ଗାଈ ଗୁହାଳଠାରୁ ହୀନ ‘ତରମନଟି ପ୍ରାଥମିକ ବିଦ୍ୟାଳୟ’ ବାଜିରେ ଲାଗିଛି ୫୧ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ନୀଳଗିରି: ‘ଭଲ ପାଠ ପଢ଼, ବଡ଼ ସ୍ବପ୍ନ ଦେଖି ତାକୁ ସାକାର କର’। ନୀଳଗିରି ବ୍ଲକ୍‌ ଧୋବଶିଳା ପଞ୍ଚାୟତ ତରମନଟି ପ୍ରାଥମିକ ବିଦ୍ୟାଳୟ କାନ୍ଥରେ ମୁଖ୍ୟମନ୍ତ୍ରୀଙ୍କ ଏମିତି କିଛି ବାର୍ତ୍ତା ଲେଖାଥିବା ଫଳକ ଲଗାଯାଇଛି। ହେଲେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଉପହାସ ହୋଇଛି। କାରଣ ସେମାନେ ପଢ଼ୁଥିବା ବିଦ୍ୟାଳୟ ଗାଈ ଗୁହାଳଠାରୁ କିଛି କମ୍‌ ନୁହେଁ। ମାଟିଘରର ଗୋଟିଏ କୋଠରିରେ ବସି କି ପ୍ରକାର ଭବିଷ୍ୟତ ଗଢ଼ିବେ ବୋଲି ବିଦ୍ୟାର୍ଥୀମାନେ ପ୍ରଶ୍ନ କରିଛନ୍ତି। ଯାହା ଶିକ୍ଷା​ ବ୍ୟବସ୍ଥା ପ୍ରତି ଶକ୍ତ ଚାପୁଡ଼ା ସଦୃଶ ହୋଇଛି। ସବୁଠାରୁ ବଡ଼ କଥା ହେଲା; ବିଦ୍ୟାଳୟଟି ବାଲେଶ୍ବର ସାଂସଦଙ୍କ ନିଜ ପଞ୍ଚାୟତର।
ତରମନଟି ପ୍ରାଥମିକ ବିଦ୍ୟାଳୟ ୨୦୧୦ ମସିହାରେ ଖୋଲିଥିଲା। ଗୃହ ମଞ୍ଜୁର ନହେବାରୁ ଦୁଇ କୋଠରିବିଶିଷ୍ଟ ଚାଳଛପର ଘରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ା ଆରମ୍ଭ ହୋଇଥିଲା। ଏବେ ଏଠାରେ ୫୧ ଜଣ ପିଲା ପାଠ ପଢ଼ୁଛନ୍ତି। ଗୋଟିଏ କୋଠରିରେ ପାଠ ପଢ଼ା ହେଉଥିବା ବେଳେ ଅନ୍ୟ କୋଠରି ଅଫିସ୍‌ ଭାବେ ବ୍ୟବହାର ହେଉଛି। ଏପରି ସମୟରେ ଛାତ୍ରଛାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଠ ପଢ଼ାଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଖାଇବା ପର୍ଯ୍ୟନ୍ତ; ସମସ୍ୟା ହିଁ ସମସ୍ୟା। ବର୍ଷା​ ହେଲେ ସ୍ଥିତି ସାଂଘାତିକ।

ଘର ଭିତରେ ପାଣି ପଡ଼ି କାଦୁଆ ହୋଇଯାଏ। ବିଜୁଳିଘଡ଼ଘଡ଼ିର ମଧ୍ୟ ଭୟ ରହୁଛି। ଏମିତି କି ଅଫିସ୍‌ କାଗଜପତ୍ର ନଷ୍ଟ ହୋଇଯାଉଛି। ସମସ୍ୟାର ସମାଧାନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ରେବତୀ ଶତପଥୀ ଏବଂ ସହକାରୀ ଶିକ୍ଷକ ମଧୁସୂଦନ ସିଂ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କିଛି ଫଳ ମିଳି ନଥିଲା। ତେଣୁ ଶିକ୍ଷକଶିକ୍ଷୟିତ୍ରୀ ବାଧ୍ୟ ହୋଇ ୨୦୨୦ ମସିହାରେ ଗ୍ରାମବାସୀଙ୍କ ସହାୟତାରୁ ବିଦ୍ୟାଳୟର ଛପରକୁ ଆଜ୍‌ବେଷ୍ଟସ୍‌ କରିଛନ୍ତି। ତଥାପି ସମସ୍ୟାର ସମାଧାନ ହୋଇପାରିନି। ଏପରି ସମୟରେ ମାଟିଘରର ଗୋଟିଏ କୋଠରିରେ କି ପ୍ରକାର ପାଠ ପଢ଼ିବେ ଏବଂ କେମିତି ଭବିଷ୍ୟତ ଗଢ଼ିବେ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି। ଯାହା ଶିକ୍ଷା​ ବ୍ୟବସ୍ଥାର ଦୟନୀୟ ଚିତ୍ରକୁ ପଦାରେ ପକାଇଛି। ସବୁଠାରୁ ବଡ଼ କଥା ହେଲା; ବିଦ୍ୟାଳୟଟି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପଞ୍ଚାୟତରେ ରହିଛି। ତଥାପି ତା’ର ଭାଗ୍ୟ ବଦଳିପାରୁନି।

ତେବେ ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସ୍ନିଗ୍ଧା ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ସ୍କୁଲ୍‌ଟି ଜଙ୍ଗଲ ଜମିରେ ରହିଛି। ତେଣୁ ଗୃହ ନିର୍ମାଣ କି ଉନ୍ନତୀକରଣ କାମ ସମ୍ଭବ ହୋଇ ପାରୁନି। ତେବେ ବିଡିଓଙ୍କ ସହ ଆଲୋଚନା ହୋଇଛି। ଶୀଘ୍ର କେମିତି ସବୁ ସମସ୍ୟାର ସମାଧାନ ହୋଇପାରିବ, ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର