ଜେଜେଏମ୍ ଅନୁଦାନରେ ନିର୍ମିତ ହେବ ୪୫୬ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଳା ଖୋର୍ଦ୍ଧାର ଗ୍ରାମାଞ୍ଚଳରେ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ (ଜେଜେଏମ୍)ର ୪୫୬ କୋଟି ୫୧ଲକ୍ଷ ଟଙ୍କାର ଅନୁଦାନରେ ୪ଟି ବ୍ଲକ ନିମନ୍ତେ ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଆଜି ଏନେଇ ଖୋର୍ଦ୍ଧା ଜିଲ୍ଲା ବିଜେଡି ପକ୍ଷରୁ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ପିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ, ରାଜ୍ୟ ମହିଳା ବିଜେଡିର ବରିଷ୍ଠ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ମାନସିଂହ, ପ୍ରଦୀପ ସାହୁ, ଦିଲିପ ହୋତା ଓ ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବଳବନ୍ତରାୟ କହିଥିଲେ ଯେ ଏହି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ଜିଲ୍ଲାର ୪ଟି ବ୍ଲକର ୬୩ଟି ପଞ୍ଚାୟତର ୩୫୬ଟି ଜଳକ୍ଲିଷ୍ଟ ଗାଁର ୪ଲକ୍ଷ ୧୬ ହଜାର ୮୮୬ଜଣ ଉପକୃତ ହେବେ। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ଟାଙ୍ଗୀ ବ୍ଳକର ପ୍ରକଳ୍ପ ଦ୍ୱାରା ୧୭ଟି ପଞ୍ଚାୟତର୧୧୦ଟି ଗ୍ରାମର ୧ ଲକ୍ଷ ୩ ହଜାର ୮୫ ଜଣ ଉପକୃତ ହେବେ।

ସେହିଭଳି ବାଲିପାଟଣା ବ୍ଲକର ପ୍ରକଳ୍ପ ଦ୍ୱାରା ୧୫ଟି ପଞ୍ଚାୟତର ୭୫ଟି ଗ୍ରାମର ୧ ଲକ୍ଷ ୭ ହଜାର ୯୯୭ ଜଣ, ବାଲିଅନ୍ତା ବ୍ଲକର ୧୬ଟି ପଞ୍ଚାୟତର ୮୪ଟି ଗାଁ ୧ ଲକ୍ଷ ୧୪ ହଜାର ୪୫୯ ଜଣ, ଭୂବନେଶ୍ୱର ବ୍ଲକର୧୫ଟି ପଞ୍ଚାୟତର ୮୭ଟି ଗାଁର ୯୧ ହଜାର ୩୪୫ ଜଣ। ଏହି ସମସ୍ତ ପ୍ରକଳ୍ପ ଆସନ୍ତା ୨୪ ମାସ ମଧ୍ୟରେ ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ୧୫ ତାରିଖରେ ଏନେଇ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ହୋଇଥିଲା। ଏହି ପ୍ରକଳ୍ପଗୁଡ଼ିକ ଇଞ୍ଜିନିୟରିଂ, ପ୍ରକ୍ୟୁରମେଣ୍ଟ ଓ କନ୍‌ଷ୍ଟ୍ରକସନ (ଇପିସି) ଟେଣ୍ଡର ମାଧ୍ୟମରେ କାର୍ଯ୍ୟକାରୀ ହେବ। ଏଥିପାଇଁ ସର୍ବନିମ୍ନ (୪୫୬ କୋଟି ୫୧ ଲକ୍ଷ ୫ ହଜାର ୯୦୫ ଟଙ୍କା) ଟେଣ୍ଡର ଆହ୍ୱାନ କରିଥିବାରୁ ହାଇଦ୍ରାବାଦର ଏନସିସି ଲିଃକୁ ଏହାର ନିର୍ମାଣ କାର୍ଯ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର