ଜାମିନକୁ ଅପେକ୍ଷା କରି କରି ଚାଲିଗଲା ୮୪ବର୍ଷିୟ କାର୍ଯ୍ୟକର୍ତ୍ତା ଷ୍ଟାନ ସ୍ୱାମୀଙ୍କ ଜୀବନ

ନୂଆଦିଲ୍ଲୀ: ଗତ ବର୍ଷ ଏଲଗର ପରିଷଦ ମାମଲାରେ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଗିରଫ ହୋଇଥିବା ୮୪ ବର୍ଷୀୟ ପୁରୋହିତ-କାର୍ଯ୍ୟକର୍ତ୍ତା ଷ୍ଟାନ ସ୍ୱାମୀଙ୍କର ଆଜି ଦେହାନ୍ତ ହୋଇଛି | ଜାମିନ ପାଇଁ ସେ କରିଥିବା ଆବେଦନର ଶୁଣାଣି ପୂର୍ବରୁ ଆଜି ତାଙ୍କର ମୃତ୍ୟୁ ଘଟିଛି | ଗତକାଲିଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଜେସୁଟ୍ ପୁରୋହିତ ଭେଣ୍ଟିଲେଟରରେ ଥିଲେ।

ମେ ୨୮ ରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଷ୍ଟାନ ସ୍ୱାମୀ ମୁମ୍ବାଇର ଘରୋଇ ହୋଲି ଫ୍ୟାମିଲି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅକ୍ଟୋବରରୁ ମୁମ୍ବାଇ ଜେଲରେ ଥିବା ଷ୍ଟାନ୍ ସ୍ୱାମୀ ତାଙ୍କ ଜୀବନର ଶେଷ କିଛି ମାସରେ ଛୋଟ ଛୋଟ ଆବଶ୍ୟକତା ପୂରଣ କରିବା ପାଇଁ ମଧ୍ୟ ଆଇନଗତ ଲଢେଇ ଲଢ଼ିଥିଲେ। ଡିସେମ୍ବରରେ, ତାଙ୍କର ପାର୍କିନ୍ସନ୍ ରୋଗ ପାଇଁ ସେ ଏକ ପାଇପ ଏବଂ ସିପର୍ ଦେବାକୁ କୋର୍ଟରେ ଅନୁରୋଧ କରିଥିଲେ। ସେ ଏକାଧିକ ଥର ଚିକିତ୍ସା ଏବଂ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ ଆବେଦନକୁ ଗ୍ରହଣ କରାଯାଇନଥିଲା।

84-Year-Old Activist Stan Swamy Dies In Hospital Waiting For Bail |  Business League
Business League

ଭିଡିଓ କନଫରେନ୍ସିଂ ଜରିଆରେ ଷ୍ଟାନ ସ୍ୱାମୀ ହାଇକୋର୍ଟଙ୍କୁ କହିଥିଲେ ଯେ, ନଭି ମୁମ୍ବାଇର ତାଲୋଜା ଜେଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଛି ଏବଂ ଯଦି ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ନହୁଏ ତେବେ ସେ ଶୀଘ୍ର ମରିଯିବେ। ହେଲେ ତାଙ୍କ ଆବେଦନକୁ ଗ୍ରହଣ କରାଯାଇନଥିଲା | ଗତ ସପ୍ତାହରେ ଷ୍ଟାନ ସ୍ୱାମୀ ପୁଣି ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଆଜି ଏହି ଆବେଦନର ଶୁଣାଣି ଆରମ୍ଭ ହେବା ପରେ ତାଙ୍କ ଓକିଲ ହାଇକୋର୍ଟଙ୍କୁ କହିଥିଲେ ଯେ ଦିନ ୧.୩୦ରେ ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି |

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୩୧, ୨୦୧୭ ରେ ପୁଣେ ନିକଟ କୋରେଗାଓଁ-ଭୀମାରେ ଘଟିଥିବା ଏକ ଘଟଣା ସହିତ ଏଲଗାର ପରିଷଦ ସମ୍ପୃକ୍ତ ଥିଲା, ଯେଉଁଥିରେ ହିଂସା ଓ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଥିଲା। ଏନଆଇଏ ଦାବି କରିଥିଲା ଯେ, ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାମାନେ ଏକ ଏଲଗର ପରିଷଦ ବୈଠକ କରି ଉତ୍ତେଜନାମୂଳକ ଭାଷଣ ଦେଇଥିଲେ ଏବଂ ପର ଦିନ ହିଂସା ଘଟାଇଥିଲେ। ଏହି ବୈଠକରେ ଷ୍ଟାନ ସ୍ୱାମୀ ମଧ୍ୟ ସାମିଲ ଥିଲେ | ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ନିଷିଦ୍ଧ ସଂଗଠନ ସିପିଆଇ (ମାଓବାଦୀ) ର ବରିଷ୍ଠ ନେତାମାନେ ଏଲଗର ପରିଷଦ କାର୍ଯ୍ୟକ୍ରମର ଆୟୋଜକ ତଥା ଗିରଫ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ମାଓବାଦୀ ଓ ନକ୍ସଲ ଆଦର୍ଶ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିଲେ।

ପାଞ୍ଚ ଦଶନ୍ଧି ଧରି ଝାଡଖଣ୍ଡରେ ଆଦିବାସୀମାନଙ୍କ ସହ କାମ କରିଥିବା ଷ୍ଟାନ୍ ସ୍ୱାମୀ ନକ୍ସଲଙ୍କ ସହ ହାତ ମିଳାଇଥିବା ଅଭିଯୋଗରେ ତାଙ୍କୁ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଥିବା ତାଙ୍କ ଘରୁ ଦିଲ୍ଲୀର ଏନଆଇଏ ଅଧିକାରୀଙ୍କ ଏକ ଟିମ୍ ଗିରଫ କରିଥିଲା। ସେ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ଏବଂ ଅନୁସନ୍ଧାନକାରୀଙ୍କ ନିକଟରେ ତାଙ୍କ ସ୍ୱାସ୍ଥ୍ୟଗତ ଚିନ୍ତା ପ୍ରକଟ କରିଥିଲେ। ହେଲେ ତାଙ୍କୁ ଜାମିନ ନମିଳିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି |

ସମ୍ବନ୍ଧିତ ଖବର