ବଂଶଧାରା ଅବବାହିକା ସୁରକ୍ଷା ସମିତିର ରଣହୁଙ୍କାର, ଉପରମୁଣ୍ଡରେ ପ୍ରକଳ୍ପ ନ ହେଲେ ଜୋରଦାର ଆନ୍ଦୋଳନ

ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ସ୍ମାରକପତ୍ର

ରାୟଗଡ଼ା : ବଂଶଧାରା ଉପରମୁଣ୍ଡରେ ଜଳ ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ରକୁ ମୁହଁତୋଡ଼ ଜବାବ ଦେବାର ସମୟ ଆସିଛି। ୫୦:୫୦ ଅନୁପାତ କାହିଁକି ବଂଶଧାରାର ମୁନ୍ଦାଏ ବି ଜଳ ବ୍ୟବହାର କରିବାର ଅଧିକାର ଆନ୍ଧ୍ରର ନାହିଁ। ଓଡ଼ିଶା ସରକାରଙ୍କ ନିରବତାର ଫାଇଦା ଆନ୍ଧ୍ର ଉଠାଉ ଥିବାବେଳେ ଟ୍ରିବ୍ୟୁନାଲ୍  ରାୟ ମଧ୍ୟ ଆନ୍ଧ୍ର ସପକ୍ଷରେ ଯାଉଛି । ରାଜ୍ୟ ସରକାର ଏବେ ଚେତିବାର ସମୟ ଆସିଛି । ନଚେତ୍ ଜୋରଦାର୍ ଆନ୍ଦୋଳନ କରାଯିବ ବୋଲି ବଂଶଧାରା ଅବବାହିକା ସୁରକ୍ଷା ସମିତି ଚେତାବନୀ ଦେଇଛି ।

ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି. କାର୍ତ୍ତିକେୟାନ୍ ପାଣ୍ଡିଆନଙ୍କୁ ସ୍ମାରକପତ୍ର ପ୍ରଦାନ କରି ଏପରି ରଣହୁଙ୍କାର ଦେଇଛି। ନେରେଡି ବ୍ୟାରେଜକୁ ଜଳ ନ ଛାଡ଼ିବା ପାଇଁ ଓଡ଼ିଶା ସରକାର ଉପର ମୁଣ୍ଡରେ ବୃହତ ଜଳପ୍ରକଳ୍ପ ନିର୍ମାଣ କରିବାକୁ ବଂଶଧାରା ଅବବାହିକା ସୁରକ୍ଷା ସମିତି ସ୍ମାରକପତ୍ର ପ୍ରସ୍ତାବ ଦେଇଛି। ୨୦୨୧ ଜୁନ୍ ୨୬ରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ରାୟ ଆନ୍ଧ୍ର ସପକ୍ଷରେ ଯିବା ପରେ ରାୟଗଡ଼ା ଜିଲ୍ଲାର ଗୁଣପୁର, ଗୁଡାରି, ଗଜପତି ଜିଲ୍ଲାର କାଶୀନଗରରେ ଜନ ଅସନ୍ତୋଷ ପୁଞ୍ଜିଭୂତ ହେବାର ଲାଗିଛି। ଆନ୍ଧ୍ର ପ୍ରକଳ୍ପକୁ ବିରୋଧ କରି ରବିବାର ଗଜପତି ଜିଲ୍ଲାର ୩ ପ୍ରଭାବିତ ଗ୍ରାମବାସୀ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଆଜି ଗୁଣପୁର ବଂଶଧାରା ଅବବାହିକା ସୁରକ୍ଷା ସମିତି ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ସାକ୍ଷାତ କରି ଦେଢ଼ ଘଣ୍ଟା ଧରି ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀ, ଚାଷ ଜମି ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛି। ବଂଶଧାରା ତଳମୁଣ୍ଡରେ ଆନ୍ଧ୍ର ୧୯୭୦ ମସିହାରେ ଗୋଟା ବ୍ୟାରେଜ୍ ନିର୍ମାଣ କରିଥିବା ବେଳେ ହୀରମଣ୍ଡଳମ, ନେରେଡ଼ି ପାଇଁ ଉଦ୍ୟମ ଜାରି ରଖି ଶେଷରେ ସଫଳ ହୋଇଛି।

ଅନ୍ୟପକ୍ଷରେ ମେଗା  ଉଠାଜଳସେଚନ ପ୍ରକଳ୍ପ ମଧ୍ୟ ଆନ୍ଧ୍ର କାର୍ଯ୍ୟକାରୀ କରିଛି। ବଂଶଧାରା ଜଳ ବିବାଦରେ ଓଡ଼ିଶା ସରକାରଙ୍କ ସମସ୍ତ ଉଦ୍ୟମ କେବଳ ପ୍ରସ୍ତାବରେ ସୀମିତ ରହିଛି।  ଆନ୍ଧ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଯୋଗୁ ବର୍ଷା ଦିନରେ ବନ୍ୟା ଓ ଖରା ଦିନରେ ବଂଶଧାରାରେ ପାଣି ସଙ୍କଟ ଦେଖା ଦେଉଛି ବୋଲି ସୁରକ୍ଷା ସମିତି ଅଭିଯୋଗ କରିଛି। ଅପରାହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ଆଲୋଚନାରେ ସୁରକ୍ଷା ସମିତିର ସମସ୍ତ ଦାବିକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଖୁବ୍ ସୁରକ୍ଷା ସମିତିର ଦାବିକୁ ସରକାର ବିଚାରକୁ ନ ନେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସମିତି ଚେତାବନୀ ଦେଇଛି। ଆଲୋଚନାରେ ସୁରକ୍ଷା ସମିତି ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାଶ, ଉପସଭାପତି ବିଜୟ କୁମାର ଗମାଙ୍ଗ, ସାଧାରଣ ସମ୍ପାଦକ ଇନ୍ଦ୍ରାକ୍ଷୀ ଦାଶ, ଆବାହକ ମିଲି ପାଢୀ, ଯୁଗ୍ମ ସମ୍ପାଦକ ମୁନା ପାଣି, ସମିତିର ଉପଦେଷ୍ଟା ପ୍ରଦୀପ ଦାଶ, ଆଇନଜୀବୀ କୃଷ୍ଣ ସେନାପତି, ପୂର୍ବତନ ଏନଏସି ଅଧ୍ୟକ୍ଷ ସାନ ଗୌଡ, କୋଷାଧ୍ୟକ୍ଷ ଏସ. ବାବା ପ୍ରସାଦ, ସାମ୍ବାଦିକ ରାଧାକୃଷ୍ଣ ପଟ୍ଟନାୟକ, ରମେଶ ଲିମା, ନାଗେନ୍ଦ୍ର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର