ବଣିଜ ବିଚାର: ରାଜ୍ୟରେ କୃଷିଭିତ୍ତିକ ଶିଳ୍ପର ସ୍ବାସ୍ଥ୍ୟ

ପୂର୍ଣ୍ଣେନ୍ଦୁ କର

ନିକଟ ଅତୀତରେ ବରଗଡ଼ ତଥା ଅନ୍ୟ କେତେକ ଜିଲ୍ଲାର ଚାଷୀମାନେ ବଜାରରେ କୋବି ବିକ୍ରି କରି ନ ପାରି ନିଜ କୋବି ଫସଲ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ। ସେହିପରି ଚାଷୀମାନେ ଟମାଟୋ ବିକି ଚାଷ ଲାଗି କରିଥିବା ଖର୍ଚ୍ଚ ଉଠା‌ଇ ପାରି ନ ଥିବାରୁ ରାସ୍ତାରେ ଟମାଟୋ ଫୋପାଡ଼ି ଦେଇଥିଲେ। ଏକ ବିଡ଼ମ୍ବନା ହେଲା ଏହାର ଏକ ବଡ଼ କାରଣ ହେଉଛି ‘ବଂପର୍‌’ ଅମଳ, ଯାହା ଅନେକଙ୍କୁ ବିସ୍ମିତ କରିପାରେ। କଥା ହେଲା, ଦେଶ ସ୍ୱାଧୀନ ହେବା ପର ଠାରୁ ଚାଷୀଙ୍କ ଆୟରେ ବୃଦ୍ଧି ଦିଗରେ ଜାତୀୟ ତଥା ରାଜ୍ୟ ସ୍ତରରେ ହେଉଥିବା ଯୋଜନାଗୁଡ଼ିକ ମୁଖ୍ୟତଃ କୃଷି ଉତ୍ପାଦନରେ ବୃଦ୍ଧି, ଚାଷୀଙ୍କୁ ବିଭିନ୍ନ ପ୍ରକାର ସବସିଡି ପ୍ରଦାନ ଏବଂ ଏମ୍‌.ଏସ୍‌.ପି. ବା ‘ସର୍ବନିମ୍ନ ସହାୟକ ଦର’ରେ ବୃଦ୍ଧି ଉପରେ ଆଧାରିତ ହୋଇ ରହିଛି। ଏହା ସତ୍ତ୍ୱେ ଦେଶର ପାଖାପାଖି ୮୨% ଚାଷୀଙ୍କ ପାଖରେ ସେମାନଙ୍କ ଉତ୍ପାଦ ଲାଗି ମୂଲଚାଲ କରିବାର କ୍ଷମତା (ବାର୍ଗେନିଙ୍ଗ ପାୱାର) ନାହିଁ। ସ୍ୱାଧୀନତା ପର ଠାରୁ ଆଜି ସୁଦ୍ଧା କୃଷି ଉତ୍ପାଦନରେ ୪ ଗୁଣ ବୃଦ୍ଧି ଘଟିଛି ସତ, କିନ୍ତୁ ଚାଷୀଙ୍କ ଆୟ ସେହି ତୁଳନାରେ ବଢ଼ି ପାରିନାହିଁ, ବରଂ ଅନେକ ଚାଷୀ କ୍ଷତି ସହୁଛନ୍ତି। ସୁତରାଂ, ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ସେମାନଙ୍କ ମୂଲଚାଲ କରିବାର କ୍ଷମତାରେ ସୁଧାର ଆଣିବା ସକାଶେ କୃଷି-ଭିତ୍ତିକ ଉଦ୍ୟୋଗ (ଏଗ୍ରୋ ଫୁଡ ପ୍ରୋସେସିଂ ଇଣ୍ଡଷ୍ଟ୍ରି) ତଥା ତଜ୍ଜନିତ ବାଣିଜ୍ୟ ଯେ ଅତି ଗୁରୁତ୍ତ୍ୱପୂର୍ଣ୍ଣ ହୁଅନ୍ତା, ସେଥିରେ ଦ୍ବିରୁକ୍ତି ନାହିଁ।

କୃଷି ଭିତ୍ତିକ ଉଦ୍ୟୋଗ କ୍ଷେତ୍ରରେ ଉଦ୍ୟୋଗୀମାନେ ଅମଳ ପୂର୍ବରୁ ଚାଷୀ ଠାରୁ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ କୃଷି ଉତ୍ପାଦ କିଣିବା, ଚାଷୀଙ୍କୁ ଉନ୍ନତ ଧରଣର ଓ ଆଧୁନିକ ପ୍ରଣାଳୀରେ ଚାଷ କରିବାକୁ ପ୍ରୋତ୍ସାହନ ଦେବା, ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ ବୀମା ଜନିତ ସୁରକ୍ଷା ପ୍ରଦାନ କରିବା ଏବଂ ନଗଦ ଟଙ୍କା ଦେଇ କୃଷି ଉତ୍ପାଦ କିଣିବା ସହ ସେଇ ଅଂଚଳରେ ଶୀତଳ ଭଣ୍ଡାର ବ୍ୟବସ୍ଥା ଯୋଗାଇ ଦେବା ଇତ୍ୟାଦି ଭଳି ଅନେକ ସୁବିଧାର ସୂତ୍ରପାତ ଘଟିଥାଏ। ବିଗତ ୫ ବର୍ଷରେ ଜାତୀୟ ସ୍ତରରେ କୃଷି ଭିତ୍ତିକ ଉଦ୍ୟୋଗରେ ବାର୍ଷିକ ୮.୩% ହାରରେ ବୃଦ୍ଧି ଘଟିଛି ଏବଂ ଆଗାମୀ ୫ ବର୍ଷରେ ଏହା ୪୭% ହାରରେ ପହଞ୍ଚିବ ବୋଲି ବିଶେଷଜ୍ଞମାନଙ୍କ ମତ। ନିକଟ ଅତୀତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ କୃଷି ଭିତ୍ତିକ ଉଦ୍ୟୋଗମାନଙ୍କର ନଗଦ ଲାଭ ଗଲା ୧୦ ବର୍ଷରେ ୧୦%ରୁ ୧୯% ଭିତରେ ହେଉଛି, ଯାହା ଲାଭଦାୟକ। ଅନେକ ରାଜ୍ୟ, ବିଶେଷ କରି ଆମ ପଡ଼ୋଶୀ ରାଜ୍ୟଗୁଡ଼ିକ ଏ ଦିଗରେ ଅଧିକ ଯତ୍ନଶୀଳ ହୋଇଥିବା ଦେଖିବାକୁ ମିଳୁଛି। ଏବଂ ଏହି କାରଣରୁ ଆମ ରାଜ୍ୟର କେତେକ ତୁଙ୍ଗ ଉଦ୍ୟୋଗୀ ପଡ଼ୋଶୀ ରାଜ୍ୟ ଆଡ଼କୁ ମୁହାଁଇବାକୁ ବାହାରିଲେଣି। ଆମ ରାଜ୍ୟରେ କୃଷି ଭିତ୍ତିକ ଉଦ୍ୟୋଗର ବିକାଶ ପାଇଁ ଭରପୂର ସୁଯୋଗ ମଧ୍ୟ ରହିଛି। କିନ୍ତୁ ଏ ଦିଗରେ ରାଜ୍ୟ ସରକାରଙ୍କର ବିଶେଷ ତତ୍ପରତା ପରିଲକ୍ଷିତ ହୋଇ ନ ଥାଏ।

ସରକାରୀ ତଥ୍ୟ ଅନୁସାରେ ଦେଶରେ ଏ ଯାବତ୍‌ ୨୫ ଲକ୍ଷ ଉଭୟ ପଞ୍ଜିକୃତ ଓ ଅଣପଞ୍ଜିକୃତ କୃଷି ଭିତ୍ତିକ ଶିଳ୍ପ ୟୁନିଟ୍‌ ରହିଛି। ତହିଁରୁ ଓଡ଼ିଶାରେ ଏଭଳି ୟୁନିଟ୍‌ର ସଂଖ୍ୟା ୭୮,୯୯୨; ଅଥଚ ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଏହି ସଂଖ୍ୟା ୩,୨୪,୬୫୭, ବିହାରରେ ୧,୪୬,୧୯୬, ଝାଡ଼ଖଣ୍ଡରେ ୧,୧୬,୭୭୩ ଏବଂ ଅବିଭକ୍ତ ଆନ୍ଧ୍ରରେ ୨,୪୪,୪୪୮। ପୁଣି ଚାଷ ଜମି ଓ ଅମଳ ଅନୁସାରେ ଆମ ରାଜ୍ୟରେ ଯେଉଁଠି ଅଧିକା ଉଦ୍ୟୋଗ ରହିବା କଥା ତାହା ନାହିଁ, ବରଂ ସ୍ଥଳ ବିଶେଷରେ ସ୍ଥିତି ଓଲଟା। ପ୍ରକାଶ ଥାଉ କି ଆମ ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏହି ଉଦ୍ୟୋଗର ସଂଖ୍ୟା ବିଗତ ମାତ୍ର କିଛି ବର୍ଷରେ ବଢ଼ିଛି। କିନ୍ତୁ ଓଡ଼ିଶାରେ ସ୍ଥିତି ନୈରାଶ୍ୟଜନକ। ‘ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରାଳୟ’ର ବାର୍ଷିକ ବିବରଣୀର ତଥ୍ୟ ଅନୁସାରେ ୨୦୧୪-୧୫ ସର୍ଭେ କହିଥିଲା ଯେ ଛତିଶଗଡ଼ରେ ଉଭୟ ପଞ୍ଜିକୃତ ଓ ଅଣ-ପଞ୍ଜିକୃତ ସମୁଦାୟ ୨୦,୯୫୭ଟି ୟୁନିଟ୍‌ ଥିଲା ବେଳେ ବିଗତ ୫ ବର୍ଷରେ ବୃଦ୍ଧିର ହାର ହେଉଛି ୩୭%। ସେହି ସର୍ଭେ ଅନୁସାରେ ପଶ୍ଚିମବଙ୍ଗରେ ସେତେବେଳକୁ ୧,୯୭,୫୮୧ଟି ୟୁନିଟ ଥିଲା, ଯହିଁରେ ବିଗତ ୫ ବର୍ଷରେ ବୃଦ୍ଧିର ହାର ୬୪%। ୨୦୧୪-୧୫ ବେଳକୁ ବିହାରରେ ୧,୨୫,୫୨୮ଟି ୟୁନିଟ୍‌ ଥିଲା ଯେଉଁଥିରେ ବିଗତ ୫ ବର୍ଷର ବୃଦ୍ଧିର ହାର ୧୬%। ପ୍ରକାଶ ଥାଉ କି ଏହି ସବୁ ରାଜ୍ୟରେ ଏଭଳି ବୃଦ୍ଧି ବଳବତ୍ତର ରହିଛି। ଏହି କାରଣରୁ ସେ ସବୁ ରାଜ୍ୟର ଚାଷୀଙ୍କ ମୂଲଚାଲ କରିବାର କ୍ଷମତାରେ ବୃଦ୍ଧି ହୋଇଛି। ଏବେ ଓଡ଼ିଶା ଉପରେ ଦୃଷ୍ଟି ପକାଇବା। ସେହି ୨୦୧୪-୧୫ ସର୍ଭେର ତଥ୍ୟାନୁସାରେ ଆମ ରାଜ୍ୟରେ ଉଭୟ ପଞ୍ଜିକୃତ ଓ ଅଣପଞ୍ଜିକୃତ ୧,୨୭,୫୩୬ଟି ୟୁନିଟ୍‌ ଥିଲେ। ନିକଟରେ ହୋଇଥିବା ସର୍ଭେ ମୁତାବକ ଏହି ସଂଖ୍ୟା ଏବେ ୭୭,୯୯୨ ଯାହାର ଅର୍ଥ ସଂଖ୍ୟାରେ ହ୍ରାସ ଘଟିଛି।

ଏଇ ସନ୍ଦର୍ଭରେ ଏବେ ରାଜ୍ୟର ଅନ୍ୟ ଏକ ଦିଗ ଉପରେ ନଜର ପକାଇବା‌। ଓଡ଼ିଶା ଟମାଟୋ ଉତ୍ପାଦନରେ ଦେଶରେ ପଞ୍ଚମ ବୃହତ୍ତମ ରାଜ୍ୟ। କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଢେଙ୍କାନାଳ ଏବଂ ବଲାଙ୍ଗୀର ଜିଲ୍ଲା ଟମାଟୋ ଉତ୍ପାଦନରେ ଅଗ୍ରଣୀ। କିନ୍ତୁ ଓଡ଼ିଶାରେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ପ୍ରତ୍ୟେକ ବର୍ଷ ଅମଳ ପରେ ହାରାହାରି ୧୩.୧୯% ଟମାଟୋ ନଷ୍ଟ ହେଉଛି। ‘ନାବାର୍ଡ’ର ଗବେଷଣା ସଂସ୍ଥା ‘ନାବକନ୍‌ସ’ ଦ୍ୱାରା ୨୦୨୨ରେ ପ୍ରକାଶିତ ଏକ ବିବରଣୀ ମୁତାବକ ଓଡ଼ିଶାରେ ସମୁଦ୍ର ମାଛ, କାବୁଲି ଚଣା, କୋବି, ଛତୁ, ଟମାଟୋ, ଭେଣ୍ଡି, ଏବଂ ଲାଉ ଚାଷରେ ଅମଳ ପରବର୍ତ୍ତୀ କ୍ଷତି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସର୍ବାଧିକ। ଏହି ସବୁ ଦ୍ରବ୍ୟର ଅମଳକୁ ଭିତ୍ତି କରି ରାଜ୍ୟରେ ଅନେକ ପ୍ରକାରର ଉଦ୍ୟୋଗ ହୋଇପାରନ୍ତା। ଏଭଳି ସ୍ଥଳେ ରାଜ୍ୟ ସରକାରଙ୍କ ନିଜସ୍ବ ଉଦ୍ୟମ ନୈରାଶ୍ୟଜନକ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଯୋଜନାର ଫାଇଦା ନେବା ଦିଗରେ ମଧ୍ୟ ରାଜ୍ୟ ସରକାର ଯତ୍ନଶୀଳ ଥିଲା ପରି ମନେ ହୁଏ ନାହିଁ। କୃଷି ଭିତ୍ତିକ ଉଦ୍ୟୋଗ ବିକାଶକୁ ଭିତ୍ତି କରି କେନ୍ଦ୍ର ସରକାର ବିଗତ ୫ ବର୍ଷରେ କରିଥିବା ଅନେକ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ କିସାନ ସମ୍ପଦ ଯୋଜନା, ‘ପି.ଏଲ.ଆଇ.ଏସ.ଏଫ.ପି.ଆଇ.’ ଏବଂ ‘ପି.ଏମ୍.ଏଫ.ଏମ୍.ଇ.’ ଭଳି ଯୋଜନା ଅନ୍ୟତମ। ଏଇ ସବୁ ଯୋଜନାରେ ଥିବା ଅନେକ ଉପାୟ ମଧ୍ୟରୁ ‘ୱାନ ଡିସଟ୍ରିକ୍ଟ ୱାନ ପ୍ରଡକ୍ଟ’ ଅର୍ଥାତ୍‌ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ହେଉଛି ଏକ ସୁଚିନ୍ତିତ ଉପାୟ। ଏହା ମୁତାବକ ପ୍ରତ୍ୟେକ ରାଜ୍ୟ ନିଜର ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଗୋଟିଏ ଦ୍ରବ୍ୟ ବାଛି କେନ୍ଦ୍ରକୁ ତାହାର ତାଲିକା ଦେଇଥାଆନ୍ତି ଏବଂ କେନ୍ଦ୍ର ସରକାର ସେଇ ଅଞ୍ଚଳରେ ସେଇ ଦ୍ରବ୍ୟ ଆଧାରରେ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରାଧାନ୍ୟ ଓ ଆର୍ଥିକ ସାହାଯ୍ୟ ଦିଅନ୍ତି। ୨୧ ଜୁଲାଇ, ୨୦୨୨ରେ ଦେଶର ସମୁଦାୟ ୭୧୩ଟି ଜିଲ୍ଲାର ବିଭିନ୍ନ ଦ୍ରବ୍ୟକୁ ଚିହ୍ନଟ କରାଯାଇ ଏକ ତାଲିକା ପ୍ରକାଶିତ ହୋଇଛି। ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲା ସାମିଲ ଅଛନ୍ତି। ତେବେ, ଏହି ତାଲିକାରେ ମୁଖ୍ୟତଃ ତେନ୍ତୁଳି, ମାଛ, କ୍ଷୀର, ଡାଲି, ଅଦା, ହଳଦୀ, ଲଙ୍କା, ଆମ୍ବ, ଛତୁ, ମହୁ ଇତ୍ୟାଦି ଉପରେ ପ୍ରାଧାନ୍ୟ ଦିଆଯାଇଛି। ଉପରୋକ୍ତ ତାଲିକାରେ ଟମାଟୋ, ଚଣା ଓ କୋବିକୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଏହା ଫଳରେ ରାଜ୍ୟରେ ଟମାଟୋ ‘ସସ୍‌’ ବା ‘କେଚ୍‌ଅପ୍‌’ ବା ପାମ୍ପଡ଼ ଇତ୍ୟାଦି ଉଦ୍ୟୋଗ ବସାଇବାର ସୁଯୋଗ ହାତଛଡ଼ା ହୋଇଛି।

ଏଭଳି ପରିସ୍ଥିତିରେ ଆମ ରାଜ୍ୟର ତୁଙ୍ଗ ଉଦ୍ୟୋଗୀ ଅନ୍ୟ ରାଜ୍ୟ ଆଡ଼କୁ ମୁହାଁଉଛନ୍ତି। ଏହା ପରିତାପର ବିଷୟ। ଉଦାହରଣ ସ୍ବରୂପ ଗୁଜୁରାଟରେ ଏକ ବିଶେଷ କିସମର ଆଳୁ ଉତ୍ପାଦନ ହୁଏ, ଯାହା ‘ଚିପ୍‌ସ’ ବା ‘ଫ୍ରେଞ୍ଚ ଫ୍ରାଇସ୍‌’ ଇତ୍ୟାଦି ପାଇଁ ଉତ୍କୃଷ୍ଟ। ଏଇ ବିଶେଷ କିସମର ଆଳୁ ଲେଡି ରୋସେଟା, ଟରସ, ସାନ୍ତାନା ଏବଂ ହର୍ମେସ ଇତ୍ୟାଦି ନାମରେ ଜଣାଶୁଣା। ଏହାର ଉତ୍ପାଦନ ପାଇଁ ଉତ୍ତର-ଗୁଜୁରାଟର ମେହେସାନା ଜିଲ୍ଲା ବିଖ୍ୟାତ। ପୃଥିବୀର ସ୍ବନାମଧନ୍ୟ କାନାଡାର “ମ୍ୟାକକେନ ଫୁଡ୍‌ସ” କମ୍ପାନି ଏଇ ଅଂଚଳର ଚାଷୀଙ୍କ ଠାରୁ ‘ଚୁକ୍ତି ଭିତ୍ତିକ ଚାଷ’ ବ୍ୟବସ୍ଥାରେ ଆଳୁ କିଣି ୧୯୯୮ ମସିହାରୁ ମେହେସାନା ଜିଲ୍ଲାରେ କାରଖାନା ବସାଇ ସମଗ୍ର ଭାରତରେ ଚମତ୍କାର ବେପାର କରି ଆସୁଛି। କମ୍ପାନିର ବାର୍ଷିକ ବିବରଣୀର ତଥ୍ୟ ଅନୁସାରେ ୨୦୨୦ ମସିହାରେ ତାହାର ଆୟ ୩,୧୬୨ କୋଟି ଟଙ୍କା ଥିଲା ଯାହା ୨୦୨୨ ସୁଦ୍ଧା ବୃଦ୍ଧି ପାଇ ୪,୦୪୭ କୋଟି ଟଙ୍କାରେ ପହଞ୍ଚିଛି। ଏବେ ମେହେସାନା ଜିଲ୍ଲାରେ ଏମିତି ଅନେକ କମ୍ପାନି କାରଖାନା ବସାଇ ସମଗ୍ର ଦେଶରେ ଲାଭଜନକ ବ୍ୟବସାୟ କରୁଛନ୍ତି; ଯହିଁରୁ ଆସନଦାସ ଏଣ୍ଡ ସନ୍‌ସ, କେଭେଣ୍ଟର ଆଗ୍ରୋ ଲିମିଟେଡ୍‌, ଇସ୍କନ ବାଲାଜୀ ଫୁଡ୍‌ସ ଆଦି ଅନ୍ୟତମ। ଏମାନଙ୍କର ବ୍ୟବସାୟ ହାରାହାରି ୨୦%-୨୫% ହାରରେ ବୃଦ୍ଧି ପାଉଛି। ଏହା ଦ୍ବାରା ଚାଷୀଙ୍କ ଆୟ ବୃଦ୍ଧି ପାଇବା ସହିତ ସୁରକ୍ଷିତ ହୋଇଛି। ଏହା ସହିତ ସ୍ଥାନୀୟ ଲୋକେ ମଧ୍ୟ ରୋଜଗାର ପାଇଛନ୍ତି। ତେବେ କଥା ହେଲା, ଓଡ଼ିଶାର ପ୍ରସିଦ୍ଧ ଉଦ୍ୟୋଗ ଫାଲକନ ଗ୍ରୁପ୍‌ ସେଇ ଅଂଚଳରେ ଅଳୁ ପ୍ରକ୍ରିୟାକରଣକୁ ପ୍ରାଧାନ୍ୟ ଦେଇ ପାଖାପାଖି ୪୦୦ କୋଟି ଟଙ୍କାର ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏଇ ପ୍ରକଳ୍ପ ଗୁଜରାଟର ୫୦୦ ଆଳୁ ଚାଷୀଙ୍କୁ ‘ଚୁକ୍ତି ଭିତ୍ତିକ କୃଷି’ ଜରିଆରେ ରୋଜଗାର ଯୋଗାଇବା ସହ ୪୦୦ ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି କରିବ ବୋଲି କୁହାଯାଉଛି। ଏହା ଆମ ଲାଗି ଗୌରବର ବିଷୟ, କିନ୍ତୁ ଏଭଳି ଉଦ୍ୟୋଗର ଲାଭ ଆମ ରାଜ୍ୟ ମଧ୍ୟ ପାଇବା‌ ଉଚିତ। ଆମ ରାଜ୍ୟରେ କଟକ, କୋରାପୁଟ, ପୁରୀ ଜିଲ୍ଲା ଆଳୁ ଚାଷ ପାଇଁ ଅନୁକୂଳ। ଏହାର ଲାଭ ସରକାର ଉଠାଇ ପାରନ୍ତେ। କିନ୍ତୁ ଆମ ରାଜ୍ୟର ‘ଆଳୁ ମିସନ’ ବିଫଳ ହୋଇଛି। ଅପର ପକ୍ଷରେ ଜୁଲାଇ ୨୦୨୩ରେ ଲୋକସଭାର ପ୍ରଶ୍ନୋତ୍ତର କାଳରେ ମିଳିଥିବା ତଥ୍ୟ ଅନୁସାରେ ବିଗତ ୩ ବର୍ଷ ଭିତରେ ଖାଦ୍ୟ ପ୍ରକ୍ରିୟାକରଣକୁ ଭିତ୍ତି କରି ପଶ୍ଚିମବଙ୍ଗ ୫୮.୩୮ ନିୟୁତ, ଉତ୍ତରପ୍ରଦେଶ ୨୧.୨୫ ନିୟୁତ, ତାମିଲନାଡୁ ୯୫.୬୦ ନିୟୁତ, ରାଜସ୍ଥାନ ୧୭୧.୯୬ ନିୟୁତ, ମହାରାଷ୍ଟ୍ର ୪୫୨.୧୧ ନିୟୁତ, ହରିଆଣା ୧୬୫.୬୯ ନିୟୁତ ଓ କର୍ଣ୍ଣାଟକ ୪୯୮.୭ ନିୟୁତ ଡଲାରର ବିଦେଶୀ ପୁଞ୍ଜି ଆକର୍ଷଣ କରିପାରିଥିବା ବେଳେ ଓଡ଼ିଶା ମାତ୍ର ୦.୦୬ ନିୟୁତ ଡଲାର ପୁଞ୍ଜି ଆକର୍ଷଣ କରିଛି। କହିବା ବାହୁଲ୍ୟ ଯେ ଏହା ତୁଳନାତ୍ମକ ଭାବେ ଅତି ନଗଣ୍ୟ। ଏହାର ଅର୍ଥ ଓଡ଼ିଶାର କୃଷି ଭିତ୍ତିକ ଶିଳ୍ପ ପାଇଁ ବିଦେଶୀ ପୁଞ୍ଜିପତି ପୁଞ୍ଜି ଲଗେଇବାକୁ ନାରାଜ। ତେଣୁ ଅଧିକ ପୁଂଜି ଆକର୍ଷଣ କରିବା ଲାଗି ଆମ ରାଜ୍ୟରେ ଅନୁକୂଳ ବାତାବରଣ ସୃଷ୍ଟି ହେବା ଉଚିତ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ରାଜ୍ୟରେ କୃଷି ଭିତ୍ତିକ ଉଦ୍ୟୋଗର ବିକାଶ ହିଁ ଚାଷୀଙ୍କ ଆୟ ଅସ୍ଥିରତାଜନିତ ସମସ୍ୟାର ଏକ ସମାଧାନ ହେବ। କେବଳ ସେତିକି ନୁହେଁ, ଏହା ଆମ ରାଜ୍ୟରେ ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।
ମୋ: ୯୭୯୧୧୨୧୦୬୮

ସମ୍ବନ୍ଧିତ ଖବର