ଭାଙ୍ଗିଗଲା ଡାଳ: ୧୫ ବାଦୁଡ଼ି ମୃତ, ୫୦ ଆହତ

କବାଟବନ୍ଧ: ଧର୍ମଶାଳା ବ୍ଲକ୍‌ କବାଟବନ୍ଧର ବଣିଆରି ସାହି ନିକଟରେ ଏକ ଆମ୍ବଗଛ ଡାଳ ଭାଙ୍ଗିଯିବାରୁ ୧୫ଟି ବାଦୁଡ଼ିଙ୍କର ମୃତ୍ୟୁ ହୋଇଛି। ୫୦ ବାଦୁଡ଼ି ଆହତ ହୋଇଛନ୍ତି। ଆହତ ବାଦୁଡ଼ିମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ଏକ ବରଗଛରେ ଛାଡ଼ିଛନ୍ତି। ସୂଚନା ମୁତାବକ ବହୁବର୍ଷ ଧରି କବାଟବନ୍ଧ ବଣିଆସାହି ନିକଟରେ ଥିବା ଇନ୍ଦଗଛ, ବରଗଛ, ଓସ୍ତ ଗଛ ଓ ଏକ ଆମ୍ବ ଗଛରେ ହଜାରହଜାର ବାଦୁଡ଼ି ରହିଆସୁଛନ୍ତି। ବ୍ରାହ୍ମଣୀ ନଦୀକୂଳରେ ଥିବା ଏକ ବରଗଛରେ ରହୁଥିବା ବାଦୁଡ଼ି ଗୁଡ଼ିକ ଝାଞ୍ଜି ପବନ ଯୋଗୁଁ ନିକଟରେ ଥିବା ଗୋଟିଏ ଆମ୍ବ ଗଛକୁ ପଳାଇ ଆସିଥିଲେ। ଏକସମୟରେ ଶହଶହ ବାଦୁଡ଼ି ହଠାତ୍ ଆମ୍ବ ଗଛରେ ବସିଯିବା ଯୋଗୁଁ ଏହି ଗଛର ଦୁଇଟି ଛୋଟ ଡାଳ ଭାଙ୍ଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ୧୫ଟି ବାଦୁଡ଼ିଙ୍କର ମୃତ୍ୟୁ ଘଟିଥିଲା ଓ ୫୦ ବାଦୁଡ଼ି ଆହତ ହୋଇଥିଲେ। ଏହି ବିରଳ ପ୍ରାଣୀଗୁଡ଼ିକୁ ସୁରକ୍ଷା ଦେଉଥିବା ସ୍ଥାନୀୟ ବଣିଆରି ସାହିର ଲୋକମାନେ ଆହତ ବାଦୁଡ଼ିଗୁଡ଼ିକୁ ଉଦ୍ଧାର କରି ନିକଟସ୍ଥ ବରଗଛରେ ଛାଡ଼ିଥିଲେ। ମୃତ ବାଦୁଡ଼ି ଗୁଡ଼ିକ ମଧ୍ୟରୁ ଅନେକ ଗର୍ଭବତୀ ଥିଲେ ବୋଲି ଗ୍ରାମର ଭାସ୍କର ଚନ୍ଦ୍ର ମହାରଣା ଓ ଅଜୟ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର