ନିର୍ବାଚନ ପରିଚାଳନାରେ ୧୦୪୭ ଗାଡ଼ି:ଲୋକଙ୍କ ସହ ମିଶି କାମ କରିବାକୁ ଆହ୍ବାନ

ପୁଲିସ ପ୍ରତିଷ୍ଠା ଦିବସ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲୋକସଭା ଓ ତା ଅଧୀନସ୍ଥ ୭ଟି ବିଧାନସଭାରେ ଅପ୍ରେଲ ୧୮ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲି, ରାଉ‌ରକେଲା, ରାଜଗାଙ୍ଗପୁର ଓ ବଣାଇଁର ନିର୍ବାଚନ ପରିଚାଳନା ପାଇଁ ୧୦୫୭ଟି ମଟରଯାନର ବ୍ୟବସ୍ଥା କରାଯାଇଛି। ଏଥିରେ ବସ୍‌, ଜିପ୍‌, ହାଲୁକା ମଟର ଯାନ ଅନ୍ତର୍ଭୁକ୍ତ ଅଛି। ପୋଲିଂ ପାର୍ଟି ଏଥିରେ ଭୋଟିଂ ଉପକରଣ ସହ ବୁଥ୍‌କୁ ପହଞ୍ଚି ମତଦାନ କାର୍ଯ୍ୟକ୍ରମ ପରିଚାଳନା କରି ମତଦାନ ଶେଷ ହେବା ପରେ ସମସ୍ତ ଉପକରଣ ନେଇ ଉକ୍ତ ଗାଡ଼ିରେ ଫେରି ଆସି‌ବେ। ଏହିକ୍ରମରେ ତଳସରା ବିଧାନସଭାର ୨୭୭ ବୁଥ୍‌ ପାଇଁ ୨୩୫ ମଟରଯାନ ନିୟୋଜିତ ହେବାକୁ ଥିବା ବେଳେ ସୁନ୍ଦରଗଡ଼ ବିଧାନସଭାର ୨୯୬ ବୁଥ୍‌ ପାଇଁ ୨୨୭ ମଟରଯାନ ନିୟୋଜିତ ହେବ। ସେହିପରି ବୀରମିତ୍ରପୁର ବିଧାନସଭାର ୩୦୧ ବୁଥ୍‌ ପାଇଁ ୧୧୭ ମଟରଯାନ, ରଘୁନାଥପାଲ୍ଲି ବିଧାନସଭାର ୧୯୩ ବୁଥ୍‌ ପାଇଁ ୫୮ ମଟରଯାନ, ରାଉରକେଲା ବିଧାନସଭାର ୧୯୭ ବୁଥ୍‌ ପାଇଁ ୪୯ ମଟରଯାନ, ରାଜଗାଙ୍ଗପୁର ବିଧାନସଭାର ୨୭୪ ବୁଥ୍‌ ପାଇଁ ୨୨୦ ମଟରଯାନ ଓ ବଣାଇଁ ବିଧାନସଭାର ୩୦୮ ବୁଥ୍‌ ପାଇଁ ୧୪୧ ମଟରଯାନ ନିୟୋଜିତ ହେବ। ତଳସରା ଓ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ପୋଲିଂ ପାର୍ଟି ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟରେ ଖୋଲା ଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ରୁ ଭୋଟିଂ ସହାୟକ ଉପକରଣ ନେବେ। ସେହିପରି ବୀରମିତ୍ରପୁର, ରଘୁନାଥପାଲ୍ଲି, ରାଉରକେଲା ବିଧାନସଭା ପରିଚାଳନା ପାଇଁ ନିଯୁକ୍ତ ପୋଲିଂ ପାର୍ଟି ରାଉରକେଲା ଉଦିତନଗର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରୁ, ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ପୋଲିଂ ପାର୍ଟି ସୁନ୍ଦରଗଡ଼ ମାଦ୍ରି କାଲୋ ଭବନରୁ ଓ ବଣାଇଁ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ପୋଲିଂ ପାର୍ଟି ବଣାଇଁ ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟରେ ଖୋଲା ଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ରୁ ଭୋଟିଂ ସହାୟକ ଉପକରଣ ନେବେ ।

ରାଉରକେଲା: ଉତ୍ସାହ ଉଦ୍ଦୀପନାର ସହ ରିଜର୍ଭ ପଡ଼ିଆଠାରେ ପୁଲିସ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଡିଆଇଜି କବିତା ଜଲାନ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ। ଉଦ୍‌ବୋଧନରେ ଡିଆଇଜି କହିଲେ, ସମସ୍ତ ପୁଲିସ କର୍ମଚାରୀ ନିଷ୍ଠାପରଭାବେ ନିଜ ନିଜ ଦାୟିତ୍ବ ସଂପାଦନ କରିବା ଉଚିତ। ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସହ ମିଶି ସମସ୍ୟାର ସମାଧାନ କରିବା ସହ ଜଣେ ବି ଯେଭଳି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି; ସେଥିପ୍ରତି ଯତ୍ନବାନ ହେବାକୁ ଆହ୍ବାନ କରିଥିଲେ। ଏସ୍‌ପି ସାର୍ଥକ ଷଡ଼ଙ୍ଗୀ, ରେଳବାଇ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍କୃଷ୍ଟମାନର କାର୍ଯ୍ୟ ସଂପାଦନ ପାଇଁ ରାଉରକେଲା ପୁଲିସ ଜିଲ୍ଲାର ୧୫ ଜଣ ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର