ସହରରେ ମାତିଛନ୍ତି ଜମି ମାଫିଆ: ପ୍ଲଟିଂ କରି ସରକାରୀ ଜମି ବିକ୍ରି!

ରାଉରକେଲା: ସହର ଓ ଏହାର ଆଖପାଖରେ ମାତିଛନ୍ତି ଜମି ଦଲାଲ। କିଣୁଥିବା ଜମିକୁ ୧୦ରୁ ୧୫ ଗୁଣା ଅଧିକ ଦାମରେ ବିକୁଛନ୍ତି। ସରକାରୀ ଜାଗାକୁ ବି ଛାଡୁନାହାନ୍ତି। ରେଳବାଇ, ରାଜ୍ୟ ସରକାର ଓ ଆର୍‌ଏସ୍‌ପିର ମୂଲ୍ୟବାନ ଜାଗାକୁ ବିନା କାଗଜପତ୍ରରେ ଅନ୍ୟମାନଙ୍କୁ ବିକି ଦେଉଛନ୍ତି। ବର୍ଷ ବର୍ଷ ଧରି ଏମିତି ବେଆଇନ କାର୍ଯ୍ୟ ଚାଲୁଥିଲେ ହେଁ, ସ୍ଥାନୀୟ ପ୍ରଶାସନ ଏମାନଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନି। ନିଜର ବ୍ୟକ୍ତିଗତ ଜମି କହି ଅନ୍ୟମାନଙ୍କୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକି ଦେଉଛନ୍ତି। ଉଭୟ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି ସହରସେବା ବିଭାଗ ଏମିତି ବେଆଇନ କାର୍ଯ୍ୟ କରୁଥିବା ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍‌ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବନ୍ଧମୁଣ୍ଡା, ଜଲଦା ଓ ଫର୍ଟିଲାଇଜର କିଛି ସ୍ଥାନରେ ଜମି ମାଫିଆମାନେ ସରକାରୀ ଜମିକୁ ପ୍ଲଟିଂ କରି ଅନ୍ୟମାନଙ୍କୁ ବିକ୍ରି କରୁଛନ୍ତି। ଫର୍ଟିଲାଇଜର କନଷ୍ଟ୍ରକ୍ସନ କଲୋନିରେ ସରକାରୀ ଜମି କିଣାବିକାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା। ଏହା ପରେ ମଧ୍ୟ ଜମି ମାଫିଆମାନେ ସରକାରୀ ଜମିକୁ ମାଡ଼ି ବସି ଅନ୍ୟମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକି ଦେଇଥିଲେ। ସେମିତି ଦେଓଗାଁ ଅଞ୍ଚଳରେ ଜମି କିଣାବିକାକୁ ନେଇ ଅପରାଧିକ କାର୍ଯ୍ୟକଳାପ ବଢ଼ୁଛି। ଦେଓଗାଁ ଦୁଇ ଏକର ନୁହେଁ ପାଖାପାଖି ୧୫ ଏକରରୁ ଅଧିକ ଆର୍‌ଏସ୍‌ପି ଜମିକୁ ମାଡ଼ି ବସିଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ନେତା ଓ ଅସାମାଜିକ ଯୁବକ। ଯାହାର ଆନୁମାନିକ ବଜାର ମୂଲ୍ୟ ହେବ ପ୍ରାୟ ୫୦ କୋଟିରୁ ଅଧିକ। ଏଥିରୁ ପ୍ରାୟ ୨ ଏକରୁ ଅଧିକ ଜମିକୁ ପ୍ଲଟିଂ କରି ଅନ୍ୟମାନଙ୍କୁ ବିକ୍ରି କରି ଦିଆଯାଇଛି। ଡେସମିଲ୍‌ ପିଛା ୫ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକୁଛନ୍ତି। ଏତିକି ନୁହେଁ ଜାଗାର ପଟ୍ଟା କରାଇଦେବାକୁ ମଧ୍ୟ କ୍ରେତାମାନଙ୍କୁ କହୁଛନ୍ତି। ଗୋଟିଏ ଜାଗାକୁ ୩/୪ ଜଣଙ୍କୁ ଦେଖାଇ ସେମାନଙ୍କଠୁ ଟଙ୍କା ନେଇଯାଉଛନ୍ତି। ଏମିତି ଲୋଭନୀୟ କଥା କହି ସହର ଓ ଏହାର ଆଖପାଖର ବଡ଼ବଡିଆ ଲୋକଙ୍କୁ ଆର୍‌ଏସ୍‌ପିର ମୂଲ୍ୟ ଜମିକୁ ଶାଗମାଛ ଦରରେ ଟେକି ଦେଉଛନ୍ତି। ପ୍ଲଟ କିଣିଥିବା ଲୋକମାନେ ସେଠାରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଅନ୍ୟ କିଛି ଲୋକ ସିମେଣ୍ଟ ଖୁଣ୍ଟି ପୋତି ନିଜ ଦଖଲରେ ରଖିଛନ୍ତି। ନେତା, ଅସାମାଜିକ ଯୁବକଙ୍କ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆର୍‌ଏସ୍‌ପି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆର୍‌ଏସ୍‌ପି ସହରର ସେବା ବିଭାଗ ଏମାନଙ୍କ ବିରୋଧରେ କୌଣସି ଠୋସ୍‌ ପଦକ୍ଷେପ ନେଉ ନଥିବାରୁ ଦଲାଲ୍‌ମାନେ ଜମିକୁ ପ୍ଲଟିଂ ସହ ବିକି ଚାଳିଛନ୍ତି। ବନ୍ଧମୁଣ୍ଡା ଅଞ୍ଚଳର ରେଳବାଇ ଜାଗାକୁ ମଧ୍ୟ ଶହ ଶହ ଲୋକ ମାଡ଼ି ବସିଛନ୍ତି। ଯେଉଁଠି ବଡ଼ ବଡ଼ କୋଠା ଗଢ଼ି ଉଠିଛି। ଆଉ କିଛି ରେଳବାଇ ଜାଗାକୁ ପ୍ଲଟିଂ କରି ଅନ୍ୟମାନଙ୍କୁ ବିକି ଦେଉଛନ୍ତି। ସେକ୍ଟର-୨୧ ନୟାବଜାର ଆର୍‌ଏସ୍‌ପି ଜାଗାରେ ବେଆଇନ ବିଲ୍‌ଡିଂ ଛିଡା ହୋଇଥିଲେ ହେଁ, ଆର୍‌ଏସ୍‌ପି ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି। ସହରରେ ଲୋକଙ୍କୁ ରହିବାକୁ ଘର ଖଣ୍ଡେ ମିଳୁ ନଥିବାବେଳେ ମୂଲ୍ୟବାନ ଜମି ତଥାକଥିତ ନେତା ଓ କିଛି ଜମି ମାଫିଆ ମାଡ଼ି ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସହରର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର