କୋରାପୁଟକୁ କେବେ ଆସିବ ‘ବିଏସଏନଏଲ’ର ୪ଜି ସେବା 

କୋରାପୁଟ: ଆଶାଥିଲା ଅଗଷ୍ଟ ମାସରୁ ସେପ୍ଟ‌େମ୍ବର ମାସ ମଧ୍ୟରେ ଅବିଭକ୍ତ କୋରାପୁଟ ବାସୀଙ୍କୁ ମିଳିବ ୪ଜି ସେବା। କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ମୁଖ୍ୟାଳୟରେ ଖୁବଶୀଘ୍ର ୪ଜି ସେବା ଆରମ୍ଭ ହେବ ବୋଲି ବିଏସଏନଏଲ ଭରଷା ଦେଇଥିଲା। ପ୍ରଥମେ ଏହା ଜିଲ୍ଲା ମୁଖ୍ୟାଳୟ ଓ ବଡ ସହରରେ ଆରମ୍ଭ ହେବାକୁ ରହିଥିବାବେଳେ ପରେ ପରେ ଏହା ବ୍ଲକ ମୁଖ୍ୟାଳୟରେ ପହଞ୍ଚିବ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।। ନଭେମ୍ବର ଶେଷ ସୁଦ୍ଧା ଅବିଭକ୍ତ କୋରାପୁଟ ଜିଲ୍ଲାରେ ପୂର୍ଣ୍ଣ ଭାବେ ୪ ଜି ସେବା ଆରମ୍ଭ ହେବ ବୋଲି କୁହାଯାଉଥିଲା ହେଲେ କେବେଳ କଥାରେ ରହିଛି ୪ ଜି ସେବା ଯୋଗାଣ ‌ବ୍ୟବସ୍ଥା। ତେବେ କୋରାପୁଟ ଜିଲ୍ଲାର କୋରାପୁଟ ଓ ଜୟପୁର ସହର, ନବରଙ୍ଗପୁର ଓ ରାଇଘର, ମାଲକାନଗିରି, ରାୟଗଡା, ଜେକେପୁର, ଗୁଣୁପରୁ ପାଇଁ ଆରମ୍ଭ ହେବ ୪ଜି ସେବା। ଏହାର ଦିନ କେଇଟା ପରେ ୪ ଜିଲ୍ଲାର ସବୁ ବ୍ଲକ ହେଡକ୍ବାଟରକୁ ଏହି ସେବା ଯିବ। ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସାରିଛି କୋରାପୁଟ ବିଏସଏନଏଲ ସର୍କଲ।

ଜୟପୁର ଓ କୋରାପୁଟ ସହ ସେମିଳିଗୁଡା, ଦାମନଯୋଡି, ବୋରିଗୁମ୍ମା ଓ ସୁନାବେଢାରେ ମଧ୍ୟ ୪ ସେବା ଆରମ୍ଭ ହେବ। ମୋଟ ୩୫୭ଟି ଟାୱାର ପ୍ରତିଷ୍ଠା ହେବାକୁ ରହିଥିବାବେଳେ କୋରାପୁଟ ଜିଲ୍ଲା‌ ୧୪୩ଟି ଓ ମାଲକାନଗିରି ଜିଲ୍ଲାରେ ୫୨, ରାୟଗଡା ଜିଲ୍ଳାରେ ୧୪୧, ନବରଙ୍ଗପୁର ଜିଲ୍ଲାରେ ୫ ଟାୱାର ପ୍ରତିଷ୍ଠା କରାଯିବ। ପୁରୁଣା ଟାୱାରକୁ ଅପଗ୍ର‌େଡ କରାଯାଇଥିବାବେଳେ ନୂଆ ଟାୱାର ପାଇଁ ଜମି ଜିହ୍ନଟ ଓ ଅଧିଗ୍ରହଣ ନେଇ ବହୁବିଧ ସମସ୍ୟା ରହିଛି। କେନ୍ଦ୍ର ଟେଲିକମ୍‌ ବିଭାଗ, ଓଡ଼ିଶା ବିଏସଏନଏଲ ଓ କୋରାପୁଟ ବିଏସଏନଏଲ ପକ୍ଷରୁ ବହୁ ଆଲୋଚନା ଜାରି ରହିଛି। ଘନ ଘନ ବୈଠକ ବସୁଥିବାବେଳେ ଟାୱାର ପ୍ରତିଷ୍ଠା ଓ ଅପଗ୍ରେଡ ପାଇଁ କିପରି ସମସ୍ୟା ନ ଆସେ ନେଇ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଅନ୍ୟ ସର୍ଭିସ ପ୍ର‌ୋଭାଇଡର ଚାର୍ଜ ବଢାଇ ଦେଇଥିବାରୁ ସେବା ପ୍ରଦାନକାରୀ ସଂସ୍ଥାରୁ ମୁହଁ ମୋଡି ବିଏସଏନଏନକୁ ପସନ୍ଦ କରୁଛନ୍ତି।

ଏବେ ଯାଏ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୮ଶହରୁ ଅଧିକ ଲୋକେ ବିଏସଏନଏଲକୁ ଫେରିଛନ୍ତି। ସବୁଠୁ ବଡ କଥା ହେଲା ଏହି ଯେଉଁ ଟାୱାର ବସିବ ସବୁ ଜାଗା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବାବେଳେ କିଛି ବେସରକାରୀ ସ୍ଥାନକୁ ଚିହ୍ନଟ କରାଯାଇ ଅଧିଗ୍ରହଣ କରାଯାଇଛି । ୧୦ବର୍ଷ ପାଇଁ ଜିଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ ରହିଥିବାବେଳେ ବିଦ୍ୟୁତ ସଂ‌ଯୋଗ କରାଯିବାକୁ ଯୋଜନା ରହିଥିବାବେଳେ ସବୁ ଖର୍ଚ୍ଚ ଜିଓ ବହନ କରିବ ବୋଲି ଜଣାପଡିଛି। ବିଏସଏନଏଲ ପକ୍ଷରୁ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଯୋଗାଣ ହେଉଛି। ପ୍ରତି ଗ୍ରାମ ପଞ୍ଚାୟତକୁ ହାଇସ୍ପିଡ ଇଣ୍ଟନନେଟ ଯୋଗାଣ ହେବାକୁ ଯୋଜନା ରହିଥିବାବେଳେ ଏଥିପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏବେ ଯାଏ କୋରାପୁଟ ଜିଲ୍ଲାରେ ୨୩୮ଟି ଜିପିରୁ ୧୮୫ଟି ଜିପିରେ ଇଣ୍ଟରନେଟ ସେବା ରହିଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ୧୮୯ରୁ ୧୮୭, ରାୟଗଡାରେ ୧୮୧ରୁ ୧୫୭, ମାଲକାନଗିରି ଜିଲ୍ଲାରେ ୧୧୫ରୁ ୪୧ଟିରେ ଏହି ସେବା ଯୋଗାଣ ହେବାକୁ ଯୋଜନା ରହିଛି। ଏନେଇ ବିଏସଏନଏଲର ସିଇଓ ପି.ଆର ଭୋଇ କହିଛନ୍ତି ଯେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବା ପରେ ଜାନୁଆରୀ ମଧ୍ୟ କିମ୍ବା ଶେଷରେ ୪ ଜି ସେବା ‌ଯୋଗାଇ ଦେବାକୁ ଆମେ ଚାହୁଁଥିଲୁ। କିନ୍ତୁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି, ଏହାପରେ ଅପଗ୍ରେଡ ସହ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ହେବାକୁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର