ଲଢ଼େଇ ପାଇଁ ନାମାଙ୍କନ: ଚତୁର୍ଥ ଲଢ଼େଇ ପାଇଁ ଓହ୍ଲାଇଲେ ଅଶୋକ

ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ଆସନଗୁଡ଼ିକ ପାଇଁ ନାମାଙ୍କନପତ୍ର ଦାଖଲ ଜାରି ରହିଛି। ‌ଖୋର୍ଦ୍ଧାରେ ଲୋକସଭା ସମେତ ଦୁଇଟି ବିଧାନସଭା କ୍ଷେତ୍ର ପାଇଁ ନାମ‌ା‌ଙ୍କନ ଦାଖଲ ହେଉଥିବା ବେଳେ ଭୁବନେଶ୍ବରରେ ବାକି ୫ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ମେ’ ୬ ତାରିଖ ନାମାଙ୍କନ ଦାଖଲର ‌ଶେଷ ତାରିଖ ରହିଛି। ତା’ପୂର୍ବରୁ ଆଜି ଭୁବ‌ନେଶ୍ବର ଏକାମ୍ର, ମଧ୍ୟ, ଉତ୍ତର ସମେତ ଜୟଦେବ ଓ ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ‌କେଉଁ ପ୍ରାର୍ଥୀ ସମର୍ଥକଙ୍କ ଗହଣରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ତ କିଏ ବିନା ସମର୍ଥକରେ ଆସିଛନ୍ତି। ଏଥିପାଇଁ ଆଜି ଦିନ ତମାମ ସହରର ରାଜନୈତିକ ପରିବେଶ ଉଷ୍ମ ରହିବା ସହ ନାହିଁନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରାଇବା ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭଡ଼ିଛି। ବିଶେଷକରି ୫ ନିର୍ବାଚନ ମଣ୍ଡଳୀରେ ଥିବା ୧,୧୧୭ ବୁଥ୍‌ରୁ ୧୪୯ଟି ସମ୍ବେଦନଶୀଳ ବୁଥ୍‌ ଉପରେ କମିସନରେଟ୍‌ ପୁଲିସ ତୀକ୍ଷ୍ଣ ନଜର ରଖିଛି। ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ଗଣ୍ଡଗୋଳକାରୀଙ୍କୁ ନିୟନ୍ତ୍ରଣ କରିବା, କଳାଟଙ୍କା କାରବାର ଉପରେ ରୋକ୍‌ ଲଗାଇବା ଓ ଚୋରା ବନ୍ଧୁକ ଓ ନିଶା କାରବାରକୁ ଧରିବାଲାଗି ବିଭିନ୍ନ ସ୍ଥାନରେ ଚେକିଂ, ବ୍ଲକିଂକୁ କଡ଼ାକଡ଼ି କରାଯାଉଛି। ଏଥିସହ ଥାନାଗୁଡ଼ିକ ନିଜ ନିଜ ଅଞ୍ଚଳର ଅପରାଧୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି। ଜାନୁଆରି ପହିଲାରୁ କମିସନରେଟ୍‌ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏପର୍ଯ୍ୟନ୍ତ ୯୫୩ ଜଣ ସେମାନଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ପୁଲିସ ଜିମା ଦେଇଛନ୍ତି। ଏବେ ବି ୨୭୯ ବନ୍ଧୁକ ଜିମାଦେବାକୁ ରହିଛି। ୪,୨୭୫ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨,୧୭୯ ଦାଗୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ୧,୯୬୫ ଜଣ ଏନ୍‌ବିଡବ୍ଲ୍ୟୁଧାରୀଙ୍କୁ ପିଆର୍‌ ବଣ୍ଡରେ ଛଡ଼ାଯାଇଥିବା ବେଳେ ୪୫୭ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି। ୧୭୧ଜଣଙ୍କ ବିରୋଧରେ ସିଆର୍‌ପିସି ୧୧୦ ଦଫା ଲାଗିଥିବା ବେଳେ ୧୨୬ଜଣ କୋର୍ଟରେ ଅଣ୍ଡର୍‌ଟେକିଂ ଦେଇଛନ୍ତି।

୧୪୯ ସମ୍ବେଦନଶୀଳ ବୁଥ୍‌
 ଆତ୍ମସମର୍ପଣ କଲେଣି ୨,୧୭୯ ଦାଗୀ
ବନ୍ଧାହେଲେଣି ୪୫୭, ଜମା ହେଲାଣି ୯୫୩ ବନ୍ଧୁକ

ସେହିପରି ଚଢ଼ଉ ବେଳେ ୬୭୨ ନିଶା କାରବାର ମାମଲାରେ ୫୮୦କେଜି ଗଞ୍ଜେଇ, ୧,୨୬୭ ଗ୍ରାମ୍‌ ବ୍ରାଉନ୍‌ସୁଗାର, ପ୍ରାୟ ୧୨,୦୦୦ ଲିଟର ଦେଶୀ ମଦ, ୧,୦୦୦ଲିଟର ବିଦେଶୀ ମଦ ଜବତ କରାଯିବା ସହ ୬୧ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏହାଛଡ଼ା ୫ଟି ବନ୍ଧୁକ ଓ ୨୪ ଗୁଳି ଜବତ କରାଯିବା ସହ ସେ ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି। ନିର୍ବାଚନ ସମୟରେ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସେମାନଙ୍କ ପରିଚୟକୁ ସାର୍ବଜନୀନ କରାଯାଇଛି। ଥାନା ଠାରୁ ଆରମ୍ଭ କରି କମିସନରେଟ୍‌ ପୁଲିସ ୱେବ୍‌ସାଇଟ୍‌ରେ ଅପରାଧୀଙ୍କ ତଥ୍ୟ ଦିଆଯାଇଛି। ଯେଉଁମାନେ ଅପରାଧୀଙ୍କ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ଚାହିବେ, ସେମାନେ ପୁଲିସ ପକ୍ଷରୁ ଦିଆଯାଇଥିବା ୱେବ୍‌ସାଇଟ୍‌ ବା ଥାନାକୁ ଜଣାଇପାରିବେ। ତଥ୍ୟ ଦେଉଥିବା ବ୍ୟକ୍ତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ନାମ ଗୋପନ ରାଖାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବର: ଲଗାତାର ଚତୁର୍ଥ ଥର ପାଇଁ ଲଢ଼େଇ କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା। ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀ ପଣ୍ଡା ଆଜି ନାମାଙ୍କନ ଭରିଛନ୍ତି। ସେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ୨୦୨୪ ଅଭିଯାନ ପାଇଁ ଆଶୀର୍ବାଦ ନେଇଥିଲେ। ଦିନ ପ୍ରାୟ ୧୦ଟାରେ ଲିଙ୍ଗରାଜ ମନ୍ଦିର ନିକଟରୁ ବିରାଟ ପଟୁଆରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। କର୍ମୀ ଓ ସମର୍ଥକଙ୍କ ସହ ଶ୍ରୀ ପଣ୍ଡା ପଦଯାତ୍ରାରେ ବଢ଼େଇବାଙ୍କ ଛକ, ତିନିମୁଣ୍ଡିଆ ଛକ, ଗୋସାଗୋରେଶ୍ବର ଛକ ଓ ମାଉସୀ ମା’ ଛକ ଦେଇ ଯାଇଥିଲେ।

ଶ୍ରୀ ପଣ୍ଡାଙ୍କ ଶୋଭାଯାତ୍ରା ଆକର୍ଷଣୀୟ ହୋଇଥିଲା। ସେ ନିଜେ ହାତରେ ଶଙ୍ଖ ଧରିଥିବା ବେଳେ ଦଳୀୟ କର୍ମୀମାନେ ବିଜେଡି ଲେଖାଥିବା ଶହ ଶହ ଛତା, ଦଳୀୟ ପତାକା, ପ୍ଲାକାର୍ଡ ଧରି ଚାଲିଥିଲେ। ଏଥିସହ ପାରମ୍ପରିକ ଘୋଡ଼ାନାଚ, ସିଂଘବାଜା, ଡ୍ରମପାର୍ଟି ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଶୋଭାଯାତ୍ରାରେ ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ସମେତ ବିଜେଡି କର୍ପୋରେଟର, ବରିଷ୍ଠ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା। ପୁରୁଣା ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଶ୍ରୀ ପଣ୍ଡାଙ୍କୁ କର୍ମୀମାନେ ସମ୍ବର୍ଦ୍ଧନା ଦେଇଥିଲେ। ମଧ୍ୟାହ୍ନରେ ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ସେ ଉପଜିଲ୍ଲାପାଳଙ୍କ ନିକଟ‌ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀର ବିକାଶ ହୋଇଛି। ତେଣୁ ଲୋକଙ୍କର ଆସ୍ଥା ବିଜେଡି ପ୍ରତି ରହିଛି।

ସମ୍ବନ୍ଧିତ ଖବର