ଓଏସ୍‌ଏଫ୍‌ସି ଋଣ ହଡ଼ପ ମାମଲା : ୨୯ ବର୍ଷ ପରେ ଅଭିଯୁକ୍ତକୁ ୪ ବର୍ଷ ଜେଲ୍‌

କଟକ : ଦୀର୍ଘ ୨୯ବର୍ଷ ତଳେ ମେଡିକାଲ ସରଞ୍ଜାମ କାରଖାନା ପାଇଁ ଓଡ଼ିଶା ରାଜ୍ୟ ଅର୍ଥ ନିଗମ(ଓଏସଏଫସି)ରୁ ୧ ଲକ୍ଷ ୩୦ ଲକ୍ଷ ଟଙ୍କା ଋଣ ହଡ଼ପ କରିବା ମାମଲାରେ କଟକ ଦ୍ୱିତୀୟ ସ୍ୱତନ୍ତ୍ର ଭିଜିଲାନସ ଅଦାଲତ ଅଭିଯୁକ୍ତ ବିଜୟ କୁମାର ପରିଜାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ବିଜୟଙ୍କୁ ଆଇପିସି ୪୨୦, ୧୨୦-ବି ଦଫାରେ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଜୋରିମାନା ଅର୍ଥ ନଦେଇ ପାରିଲେ ଆହୁରି ଏକ ବର୍ଷ ଜେଲ ଦଣ୍ଡ ଭୋଗିବା ପାଇଁ ପଡିବ ବୋଲି କୋର୍ଟ ରାୟରେ ଦର୍ଶାଇଛନ୍ତି। ମାମଲାରୁ ପ୍ରକାଶ ଚୌଦ୍ୱାରରେ କାଳୀକା ମେଡିକାଲ ସରଞ୍ଜାମ କାରଖାନା ପ୍ରତିଷ୍ଠା ପାଇଁ ହରିପୁର ଅଞ୍ଚଳର ବାସିନ୍ଦା ଦିଲ୍ଲୀପ କୁମାର ପଟ୍ଟନାୟକ ଓଏସ୍‌ଏଫସିରୁ ୧ଲକ୍ଷ ୩୦ ହଜାର ଟଙ୍କା ଋଣ ଆଣିଥିଲେ। ଏଥିପାଇଁ ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁର ଅଞ୍ଚଳର ବାସିନ୍ଦା ତଥା ଦୋଳମୁଣ୍ଡାଇ ସ୍ଥିତ ଏସିଆନ ଟ୍ରେଡର୍ସ ପ୍ରୋପାଇଟର ବିଜୟ କୁମାର ପରିଜା ତାଙ୍କୁ ଜାଲ କାଗଜପତ୍ର ଯୋଗାଇ ଥିଲେ। ଏହି ଜାଲ କାଗଜପତ୍ର ମାଧ୍ୟମରେ ୧.୨୦ଲକ୍ଷ ଟଙ୍କା ଋଣ ଅଣାଯାଇ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା। ଯାଞ୍ଚ ବେଳେ ଏ ସମସ୍ତ କାଗଜପତ୍ର ସଂପୂର୍ଣ୍ଣ ନକଲି ବୋଲି ଜଣାପଡିଥିଲା। ଭିଜିଲାନସ ଏ ନେଇ ୧୯୮୯, ଅକ୍ଟୋବର ମାସ ୩ତାରିଖରେ ଏକ ମାମଲା ରୁଜୁ କରିଥିଲା। ଓଏସଏଫସି ପୂର୍ବତନ ବୈଷୟିକ ପରିଚାଳକ ଦୋଳଗୋବିନ୍ଦ ମହାରଣା, ଉପ ପରିଚାଳକ ମନୋରଞ୍ଜନ ପ୍ରତିହାରୀ, ବିଜୟ ପରିଜା ଓ ଦିଲ୍ଲୀପ ପଟ୍ଟନାୟକଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ଋଣ ହଡପ କରିଥିବା ଦିଲ୍ଲୀପ କୁମାର ପଟ୍ଟନାୟକ ସେବେଠାରୁ ଫେରାର ରହିଥିବାବେଳେ ଓଏସଏଫସି ପୂର୍ବତନ ବୈଷୟିକ ପରିଚାଳକ ଓ ଉପ ପରିଚାଳକଙ୍କୁ ଦୋଷମୁକ୍ତ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ପିପି ସେଖ ନିଜାମୁଦ୍ଦିନ, ଏପିପି ସ୍ୱରାଜ କୁମାର ରାୟ ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର