ଭଦ୍ରକ ସହରବାସୀଙ୍କ ପାଇଁ ‘ମୋ ବସ୍‌’ ସେବା ପ୍ରହସନ

ଭଦ୍ରକ: ସାତ ବର୍ଷର ସ୍ବପ୍ନ ଅଧୁରା ରହିଗଲା। ଭଦ୍ରକ ସହରରେ ମୋ ବସ ଗଡିବ ବୋଲି ରାଜ୍ୟ ସରକାର ସ୍ବପ୍ନ ଦେଖାଇ ସ୍ବପ୍ନ ଭାଙ୍ଗି ଦେଲେ। ଭଦ୍ରକ ଏକ ଜନଗହଳିପୂର୍ଣ୍ଣ ସହର ହୋଇଥିବା ବେଳେ ଏହି ସହରକୁ ଅଧିକ ଗାଡ଼ି ମଟର ହ୍ରାସ କରିବା ପାଇଁ ଲୋକଙ୍କୁ ମୋ ବସ ଯୋଗାଇ ସେମାନଙ୍କୁ କମ ଖର୍ଚ୍ଚରେ ଗମନା ଗମନର ସୁବିଧା କରିବା ପାଇଁ ଯୋଜନା କରାଯାଇଥିଲା। ପୂର୍ବତନ ପୌରାଧକ୍ଷ ମାନସ କୁମାର ମହାନ୍ତିଙ୍କ ସମୟରେ ଭଦ୍ରକ ସହରରେ ମୋ ବସ୍ ସେବା ଯୋଗାଇ ଦେବାକୁ ଯୋଜନା କରିଥିଲେ। ଏଥି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଶେଷ ହୋଇଥିଲା। ଏହା ଭିତରେ ୭ ବର୍ଷ ବିତି ଯାଇଛି। ନୂଆ ପୌରଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ କିଛି ମାସ ସମୟ ଅଛି। ତଥାପି ଭଦ୍ରକ ସହରବାସୀଙ୍କୁ ମୋ ବସ ସେବା ଯୋଗାଇ ଦିଆଯାଇ ପାରିଲା ନାହିଁ। କିଛି ଦିନ ପୂର୍ବରୁ ଭଦ୍ରକ ଜିଲ୍ଲାବାସୀଙ୍କୁ ପରିବହନ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଗୋଟି ମୋ ବସ ମଞ୍ଜୁର କରିଛନ୍ତି। ବୁଧବାରଦିନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ, ବାସୁଦେବପୁର ବିଧାୟକ ଵିଷ୍ଣୁବ୍ରତ ରାଉତରାୟ, ଧାମନଗର ବ୍ଲକ ଅଧକ୍ଷ ଶର୍ମିଷ୍ଠା ବେହେରା ଏବଂ ଭଦ୍ରକ ଜିଲ୍ଳାପାଳ ସିଧେଶ୍ୱର ବଳିରାମ ବୋନ୍ଦର ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଆବାସୀ ଜରିଆରେ ଏହି ଘୋଷଣା କରିଛନ୍ତି। ସୂଚନା ମୁତାବକ ଧାମନଗର ଏନଏସି ଏବଂ ବ୍ଲକ ପାଇଁ ୨ ଟି ମୋ ବସ୍ , ଭଣ୍ଡାରିପୋଖରୀ ବ୍ଲକ ପାଇଁ ୨ ଟି ମୋ ବସ୍ , ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକ ପାଇଁ ଗୋଟିଏ ଲେଖାଏଁ ମୋ ବସ ମଞ୍ଜୁର କରିଛନ୍ତି।

ଦୀର୍ଘବର୍ଷ ଧରି ଗମନା ଗମନରେ କଷ୍ଟ ଭୋଗୁଥିବା ଭଦ୍ରକ ଗ୍ରାମାଞ୍ଚଳ ଓ ସହରବାସୀଙ୍କ ପାଇଁ ମୋ ବସ୍ ଯୋଗାଇ ଦିଆ ଗଲା ନାହିଁ। ଭଦ୍ରକ ସହର ଏବଂ ଗ୍ରାମାଞ୍ଚଳବାସୀ ମୋ ବସ୍ ସେବାରୁ ବଞ୍ଚିତ ହେବା ପରେ ସହରବାସୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭଦ୍ରକ ସହରରୁ ଜିଲ୍ଲା କୋର୍ଟ ନଳାଙ୍ଗ ଉଠିଯିବା ପରେ ଓକିଲ ମହକିଲଙ୍କ ଠାରୁ ଆରମ୍ଭକରି କୋର୍ଟ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହର ଠାରୁ ୫ କିମି ଦୁରତାରେ ଥିବା ନଳାଙ୍ଗ କୋର୍ଟ ଯିବାକୁ ଲୋକଙ୍କୁ ୧୦୦ ଟଙ୍କା ଦେଇ ଭଡା ଅଟୋରେ ଯିବାକୁ ପଡୁଛି। ସେହିଭଳି ନିକଟରେ ଭଦ୍ରକ ମେଡିକାଲ ସହର ବାହାରେ ଥିବା ଗେଲପୁରକୁ ଉଠି ଯାଇଛି। ଆଗକୁ ପୁରା ମେଡିକାଲ ସହିତ ଜିଲ୍ଲା ଜେଲ ମଧ୍ୟ ବହୁଦରଡ଼ାକୁ ଉଠିଯିବ। ଏପରିସ୍ଥଳେ କେବଳ ସହରବାସୀ ନୁହଁନ୍ତି ସମଗ୍ର ଜିଲ୍ଲାବାସୀଙ୍କ ପାଇଁ ସହରରେ ଟାଉନ ବସ ସେବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣାରେ ଭଦ୍ରକ ସହରକୁ ଏହି ମୋ ବସ୍ ସେବା ଯୋଗାଇ ଦିଆଯାଇ ନାହିଁ। ମୋ ବସ ସେବାରୁ କାହିଁକି ଓ କେଉଁ ପରିସ୍ଥିତିରେ ଭଦ୍ରକ ସହରବାସୀଙ୍କ ବଞ୍ଚିତ କରାଗଲା ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର