ଖେଳ ଖାଲି ଖେଳ ନୁହେଁ
ଅଭିରାମ ବିଶ୍ବାଳ
କ୍ରୀଡ଼ା ଜଗତ୍ର କିମ୍ବଦନ୍ତି ଧାବକ ମିଲ୍ଖା ସିଂହଙ୍କ ପାଇଁ ଦୌଡ଼ିବା ଉଡ଼ିବା ଭଳିଆ ଥିଲା। ତାଙ୍କର ସେ ଦଉଡ଼ା ପୁଣି ଖାଲି ଖେଳ ପଡ଼ିଆରେ ସୀମିତ ନଥିଲା; ବରଂ ତାହା ତାଙ୍କ ଜୀବନ ଇତିହାସର ପ୍ରବହମାନ ଜୈବିକ ଭାଗଟିଏ ମଧ୍ୟ ଥିଲା। ଦେଶ ବିଭାଜନକାଳୀନ ଦଂଗା, ହଣାକଟା, ପୋଡ଼ାଜଳା, ବିସ୍ଥାପନ, ବାସହୀନତା ଓ ଶରଣାର୍ଥୀ ଶିବିରରେ ରହଣି ଆଦି ସହ ଯୋଡ଼ା କାରୁଣ୍ୟ ତଥା ସଂଘର୍ଷ ପ୍ରକ୍ରିୟାରୁ ଛାଣି ହୋଇ ବାହାରିଥିଲେ ମିଲ୍ଖା। ତାଙ୍କ ଆଖି ଆଗରେ ତାଙ୍କ ବାପାଙ୍କୁ ଦଂଗାକାରୀ ହତ୍ୟା କରିଥିଲେ ଏବଂ ସେ ଭଳି ପରିସ୍ଥିତିରେ ନିଜ ପ୍ରାଣବାୟୁ ଉଡ଼ିଯିବା ପୂର୍ବରୁ ପିତା ପୁତ୍ର ମିଲ୍ଖାକୁ ତା’ ଜୀବନ ବଂଚେଇବା ପାଇଁ କହିଥିଲେ- ଭାଗ୍ ମିଲ୍ଖା ଭାଗ୍। ସେଠୁ ଦୌଡ଼ି ଦୌଡ଼ି ଆସି ମିଲ୍ଖା ପଶିଯାଇଥିଲେ ଟ୍ରେନ୍ଟିଏ ଭିତରକୁ। ଯେଉଁ ଡବା ଭିତରକୁ ସିଏ ପଶିଯାଇଥିଲେ ତାହା ଥିଲା ଏକ ମହିଳା ଡବା ଏବଂ ତାଙ୍କ କାକୁତିମିନତିରେ ତରଳି ଯାଇ ବୁର୍ଖାପିନ୍ଧା ବ୍ୟକ୍ତିଗଣ ତାଙ୍କୁ ସେ ଡବା ଭିତରେ ଅଭୟାଶ୍ରୟ ଦେଇଥିଲେ। ତାଙ୍କ ଜୀବନ ବଂଚିଗଲା। ସମୟ କ୍ରମେ ସିଏ ଦିଲ୍ଲୀରେ ଆସି ପହଞ୍ଚିଲେ। କେତେବେଳେ ରେଳଷ୍ଟେସନ ପ୍ଲାଟ୍ଫର୍ମରେ ତ ଆଉ କେତେବେଳେ ବିବାହିତା ଭଉଣୀ ଘରେ ମୁଣ୍ଡ ଗୁଞ୍ଜି ରହିଲେ। ସେ ଦୁଇଟି ଜାଗାରୁ ଯାଇ ରହିଲେ ପୁଣି ଆଉ ଦୁଇଟି ଜାଗାରେ- ପୁରାନା କିଲ୍ଲା ଶରଣାର୍ଥୀ ଶିବିରରେ ଓ ସାହାଦ୍ରା ପୁନଃବସତି କଲୋନିରେ। କୁସଂଗ ପ୍ରଭାବରେ ମିଲ୍ଖା ଛୋଟମୋଟ ଚୋରି କାର୍ଯ୍ୟରେ ଲିପ୍ତ ହୋଇଗଲେ। ଥରେ ବିନା ଟିକେଟ୍ରେ ଟ୍ରେନ୍ରେ ଗଲାବେଳେ ଦିଲ୍ଲୀର ଯମୁନା ପୋଲ ନିକଟରେ ପୁଲିସ୍ ହାତରେ ଧରାପଡ଼ି ଜେଲ୍ ଯିବାକୁ ପଡ଼ିଥିଲା ତାଙ୍କୁ। ନିଜ କାନଫୁଲ ବିକି ଜରିମାନା ଦେଇ ତାଙ୍କ ଭଉଣୀ ତାଙ୍କୁ ଜେଲ୍ରୁ ମୁକୁଳେଇଥିଲେ। ପେଟପାଟଣା ପାଇଁ ମିଲ୍ଖା ଜୋତା ପଲିସ୍, ସଫେଇ ଓ ରବର କଳରେ କାମ କରବାକୁ ବାଧ୍ୟ ହୋଇଥିଲେ। ଜଣେ ଆତ୍ମୀୟଙ୍କ ପରାମର୍ଶ କ୍ରମେ ସିଏ ସେନାରେ ଭର୍ତ୍ତି ହେବା ପାଇଁ ତିନି ଥର ଚେଷ୍ଟା କରି ବି ସଫଳ ହୋଇନଥିଲେ। ମଝିରେ ସିଏ ଏତେ ଅତିଷ୍ଠ ହୋଇଯାଇଥିଲେ ଯେ ଉପାଖ୍ୟାନ କହେ ସିଏ କୁଆଡ଼େ ଡାକୁଟିଏ ହୋଇଯିବା ପାଇଁ ଏକପ୍ରକାରେ ପାଞ୍ଚୁଥିଲେ! ଚତୁର୍ଥ ଥରର ଚେଷ୍ଟାରେ କିନ୍ତୁ ସିଏ ସଫଳ ହେଲେ ଓ ସେନାରେ ସାମିଲ ହେଲେ। ନିଜ ଜୀବନର ଅନେକ ଭୟଙ୍କର ଆହ୍ବାନ ସତ୍ତ୍ବେ ମିଲ୍ଖା ବଂଚିବା ଓ ସଫଳତା ସକାଶେ ଦୌଡ଼ିଚାଲିଲେ; ଖସି ପଳାଇ ଯାଉନଥିଲେ। ଗୀତିକାର ଓ ଚିତ୍ରନାଟ୍ୟ ଲେଖକ ପ୍ରସୂନ୍ ଯୋଷୀଙ୍କ ଭାଷାରେ ମିଲ୍ଖାଙ୍କ ଦୌଡ୍ନା (ଦଉଡ଼ିବା) ଭାଗ୍ଯାନା (ପଳାୟନପନ୍ଥୀ ହେବା) ନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ନିଜ ଝିଅ ସୋନିଆ ସନ୍ୱାଲ୍କାଙ୍କ ସହ ମିଶି ମିଲ୍ଖା ଲେଖିଥିବା ଆତ୍ମଜୀବନୀ ‘‘ଦି ରେସ୍ ଅଫ୍ ମାଇଁ ଲାଇଫ୍’’ (୨୦୧୩) ପଢ଼ିବା ଆଗରୁ ବା ନ ପଢ଼ି ଏବଂ ମିଲ୍ଖାଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘‘ଭାଗ୍ ମିଲ୍ଖା ଭାଗ୍’’ (ସେଇ ଏକା ମସିହା ୨୦୧୩) ଦେଖିବା ପୂର୍ବରୁ ବା ନ ଦେଖି ମଧ୍ୟ ସଭିଏଁ ମିଲ୍ଖା ସିଂହଙ୍କୁ ସ୍ବାଧୀନ ଭାରତବର୍ଷର ଦଉଡ଼ ଖେଳ ଜଗତ୍ର ପ୍ରଥମ ସୁପର୍ଷ୍ଟାର୍ ଭାବେ ଗ୍ରହଣ କରି ନେଇଥିଲେ। ଅବଶ୍ୟ ଟିକକ ଆଗରୁ ଉଲ୍ଲେଖ କରାଯାଇଥିବା ମନଛୁଆଁ ପୁସ୍ତକ ଖଣ୍ଡକ ଓ ଚମତ୍କାର ଚଳଚ୍ଚିତ୍ରଟି ମିଲ୍ଖାଙ୍କୁ ଆହୁରି ଅଧିକ ଭଲ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାରେ ସହାୟକ ହୋଇଥିଲା ଏବଂ ଜଣେ ଲୋକପ୍ରତିମାଙ୍କୁ ଧରି ରଖି ଫୁଟେଇବା ଦିଗରେ ଏକ ସାରସ୍ବତ ମାଧ୍ୟମ (ପୁସ୍ତକ) ଓ ଗୋଟିଏ ସୃଜନଶୀଳ ଅବଲମ୍ବନ (ଚଳଚ୍ଚିତ୍ର)ର ଦକ୍ଷତା ସାଂଗକୁ କ୍ଷମତାର ସୀମା ତଥା ସମ୍ଭାବନା ପରଖି ନେଇଥିଲା। ପୁସ୍ତକଟି ପଢ଼ିଲା ବେଳେ ଏବଂ ଚଳଚ୍ଚିତ୍ରଟି ଦେଖିବା ସମୟରେ ଅନେକ ନିଶ୍ଚୟ ଭାବିବାକୁ ପସନ୍ଦ କରିନଥିବେ ଯେ ହକିର ଯାଦୁକର ଧ୍ୟାନଚାନ୍ଦଙ୍କ ଭଳି ମିଲ୍ଖା ସିଂହ ମଧ୍ୟ ଭାରତ ରତ୍ନ ପାଇନଥିଲେ।
ଆଗରୁ ୧୯୭୭ ମସିହାରେ ପଞ୍ଜାବୀ ଭାଷାରେ ଅବଶ୍ୟ ମିଲ୍ଖା ସିଂହଙ୍କ ଆତ୍ମଜୀବନୀମୂଳକ ସ୍ମୃତିଲେଖ ବା ‘‘ମେମୋୟର୍’’ ‘‘ଫ୍ଲାଇଙ୍ଗ୍ ଶିଖ୍’’ ପ୍ରକାଶିତ ହୋଇଥିଲା। ସେଥିରେ ତାଙ୍କ ଦାରିଦ୍ର୍ୟ ପ୍ରପୀଡ଼ିତ ମୂଳ ପରିବାର, ଛେଉଣ୍ଡ ପିଲାଦିନ ଓ ବିଷାଦଭରା ଯୌବନ ଏମିତିଆ ଭାଷା ଆଉ ଶୈଳୀରେ ଲେଖାହୋଇଥିଲା ଯେ ଅନେକ ଧରିନେଇଥିଲେ ସେବେକାର ପଞ୍ଜାବରେ ଚହଳ ପକେଇଥିବା କବି ଓ କ୍ରାନ୍ତିକାରୀ ପାଶ୍ (ଅବତାର୍ ସିଂହ ସାନ୍ଧୁ)ଙ୍କର ସେ ପୁସ୍ତକ ଲିଖନ ପକ୍ରିୟାରେ ଅବଶ୍ୟ ଅବଦାନ ରହିଥିବ! ଏ ଭଳି ଧାରଣାର କିଛିଟା ଭିତ୍ତିଭୂମି ମଧ୍ୟ ଥିଲା। କାରଣ ପୁସ୍ତକଟି ପ୍ରକାଶିତ ହେବାର ଯଥେଷ୍ଟ ଆଗରୁ ପାଶ୍ ଓ ମିଲ୍ଖାଙ୍କର ଚଣ୍ଡୀଗଡ଼ର ପ୍ରସିଦ୍ଧ ସୁଖ୍ନା ହ୍ରଦ କୂଳରେ ଅନ୍ୟ କେତେକ ଶୁଭେଚ୍ଛୁଙ୍କ ମେଳରେ ବାରମ୍ବାର ଦେଖାହେଉଥିଲା! ପାବ୍ଲୋ ନେରୁଦା ଓ ଗାର୍ସିଆ ଲୋର୍କାଙ୍କ କେତେକ କବିତା ସହ ପାଶ୍ଙ୍କ କେତେକ କବିତା ତୁଳନୀୟ ବୋଲି ଧରାଯାଏ। କୁସ୍ତି, ଚଳଚ୍ଚିତ୍ର ଅଭିନୟ (ହନୁମାନ ଭୂମିକାଦି) ଓ ରାଜନୀତି (ରାଜ୍ୟସଭା ସଦସ୍ୟତା) ପାଇଁ ବେଶ୍ ଜଣାଶୁଣା ଦାରା ସିଂହଙ୍କ ଆତ୍ମଜୀବନୀ ଲେଖିବାରେ ବି ପାଶ୍୍ଙ୍କର ସହଯୋଗ ରହିଥିଲା ବୋଲି ପଢ଼ିବାକୁ ଓ ଶୁଣିବାକୁ ମିଳେ। ପାଶ୍ ଉଭୟ ଦମନ ଓ ସନ୍ତ୍ରାସର ବିରୋଧ କରୁଥିଲେ- ନିଜ ଲେଖାରେ, କାମରେ। ସନ୍ତ୍ରାସବାଦୀ ଗୁଳିରେ ସେ ଟଳିପଡ଼ିଲେ ୧୯୮୮ ମସିହାରେ। ମିଲ୍ଖା ବିଶ୍ବାସ କରୁଥିଲେ ଯେ ମଣିଷର ସ୍ବପ୍ନର କେବେ ମୃତୁ ନଥାଏ। ଆଉ ପାଶ୍ଙ୍କର ଶ୍ରେଷ୍ଠ କବିତା ବୋଲି କୁହାଯାଉଥିବା କବିତା- ‘‘ସବ୍ ତୋନ୍ ଖତର୍ ନାକ୍’’- ମଧ୍ୟ କହିଥିଲା ପ୍ରାୟ ସେୟା। ସବୁଠୁଁ ଭୟଙ୍କର, ବିପଦଜନକ ହେଉଛି ସ୍ବପ୍ନର ମୃତ୍ୟୁ; ସ୍ବପ୍ନକୁ ମରିବାକୁ ଦେବା।
ଭାରତୀୟ ସେନା ବାହିନୀରେ ଯୋଗଦାନ ମିଲ୍ଖାଙ୍କ ଜୀବନର ଗତିପଥ ବଦଳେଇ ଦେଲା। ସେଠୁ ସିଏ କଠିନ ପରିଶ୍ରମ ଓ କଠୋର ଅନୁଶାସନର ପ୍ରକୃତ ମୂଲ୍ୟ ବୁଝିଲେ ଓ ନିଜ ଦୈନନ୍ଦିନ ଜୀବନରେ ପ୍ରୟୋଗ କରି ଚାଲିଲେ। ସେନାର ଜଣେ ହିତାକାଂକ୍ଷୀ ତାଙ୍କଠି ଥିବା କ୍ରୀଡ଼ାବିତ୍ର ପ୍ରତିଭା ଠାବ କରି ତାଙ୍କୁ ସେନା ଆୟୋଜିତ (କ୍ରୀଡ଼ା) ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କଲେ। ବିଭିନ୍ନ ଦଉଡ଼ରେ ଅ˚ଶଗ୍ରହଣର ଅନ୍ୟ ଏକ ଆକର୍ଷଣ ଥିଲା ଗିଲାସେ ଅଧିକା କ୍ଷୀର ପିଇବାର ସୁଯୋଗ। କଥା ଖାଲି ଦୁଗ୍ଧ ପାନରେ ଅଟକି ଗଲାନି। ୧୯୫୬ ମସିହାର ମେଲ୍ବୋର୍ଣ୍ଣ ଅଲିମ୍ପିକ୍ସରେ ଭାଗ ନେବାକୁ ସିଏ ବଛା ହେଲେ। ସେଠି ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। କିନ୍ତୁ ୧୯୫୮ ମସିହା ତାଙ୍କୁ ସ୍ବର୍ଣ୍ଣ ପରେ ସ୍ବର୍ଣ୍ଣ ଆଣିଦେଲା। କଟକର ଜାତୀୟ କ୍ରୀଡ଼ାରେ, ଟୋକିଓର ଏସୀୟ କ୍ରୀଡ଼ାରେ ଓ ଇ˚ଲଣ୍ତର କାର୍ଡିଫ୍ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ। କଟକ ସଫଳତା ବାଦଦରେ ନିଜେ ନିଜକୁ ବିଶ୍ବାସ କରିପାରିଲେନି ମିଲ୍ଖା। ଆୟୋଜକଙ୍କୁ କହି ଫିତାରେ ପଡ଼ିଆ ଓ ଟ୍ରାକ୍ ମାପିଲା ପରେ ଆଶ୍ବସ୍ତ ହେଲେ। ୧୯୫୮ର ଏକାଧିକ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ପଣ୍ତିତ ନେହରୁ ତାଙ୍କୁ ତିନ୍ମୂର୍ତ୍ତି ଭବନର ଲନ୍ରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ, ତାଙ୍କ ଅନୁରୋଧ ଅନୁସାରେ ଦେଶରେ ଦିନକ ପାଇଁ ଛୁଟି ଘୋଷଣା କରିଥିଲେ। ସେଭଳି ପୃଷ୍ଠଭୂମିରେ ପୃଥିବୀର କ୍ରୀଡ଼ାଭିଜ୍ଞ ମହଲରେ ଗୁଞ୍ଜରଣ ଶୁଣାଗଲା- ଭାରତର ମିଲ୍ଖା ସି˚ହ ଆଗକୁ ନିଶ୍ଚୟ ଅଲିମ୍ପିକ୍ସରେ ଅତି ଭଲ ପ୍ରଦର୍ଶନ କରିବେ, ତାଙ୍କ ପାଇଁ ପଦକଟିଏ ଥୁୁଆ। ମେଲ୍ବୋର୍ଣ୍ଣର ତିକ୍ତ ଅନୁଭବ ପରେ ସିଏ ତାଲିମ ଓ ପ୍ରସ୍ତୁତି କ୍ଷେତ୍ରରେ ଏତେ ଡୁବିଗଲେ ଯେ ବେଳେବେଳେ ତାଙ୍କର ଚେତା ବୁଡ଼ିଯାଉଥିଲା ଏବ˚ ରକ୍ତ ବାନ୍ତି ହୋଇଯାଉଥିଲା। ‘ଭାଗ୍ ମିଲ୍ଖା ଭାଗ୍’ ଚଳଚ୍ଚିତ୍ରର ଗୋଟିଏ ଦୃଶ୍ୟ ଏଇଭଳି: ମିଲ୍ଖା ସି˚ହ ଏତେ କସରତ କରୁଛନ୍ତି ଯେ ତାଙ୍କ ଦେହରୁ ବାହାରୁଥିବା ଝାଳରେ ଗୋଟିଏ ବାଲ୍ତି ପୂରିଯାଉଛି।
ଜଣେ କ୍ରୀଡ଼ାବିତ୍ ସ୍ବର୍ଣ୍ଣ କିମ୍ବା ରୌପ୍ୟ ଅଥବା କା˚ସ ପଦକ ପାଇ ଚର୍ଚ୍ଚାକୁ ଆସନ୍ତି, ପରବର୍ତ୍ତୀ ସମୟରେ ସ୍ମୃତିରେ ରହନ୍ତି। କିନ୍ତୁ ୧୯୬୦ର ରୋମ୍ ଅଲିମ୍ପିକ୍ସର ୪୦୦ ମିଟର ଦଉଡ଼ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ପାଇ ମଧୢ ମିଲ୍ଖା ସଭିଁଙ୍କ ହୃଦୟ ଜିଣିପାରିଲେ। ଜିଣୁ ଜିଣୁ ହାରିଗଲେ ସିଏ ଦକ୍ଷିଣ ଆଫ୍ରିକାର ମାଲ୍କମ୍ ସ୍ପେନ୍ସଙ୍କ ଠାରୁ ଯାହାଙ୍କୁ ସିଏ କାର୍ଡିଫ୍ ଠାରେ ହରେଇଥିଲେ। ମିଲ୍ଖା ମନେ ରହିଲେ କାରଣ ତାଙ୍କ ଦଉଡ଼ା ସହ ସବୁବେଳେ ଗୁନ୍ଥି ହୋଇଥିଲା ତାଙ୍କ ଦୃଢ଼ ସ˚କଳ୍ପ, ଇଚ୍ଛାଶକ୍ତି, ପ୍ରଚଣ୍ତ ପରିଶ୍ରମ ଓ ଜୀବନୀ। ସେଇ ୧୯୬୦ରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଥିଲା। ରୋମ୍ରେ ଯେଉଁଠି ମିଲ୍ଖା ରହୁଥିଲେ ସେଠାରୁ ଅଳ୍ପ ଦୂରରେ ଅଲିମ୍ପିକ୍ସରେ ଭାଗ ନେଇ ମହମ୍ମଦ ଅଲ୍ଲୀ ବକ୍ସି˚ରେ ସ୍ବର୍ଣ୍ଣ ଜିଣୁଥାନ୍ତି। ଆଉ ପ୍ରାୟ ୧୪୦୦ କି.ମି ଦୂରରେ ପ୍ରଥମ ଥର ପାଇଁ ରାମନାଥନ୍ କୃଷ୍ଣନ୍ ଉଇମ୍ବିଲ୍ଡନ୍ ସେମିଫାଇନାଲରେ ପ୍ରବେଶ କରୁଥାନ୍ତି। ଏ ତିନିହେଁ ଥିଲେ ଭିନ୍ନ ଏକ ସମୟର ଖେଳାଳି। ୧୯୬୦ର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦଉଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଲାହୋରରେ। ସେଠି ମିଲ୍ଖା ଏସିଆର ଆଉ ଜଣେ ପ୍ରସିଦ୍ଧ ଦ୍ରୁତ ଧାବକ ପାକିସ୍ତାନର ଅବଦୁଲ ଖାଲିକ୍ଙ୍କୁ ହରେଇଥିଲେ, ସ୍ବର୍ଣ୍ଣ ହାସଲ କରିଥିଲେ। ସେ ଅବସରରେ ଉପସ୍ଥିତ ଥିବା ପାକିସ୍ତାନର ରାଷ୍ଟ୍ରପତି ଜେନେରାଲ ଆୟୁବ୍ ଖାଁ କହିଥିଲେ- ‘ମିଲ୍ଖାଜୀ, ଆପଣ ଆଜି ଖାଲି ଦୌଡୁନଥିଲେ, ଆପଣ ସତରେ ଉଡୁଥିଲେ।’ ସେଇଠୁ ଆରମ୍ଭ ‘ଫ୍ଲାଇଙ୍ଗ ଶିଖ୍’ ସମ୍ବୋଧନ। ପୁଣି ଥରେ ରୋମ୍ ପ୍ରସଙ୍ଗକୁ ଫେରିବା। ଯଥାର୍ଥରେ କୁହାଯାଏ- ରୋମ୍ରେ ମିଲ୍ଖାଙ୍କୁ କେଉଁ ସ୍ଥାନ ମିଳିଲା ତାହା ବଡ଼ କଥା ନୁହେଁ; ବଡ଼ କଥା ହେଲା, କେଉଁ ସ୍ଥାନରୁ ଓ କେଉଁ ବାଟ ଦେଇ ଦୌଡ଼ି ଦୌଡ଼ି କେମିତି ସିଏ ରୋମ୍ରେ ପହଞ୍ଚିପାରିଥିଲେ।
ଅଭିନେତା ଫର୍ହନ୍ ଅଖ୍ତାର୍ (ଯିଏ କି ମିଲ୍ଖା ସି˚ହ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ) ଥିଲେ ମିଲ୍ଖା ସି˚ହଙ୍କର ବଡ଼ ପ୍ରଶ˚ସକ। ମିଲ୍ଖାଙ୍କ ବ୍ୟକ୍ତିତ୍ବର ଦୁଇଟି ବିଭବ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଦ୍ବେଷର ଅନୁପସ୍ଥିତି ଓ କୁଭାବନାହୀନତା। ‘ଭାଗ୍ ମିଲ୍ଖା ଭାଗ୍’ ଚଳଚ୍ଚିତ୍ରରେ ଅବଦୁଲ୍ ଖାଲିକ୍ଙ୍କ ଚିତ୍ରଣ ସ˚ପର୍କରେ ମିଲ୍ଖା ଖାଲିକଙ୍କ ପୁଅଙ୍କ ଅନୁମତି ଲୋଡ଼ିବା ପାଇଁ ଯୋଗାଯୋଗ କଲାବେଳେ ଅବଦୁଲ୍ଙ୍କ ପୁତ୍ର ମିଲ୍ଖାଙ୍କୁ କହିଥିଲେ- ସାର୍, ଆପଣଙ୍କ ଭଳି ମୋ ବାପା ମଧୢ ଅତି ଗରିବ ପରିବାରରୁ ଉଠି ବିଶ୍ବସ୍ତରୀୟ କ୍ରୀଡ଼ାବିତ୍ ହୋଇପାରିଥିଲେ। ୧୯୫୬ର ମେଲ୍ବୋର୍ଣ୍ଣ ଅଲିମ୍ପିକ୍ସରେ ବି ଭାଗ ନେଇଥିଲେ, ସେନାରେ ସାମିଲ ହୋଇଥିଲେ। ଉତ୍ତରରେ ମିଲ୍ଖା କହିଥିଲେ- ‘‘ପୁତ୍ ତେରା ବାପୁ ବୋହତ୍ ବଡ଼ା ଆଥଲେଟ୍ ଥା’’। ନିଜ ପ୍ରତିଦ୍ବନ୍ଦ୍ବୀଙ୍କ ପ୍ରତି ମିଲ୍ଖାଙ୍କ ଆଭିମୁଖ୍ୟରୁ ମିଲ୍ଖାଙ୍କ ଖେଳୁଆଡ଼ସୁଲଭ ମହନୀୟତା ଓ ମହାନତା ସ୍ପଷ୍ଟ ଜଣାପଡ଼େ। ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧରେ ଭାଗ ନେଇଥିବା ଅବଦୁଲ ଖାଲିକ୍ ଯୁଦ୍ଧବନ୍ଦୀ ଭାବେ ଥିଲେ ମିରଟ୍ ଜେଲ୍ରେ। ଖୋଦ୍ ମିଲ୍ଖା ମିରଟ୍ ଯାଇ ଜେଲ୍ କର୍ତ୍ତୃପକ୍ଷଙ୍କୁ ଭେଟି ଖାଲିକ୍ଙ୍କ ଭଲମନ୍ଦ ବୁଝିଥିଲେ। ତାଙ୍କର ଯତ୍ନ ସ୍ବତନ୍ତ୍ର ଭାବେ ନେବା ପାଇଁ ଅନୁରୋଧ ଜଣାଇଥିଲେ। ଏକାଧିକ କାରଣରୁ ନିଜେ ଡାକୁ ହେବାରୁ (!) ବର୍ତ୍ତି ଯାଇଥିଲେ ମିଲ୍ଖା ସି˚ହ। କିନ୍ତୁ ତାଙ୍କର ଜଣେ ସମସାମୟିକ, ଭାରତୀୟ ସେନାର ସଦସ୍ୟ, ସାତ ଥର ଜାତୀୟ ଷ୍ଟିପିଲଚେଜ୍ ଚମ୍ପିଆନ୍ ଓ ୧୯୫୮ରେ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ପାନ୍ ସି˚ ତୋମାର୍ ସେନାରୁ ଅବସର ନେବା ପରେ ପାରିବାରିକ ଜମିବାଡ଼ି ବିବାଦ କାରଣରୁ ଚମ୍ବଲରେ ଡାକୁ ହୋଇଯାଇଥିଲେ। ସେଇ ତୋମାର୍ଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ଯେଉଁଥିରେ ଇର୍ଫାନ୍ ଖାଁ ଅତି ପ୍ରଭାବଶାଳୀ ଅଭିନୟ କରିଥିଲେ।
ଖେଳପଡ଼ିଆକୁ ମିଲ୍ଖା ଭଗବାନ, ଧର୍ମ ଓ ପ୍ରେୟସୀ ବିବେଚନା କରୁଥିଲେ ଏବ˚ ପତ୍ନୀ ନିର୍ମଲ ଥିଲେ ତାଙ୍କ ପାଇଁ ଶ୍ରେଷ୍ଠ ଟ୍ରଫି। ପୁତ୍ର ଜିଭ୍ ମିଲ୍ଖା ସି˚ହ- ଯିଏ କି ଜଣେ ବିଶିଷ୍ଟ ଗଲ୍ଫ ଖେଳାଳିଙ୍କ ଦୃଷ୍ଟିରେ ତାଙ୍କ ବାପା ଥିଲେ ତାଙ୍କର ବଡ଼ ମିତ୍ର ଯାହାଙ୍କ ଅଭିଧାନରେ ଅସମ୍ଭବ ନାମକ ଶବ୍ଦ ପାଇଁ ଜାଗା ନ ଥିଲା। ମିଲ୍ଖା ସବୁବେଳେ ଏଇ ଉଦ୍ଧୃତିର ଉଲ୍ଲେଖ କରୁଥିଲେ- ‘‘ମିଟା ଦେ ଅପ୍ନି ହସ୍ତି କୋଇ ମରତ୍ବା ଚାହେ; କିନା ଦାନା ଖାକ୍ ମେଁ ମିଲ୍ କର୍ ଗୁଲ୍-ଇ ଗୁଲ୍ଜାର୍ ହୋତା ହେ।’’ (‘‘ଶୀର୍ଷରେ ପହଞ୍ଚିବାର ଥିଲେ ନିଜ ଅସ୍ତିତ୍ବକୁ ବିଲୀନ କରିଦିଅ ଯେମିତି ଫୁଲଟିଏ ଭାବେ ଫୁଟିବାକୁ ଚାହୁଁଥିବା ବୀଜ ପ୍ରଥମେ ଧୂଳିରେ ମିଳେଇ ଯାଇ ଚାରା ହୋଇଥାଏ।
ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୯୪୩୭୩୦୭୦୭୯