମୁଖଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ସୂଚନା ଥାଉକି ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ଦେବରାଜ ଦାସଙ୍କ ଦିବଂଗତ ମାଆ ଛବିବାଳା ଦାସଙ୍କ ସ୍ମୃତିରେ ଟ୍ରଷ୍ଟ ଗଠନ ହୋଇଛି। ଏହି ଟ୍ରଷ୍ଟ ପକ୍ଷରୁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ ସହ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ।
ସମ୍ବନ୍ଧିତ ଖବର