୫-ଟି ବିଦ୍ୟାଳୟ ଛାତରୁ ଖସିଲା ସିଲିଂ

ଛତିଆ: ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ମାତ୍ର ୩ ମାସ ତଳେ ରୂପାନ୍ତରୀକରଣ ହୋଇଥିବା ବିଦ୍ୟାଳୟର ଶ୍ରେଣୀଗୃହ ସିଲିଂ ଖସିପଡ଼ିଛି। ବଡ଼ଚଣା ବ୍ଲକ୍‌ କଳକଳା ସରକାରୀ ଉଚ୍ଚବିଦ୍ୟାଳୟ ଶାଳପଡ଼ାରେ ଏହି ଅଘଟଣ ଘଟିଛି। ଆଜି ଶୁକ୍ରବାର ସ୍କୁଲ ଖୋଲିଲା ବେଳକୁ ଇ-ପାଠାଗାର ଛାତ ଉପରୁ ସିଲିଂ ଭୁଶୁଡ଼ି ପଡ଼ିଛି। ଏହା ଦେଖିବା ପରେ ପିଲାମାନେ ରୂପାନ୍ତରିତ ଶ୍ରେଣୀଗୃହରେ ବସିବାକୁ ଭୟ କରୁଥିବା କହିଛନ୍ତି।

ଏହି ବିଦ୍ୟାଳୟଟି ୧୯୬୫ ମସିହାରୁ ସ୍ଥାପିତ ହୋଇଥିଲା। ଏଠାରେ ୪୫୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୫-ଟି ଯୋଜନା ମୋ’ ସ୍କୁଲ ଅଭିଯାନରେ ଗତ ମେ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଭାସୀ ମାଧ୍ୟମରେ ଏହା ଲୋକାର୍ପିତ ହୋଇଥିଲା। ଇ-ଲାଇବ୍ରେରି ଗୃହର ସିଲିଂ ଢଳେଇ ଖସିପଡ଼ିବା ସହ ଗୃହର ପ୍ରୋଜେକ୍ଟର ଚାଲୁନାହିଁ। ଏହି ସ୍କୁଲରେ ଏପର୍ଯ୍ୟନ୍ତ ଫ୍ୟାନ୍ ମଧ୍ୟ ଲାଗିନାହିଁ। ଫଳରେ ପିଲାମାନେ ଗରମରେ କଲବଲ ହେଉଛନ୍ତି। ସିଲିଂ ଖସିବା ଘଟଣାର ତଦନ୍ତ କରାଯାଇ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର