ଜୀବନ ଯନ୍ତ୍ରଣା: ରୋଗ ଯନ୍ତ୍ରଣାରେ ଛଟପଟ ସୁନିଲ, ଅର୍ଥ ପାଇଁ ଅଟକିଛି ଚିକିତ୍ସା

ଡେରାବିଶ: ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ରଘୁଦେଇପୁର ଗ୍ରାମର ସୁନିଲ କୁମାର ପତି(୩୫)। ୨ଟି କିଡନି ନଷ୍ଟ ହୋଇଯିବା ପରେ ଘରେ ଶଯ୍ୟାଶାୟୀ। ଚିକିତ୍ସା ପାଇଁ ଅର୍ଥ ନାହିଁ। ପରିବାରର ବୋଝ ବୋହୁଥିବା ସୁନିଲ ଏବେ ପରିବାର ପାଇଁ ସତେ ଯେମିତି ବୋଝ ପାଲଟି ଯାଇଛନ୍ତି। ବିଧବା ମା’, ପତ୍ନୀ ଓ ୭ ବର୍ଷର କୁନି ଝିଅ ଏବେ ଅସହାୟ ହୋଇପଡିଛନ୍ତି।
ସୁନିଲ୍‌ ପିଲାଟି ଦିନୁ ବାପ ଛେଉଣ୍ତ। ମା’ ଲକ୍ଷ୍ମୀପ୍ରିୟା ଦୁଃଖକଷ୍ଟ‌ରେ ସୁନିଲକୁ ବଡ଼ କରିଥିଲେ। ସୁନିଲ ଦିନମଜୁରିଆ କାମ କରି ପରିବାର ବୋଝ ନିଜ କାନ୍ଧକୁ ନେଇଥିଲେ। ବିବାହ ପରେ ଦାୟିତ୍ବ ବଢିଥିଲା। ହେଲେ ଗତ ଅକ୍ଟୋବର ମାସରେ ହସଖୁସିର ସଂସାର ଉପରେ ହଠାତ କଳା ବାଦଲ ଘୋଟି ଆସିଥିଲା। ସୁନିଲଙ୍କ ଗୋଡ ଦୁଇଟି ଫୁଲିବା ଆରମ୍ଭ କରିବା ସହିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲା। ପାଖ ଡାକ୍ତରଙ୍କୁ ଦେଖାଇଲେ। ସୁସ୍ଥ ନ ହେବାରୁ କଟକ ବଡଡାକ୍ତଖାନାରେ ଭର୍ତ୍ତି ହେଲେ। ପରୀକ୍ଷାନିରୀକ୍ଷା ପରେ ସୁନିଲଙ୍କ ଦୁଇଟି ଯାକ କିଡନି ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ତୁରନ୍ତ କିଡନି ପ୍ରତ୍ୟାରୋପଣ କରା ନ ଗଲେ ସ୍ବାସ୍ଥ୍ୟ ପ୍ରତି ବିପଦ ଥିବା ଡାକ୍ତରମାନେ ଚରମବାଣୀ ଶୁଣାଇଥିଲେ।

କିଡନି ପ୍ରତ୍ୟାରୋପଣ ପାଇଁ ୧୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ। ହେଲେ ପରିବାର ପେଟକୁ ଦାନା ଦେବା ପାଇଁ ସଂଘର୍ଷ କରୁଥିବା ସୁନିଲଙ୍କ ପରିବାର ପାଇଁ ଏହି ଅର୍ଥ ଯୋଗାଡ କୈାଣସି ମତେ ସମ୍ଭବ ନ ଥିଲା। ୩ ମାସର ଚିକିତ୍ସା ପରେ ଡାକ୍ତଖାନାରୁ ଘରକୁ ଫେରିଥିଲେ ସୁନିଲ। ଡାକ୍ତର ଲେଖିଥିବା ଔଷଧ କିଣି ଖାଇବାକୁ ବି ପାଖରେ ପଇସା ନାହିଁ। ପରିବାର ଏବେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ସରକାର କି ବଦାନ୍ୟ ବ୍ୟକ୍ତି ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ସୁନିଲଙ୍କ ପରିବାର ଲୋକେ ଗୁହାରି କରିଛନ୍ତି। ଏଥିପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଥିବା ସୁନିଲଙ୍କ ଜମାଖାତା ନଂ.୩୨୨୫୦୦୧୭୦୦ ୦୨୪୪୧୫ ( ଆଇଏଫଏସସି-ପିୟୁଏନବି ୦୩୨୨୫୦୦)ରେ ଆର୍ଥିକ ସହାୟତା ପଠାଇବାକୁ ସେମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର