ଦର୍ଲିପାଲି ଟ୍ରକ୍‌ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ଯୋଗେଶ ଦେଲେ ୩ ଲକ୍ଷ

ସୁନ୍ଦରଗଡ଼: ୨୫ ତାରିଖ ମଧ୍ୟରାତ୍ରରେ ଏନ୍‌ଟିପିସି ଦର୍ଲିପାଲି ଅଫିସ ସାମ୍ନାରେ ଟ୍ରକ୍‌ଧକ୍କାରେ ଦର୍ଲିପାଲିର ୩ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଆନ୍ଦୋଳନ ପରେ ଏନ୍‌ଟିପିସି କର୍ତ୍ତୃପକ୍ଷ ପ୍ରତି ପରିବାରକୁ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରିବା ସହ ପରିବାରର ଜଣକୁ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲେ। ଅଧିକ କ୍ଷତିପୂରଣ ଦାବି କରି ଆନ୍ଦୋଳନ କରିଥିବା ବିଜେଡି ନେତା ଯୋଗେଶ ସିଂ ଏହି ଅବସରରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ନିଜ ହାତରୁ ୧ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିଥି‌ଲେ। ଅନ୍ୟପଟେ ପ୍ରଶାସନ ରେଡ୍‌କ୍ରସ୍‌ରୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରି ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।

ଦର୍ଲିପାଲିର ୩ ଯୁବକ ରଞ୍ଜନ ପ୍ରଧାନ, ଆଶିଷ ଭୋଇ ଏବଂ ରୂପକ ଧରୁଆ ଗୋଟିଏ ବାଇକ୍‌ରେ ଚନ୍ଦଲି ପାହାଡ଼ ଆଡୁ ଘରକୁ ଆସୁଥିଲେ। ଏନ୍‌ଟିପିସି କଲୋନି ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ବାଇକ୍‌କୁ ଜୋରରେ ଧକ୍କାଦେଇ ଚଢ଼ି ଯାଇଥିଲା। ଟ୍ରକ୍‌ଚାପାରେ ୩ ଯୁବକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଶୁକ୍ରବାର ସକାଳେ ପରିବାର ସହ ଗାଁର ଉତ୍ତ୍ୟକ୍ତ ଲୋକେ ପ୍ରତି ପରିବାରକୁ ୩୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ, ନିଯୁକ୍ତି ଓ ଗାଁ ରାସ୍ତାରେ ଅସୁରକ୍ଷିତ ପରିବହନ ବନ୍ଦ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଯୋଗେଶ ସିଂ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ସ୍ବର ମିଳାଇ ଧାରଣାରେ ବସିଥିଲେ। ସେହିପରି ବିଧାୟିକା କୁସୁମ ଟେଟେ ମଧ୍ୟ ଏନ୍‌ଟିପିସିର ପଛପଟ ଗେଟ୍‌ରେ ଧାରଣା ଦେଇଥିଲେ।

ଅପରାହ୍ନରେ ଏନ୍‌ଟିପିସି କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହ ଯୋଗେଶ ଏବଂ କୁସୁମଙ୍କୁ ଅଫିସକୁ ଡାକିଥିଲେ। କିନ୍ତୁ ଯୋଗେଶ ମନା କରିଦେଇଥିଲେ। କୁସୁମ ମୃତକଙ୍କ ପରିବାର ଓ କିଛି ଆନ୍ଦୋଳନକାରୀଙ୍କ ସହ ଅଫିସକୁ ଯାଇ ଆଲୋଚନା କରିଥିଲେ। କର୍ତ୍ତୃପକ୍ଷ ଲକ୍ଷେ ଟଙ୍କା କ୍ଷତିପୂରଣ ଦେଇପାରିବେ ବୋଲି କହିଥିଲେ। ଏହାପରେ ବିଧାୟିକା କୁସୁମ ଉଠି ଚାଲିଯାଇଥିଲେ। ଏପଟେ ଯୋଗେଶ ଧାରଣାରୁ ହଟି ନଥିଲେ। ୩୦ ଲକ୍ଷ କ୍ଷତିପୂରଣ ଓ ନିଯୁକ୍ତି ସହ ପାଉଁଶ, କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ରାସ୍ତା ତିଆରି କରିବାକୁ ଅଡ଼ି ବସିଥିଲେ। ଏହାପରେ ରାତିରେ ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା ଏବଂ କମ୍ପାନି କର୍ତ୍ତୃପକ୍ଷ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି କ୍ଷତିପୂରଣ ସହ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର