କେନ୍ଦ୍ରାପଡ଼ା : ହୁକିଟୋଲାରୁ ପିକନିକ୍‌ ସାରି ଫେରୁଥିବା ବେଳେ ମହାନଦୀରେ ବୁଡ଼ିଲା ଡଙ୍ଗା, ୧ ମୃତ, ୭ ନିଖୋଜ

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ାର ଜମ୍ବୁଥାନା ଅନ୍ତର୍ଗତ ନିପାଣିଆ ନିକଟରେ ଘଟିଛି ବଡ଼ ଅଘଟଣ। ମହାନଦୀରେ  ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ନାମ ପ୍ରଭାତୀ ସ୍ୱାଇଁ ବୋଲି ଜଣାପଡ଼ିଛି। କୁଜଙ୍ଗ ଅଂଚଳର ହସିଣା ନିବାସୀ ହେଉଛନ୍ତି ପ୍ରଭାତୀ। ଘଟଣାସ୍ଥଳରେ ବନ ବିଭାଗ, ପ୍ରଶାସନ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ଜଣାପଡ଼ିଛି। ଏଥିସହ ଡାକ୍ତରୀ ଦଳ ପହଞ୍ଚି ଉଦ୍ଧାର ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରିଛନ୍ତି।

ସୂଚନା ଅନୁସାରରେ, କେନ୍ଦ୍ରାପଡ଼ା ଜିଲ୍ଲାର  ହୁକିଟୋଲା ବତୀଘରକୁ କୁଜଙ୍ଗ ଅଞ୍ଚଳର ମହିଳା ଓ ଶିଶୁଙ୍କ ସମେତ  ପ୍ରାୟ  ୪୫ଜଣ ପିକ୍‌ନିକ୍‌ କରିବାକୁ ଯାଇଥିଲେ।  ପିକନିକ ସାରି ସଂଧ୍ୟାରେ ସେମାନେ ଫେରୁଥିବା ସମୟରେ ନଈରେ ବଡ଼ ବଡ଼ ଢ଼େଉ ଆସିବାରୁ ମହାନଦୀ ମୁହାଣ ନିକଟରେ ଡଙ୍ଗାଚାଳକ  ଡଙ୍ଗାର ଭାରସାମ୍ୟ ରକ୍ଷା କରିପାରି ନ ଥିଲେ, ଫଳରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏଥିରେ ବସିଥିବା ସମସ୍ତ ଯାତ୍ରୀ ପାଣିରେ ପଡ଼ି ଯାଇଥିଲେ।

ଏହା ପରେ ପାଖରେ ଥିବା ମତ୍ସ୍ୟଜୀବୀ ଓ ଅନ୍ୟ ଡଙ୍ଗାଚାଳକ ଉଦ୍ଧାରରେ ଲାଗି ପଡ଼ିଥିଲେ। ତେବେ ସଂପୂର୍ଣ୍ଣ ଅନ୍ଧକାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟ  ହୋଇପାରି ନ ଥିଲା। ଏଯାବତ୍ ଘଟଣାସ୍ଥଳକୁ ଜଣେ ବୟସ୍କ ବ୍ୟକ୍ତିଙ୍କ ଶବ ମିଳିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ନିଖୋଜ ଥିବା ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର