ଚନ୍ଦ୍ରାଭିସାର

ଏବେ ଚନ୍ଦ୍ରପୃଷ୍ଠକୁ ମନୁଷ୍ୟ ପ୍ରେରଣ କରିବାକୁ ଚୀନ ଏକାନ୍ତ ଭାବେ ଉଦ୍ୟମଶୀଳ। ସୁତରାଂ, ଅନୁମାନ କରାଯାଉଛି ଯେ ଭବିଷ୍ୟତ୍‌ରେ ଚୀନ ଏବଂ ଆମେରିକା ମଧ୍ୟରେ ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖା ଦେବ। ଚୀନ ଓ ଆମେରିକା ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାର ଚରିତ୍ର ଯାହା, ତହିଁରେ ଏଭଳି ଆଶଙ୍କା ମଧ୍ୟ ଅମୂଳକ ନୁହେଁ ଯେ ଏହି ପ୍ରତିଦ୍ବନ୍ଦ୍ବିତା ଚନ୍ଦ୍ର ପୃଷ୍ଠକୁ ମଧ୍ୟ ସଂପ୍ରସାରିତ ହେବ, ଯେଉଁଠି ଚନ୍ଦ୍ରର ଭୂମିରେ ଆଧିପତ୍ୟ ବିସ୍ତାର ସଂଘର୍ଷର କାରଣ ହୋଇପାରେ! ଏଭଳି ସ୍ଥିତିରେ ଅଧିକ ଉତ୍କର୍ଷ ସାଧନରେ ବ୍ରତୀ ନ ହୋଇ ଯଦି ପ୍ରତିଦ୍ବନ୍ଦ୍ବୀମାନେ ପରିସ୍ପରର ଉଦ୍ୟମ ପଣ୍ଡ କରିବାରେ ବ୍ୟାପୃତ ହେବେ ଏବଂ ‘ସାଇବର ଆକ୍ରମଣ’ ପରିପ୍ରେକ୍ଷୀରେ ଯାହା ଅତ୍ୟନ୍ତ ସମ୍ଭବ ମଧ୍ୟ, ତେବେ ହୁଏ’ତ ଆମ ଭୂପୃଷ୍ଠ ବ୍ୟର୍ଥ ଚନ୍ଦ୍ର-ଅଭିସାରକମାନଙ୍କ ରଣାଙ୍ଗନରେ ପରିଣତ ହେବ! ମନୁଷ୍ୟର ଅହଂକାର ଓ ଅବିମୃଶ୍ୟକାରିତା କିଭଳି ଦୁର୍ଦଶା ସୃଷ୍ଟି କରିପାରେ, ପୃଥିବୀ ତାହାର ସାକ୍ଷୀ। ଅନେକ ଆଗତଦ୍ରଷ୍ଟା ବୈଜ୍ଞାନିକ, ଚନ୍ଦ୍ର ପୃଷ୍ଠରେ ମନୁଷ୍ୟ ଉପଦ୍ରବର ଏହି ବୀଜ ଅଙ୍କୁରଣର ଆଶଙ୍କା ମଧ୍ୟ ଦେଖନ୍ତି!

ଗଲା ବୁଧବାର ଦିନ, ଗୋଧୂଳି ଲଗ୍ନରେ ‘ଚନ୍ଦ୍ରଯାନ-୩’ର ‘ଚନ୍ଦ୍ର ସ୍ପର୍ଶ’ ସହିତ ଭାରତ ଏଭଳି ଏକ ଅତୁଲ୍ୟ ଚତୁର୍ଦେଶୀୟ କ୍ଲବ୍‌ରେ ସାମିଲ ହୋଇଛି, ଯାହାର ପ୍ର‌ତ୍ୟେକ ସଦସ୍ୟ ରାଷ୍ଟ୍ର ସେମାନଙ୍କ ଚନ୍ଦ୍ରାଭିସାର ଉଦ୍ୟମରେ ସ୍ବକୀୟ ଉପଲବ୍‌ଧି ଦ୍ବାରା ନୂତନ ଇତିହାସମାନ ରଚନା କରିଛନ୍ତି; ଯେମିତି କି ୧୯୬୬ ମସିହାରେ ‘ଲୁନା-୯’ ଜରିଆରେ ଚନ୍ଦ୍ର ପୃଷ୍ଠରେ କୋମଳ ଅବତରଣର ପ୍ରଥମ ଦୃଷ୍ଟାନ୍ତ ସ୍ଥାପନକାରୀ ଭାବେ ରୁଷିଆ (ତତ୍କାଳୀନ ସୋଭିଏତ୍‌ ସଂଘ); ୧୯୬୯ ମସିହାରେ ‘ଆପୋଲୋ-୧୧’ ମାଧ୍ୟମରେ ଚନ୍ଦ୍ରାଭିଯାତ୍ରୀ ଦଳ ପ୍ରେରଣ କରି ଚନ୍ଦ୍ରର ଭୂମି ଉପରେ ପ୍ରଥମ ମାନବ ପଦଚିହ୍ନ ସୃଷ୍ଟି କରିଥିବା ଯୁକ୍ତରାଷ୍ଟ୍ର ଆମେରିକା; ୨୦୧୩ ମସିହାରେ ‘ଚାଙ୍ଗ-୫’କୁ ଚନ୍ଦ୍ରର ଦୂରବର୍ତ୍ତୀ ପାର୍ଶ୍ବ (ପୃଥିବୀ ଠାରୁ)ରେ ପ୍ରଥମେ ଅବତରଣ କରାଇ ପାରିଥିବା ଚୀନ ଏବଂ ବର୍ତ୍ତମାନ ‘ବିକ୍ରମ-ଲ୍ୟାଣ୍ଡର୍‌’ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ସମୀପବର୍ତ୍ତୀ ଏକ ସ୍ଥାନରେ ପ୍ରଥମ ସଫଳ ଅବତରଣ ସମ୍ଭବ କରାଇଥିବା ଭାରତ। ଉଲ୍ଲେଖଯୋଗ୍ୟ ଯେ ସୃଷ୍ଟି ହେବା ଦିନ ଠାରୁ ଅନାଲୋକିତ ହୋଇ ରହି ଆସିଥିବା ଚନ୍ଦ୍ରର ଦକ୍ଷିଣ ଧ୍ରୁବ ଅଞ୍ଚଳରେ ଜଳ, ବରଫ ଏବଂ କେତେକ ବିରଳ ବାଷ୍ପର ଉପସ୍ଥିତି ନେଇ ମିଳିଥିବା ଆଭାସ କାରଣରୁ ଚନ୍ଦ୍ର ପୃଷ୍ଠରେ ମନୁଷ୍ୟ ବସତି ସ୍ଥାପନର ସ୍ବପ୍ନ ଚରିତାର୍ଥ ହେବାର ଆଶା ଜାଗ୍ରତ ହୋଇଛି। ଏହି କାରଣରୁ ଚନ୍ଦ୍ରର ଦକ୍ଷିଣ ଧ୍ରୁବୀୟ ଅଞ୍ଚଳରେ ଭାରତର ଉପସ୍ଥିତି ଏବଂ ବୈଜ୍ଞାନିକ ଗବେଷଣା ବିଶେଷ ଗୁରୁତ୍ବ ବହନ କରିଥାଏ।
ପ୍ରକାଶ ଥାଉ କି ପ୍ରାଗୈତିହାସିକ କାଳରୁ ମନୁଷ୍ୟର ଚନ୍ଦ୍ରାଭିସାର ଆକାଂକ୍ଷା କବି ବା ଲେଖକ ଅଥବା ଚିତ୍ରକରଙ୍କ କଳ୍ପନା-ବିଳାସର କ୍ଷେତ୍ର ଅତିକ୍ରମ କରି ଇତିମଧ୍ୟରେ ବିଜ୍ଞାନ ପରିଚାଳିତ ବାସ୍ତବତାରେ ପରିଣତ ହୋଇ ସାରିଛି। ଏହି ପ୍ରକରଣରେ ମାନବ ସମାଜ ‘ଚନ୍ଦ୍ରାବତରଣ’ ନେଇ କିଭଳି ଉଭୟ ସଫଳତା ଏବଂ ବିଫଳତାର ସମ୍ମିଶ୍ରିତ ଅନୁଭୂତି ଲାଭ କରିଛି, ତାହାର ଏକ ଚିତ୍ର ବୁଧବାର ଦିନ ପ୍ରକାଶିତ ଏହି ସଂପାଦକୀୟ ସ୍ତମ୍ଭରେ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ, ସୋଭିଏତ୍‌ ସଂଘ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ କ୍ଷମତା ପ୍ରାଧାନ୍ୟର ତୀବ୍ର ପ୍ରତିଦ୍ବନ୍ଦ୍ବିତା କିଭଳି ମହାକାଶ କ୍ଷେତ୍ରରେ ଉତ୍କର୍ଷ ସାଧନର ଉଦ୍ୟମରେ ପ୍ରତିଫଳିତ ହୋଇଥିଲା, ତାହା ସୁବିଦିତ। ଏହି ପ୍ରତିଦ୍ବନ୍ଦ୍ବିତାରେ ମନୁଷ୍ୟ ରହିତ ମହାକାଶ ଯାନମାନ ଅନ୍ତରୀକ୍ଷକୁ ପ୍ରେରଣ କରି ଏବଂ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇ ସୋଭିଏତ୍‌ ସଂଘ ଅଗତ୍ୟା ଆମେରିକାକୁ ପଛରେ ପକାଇଦେବାକୁ ବସିଥିଲା, ଯାହା ଆମେରିକାର ଆପୋଲୋ ଅଭିଯାନମାନ ଜରିଆରେ ଚନ୍ଦ୍ରପୃଷ୍ଠକୁ ମନୁଷ୍ୟ ପଠାଇବା ଭଳି ଅସାଧ୍ୟ ସାଧନ ଦ୍ବାରା ପ୍ରତିହତ ହୋଇଥିଲା। ଅବଶ୍ୟ, ଅନେକ ବିଶେଷଜ୍ଞ ମତ ଦିଅନ୍ତି ଯେ ପ୍ରତିଦ୍ବନ୍ଦ୍ବିତାରେ ପ୍ରଥମ ହେବାର ଅଭିଳାଷ ସେହି ସମୟରେ ଯଦିଓ ମହାକାଶ ଗବେଷଣାକୁ ଏକ ନୂତନ ଉଚ୍ଚତାକୁ ଘେନି ଯାଇଥିଲା, ନିଜକୁ ଅଗ୍ରଣୀ ବୋଲି ପ୍ରମାଣ କରିବାର ଆଗ୍ରହାତିଶଯ୍ୟ ଅଧିକ ଶୀଘ୍ର ଏବଂ ଅଧିକ ସଂଖ୍ୟାରେ ମହାକାଶ ଯାନ ପ୍ରେରଣ କରିବାର ପ୍ରୟାସର କାରଣ ହୋଇ ବିଫଳ ଅଭିଯାନଗୁଡ଼ିକର ସଂଖ୍ୟା‌େର ବୃଦ୍ଧି ମଧ୍ୟ ଘଟାଇଥିଲା। ତେବେ, ସପ୍ତମ ଦଶକର ମଧ୍ୟ ଭାଗ ବେଳକୁ ଚନ୍ଦ୍ରାଭିସାରର ଆଗ୍ରହ ନିଷ୍ପ୍ରଭ ହୋଇଯାଇଥିଲା; କାରଣ ୧୯୬୯ ମସିହାରେ ଆମେରିକୀୟଙ୍କ ପାଦ ଜହ୍ନ ଛୁଇଁବା ସହିତ ସେ ଦିଗରେ ରୁଷୀୟ ବୈଜ୍ଞାନିକଙ୍କ ଗବେଷଣା ସ୍ବାଭାବିକ ଭାବେ ଉତ୍ସାହ ହରାଇଥିଲା ଏବଂ ୧୯୬୯ରୁ ୧୯୭୨ ମଧ୍ୟରେ ଆମେରିକା ଛଅଟି ଆପୋଲୋ ଯାନ ଜରିଆରେ ୧୭ ଜଣ ଅଭିଯାତ୍ରୀଙ୍କୁ ଚନ୍ଦ୍ର ବିଚରଣର ସୁଯୋଗ ଦେଇ ଏହି ପ୍ରତିଦ୍ବନ୍ଦ୍ବିତାରେ ଏକତରଫା ବିଜୟ ଘୋଷଣା କରି ଆପୋଲୋ ପ୍ରକଳ୍ପର ଅବସାନ ଘଟାଇଥିଲା। ପ୍ରକାଶ ଥାଉ କି ୧୯୭୬ ମସିହାରେ ସୋଭିଏତ୍‌ ପ୍ରେରିତ ‘ଲୁନା-୨୪’ର ସଫଳ ଚନ୍ଦ୍ରାବତରଣ ପରେ ୨୦୧୩ ମସିହା ପର୍ଯ୍ୟନ୍ତ କୌଣସି ରାଷ୍ଟ୍ର ଏ କ୍ଷେତ୍ରରେ ସଫଳତା ଲାଭ କରି ନ ଥିଲେ, ଯେଉଁ ଧାରାକୁ ଚୀନ ପ୍ରେରିତ ‘ଚାଙ୍ଗ-୫’ ଭଙ୍ଗ କରିଥିଲା ଏବଂ ଏବେ ‘ଚନ୍ଦ୍ରଯାନ-୩’ କରିଛି। ‘ଲୁନା-୨୪’ର ସତଚାଳିଶ ବର୍ଷ ପରେ ‘ଲୁନା-୨୫’ ତା’ ଅଗ୍ରଜ ଲାଭ କରିଥିବା ସଫଳତାର ପୁନରାବୃତ୍ତି ଘଟାଇ ନ ପାରି ଗଲା ଅଗଷ୍ଟ ୧୯ ତାରିଖରେ ଖସି ପଡ଼ି ଭାଙ୍ଗିରୁଜି ଯାଇଛି।
ଏଠାରେ ପ୍ରକାଶ ଥାଉ କି ଚନ୍ଦ୍ରରେ ଜଳ ଏବଂ ବରଫ ବିଦ୍ୟମାନ ଥିବାର ସମ୍ଭାବନା ନେଇ ସୂଚନା ପ୍ରଦାନ କରିବାରେ ଭାରତୀୟ ମହାକାଶ ଯାନ ‘ଚନ୍ଦ୍ରଯାନ-୧’ (୨୦୦୮ରେ ପ୍ରେରିତ) ଥିଲା ପ୍ରଥମ, ଯାହା ପର ଠାରୁ ପୁନର୍ବାର ଚନ୍ଦ୍ର ପୃଷ୍ଠରେ ଅଧିକ ଗବେଷଣା ଲାଗି ଆଗ୍ରହ ସୃଷ୍ଟି ହୋଇଛି। ଏହି ଆଧାରରେ ଚନ୍ଦ୍ରରେ ସ୍ଥାୟୀ ମନୁଷ୍ୟ ପରିଚାଳିତ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା, ଏପରିକି ମାନବ ବସତି ସ୍ଥାପନ ଲାଗି ଗମ୍ଭୀର ଚିନ୍ତା ଆରମ୍ଭ ହୋଇ ସାରିଲାଣି। ଅନେକ ବିଶେଷଜ୍ଞ କହନ୍ତି ଯେ ଚନ୍ଦ୍ରରେ ଜଳ ଏବଂ ବିରଳ ମୃତ୍ତିକାର ଉପସ୍ଥିତି କାରଣରୁ ସେଠାରେ ମହାକାଶ ଯାନ ଯୋଗ୍ୟ ଇନ୍ଧନ ପ୍ରସ୍ତୁତ କରାଯାଇ ପାରିବ ଏବଂ ଗଭୀର ଅନ୍ତରୀକ୍ଷକୁ ମହାକାଶ ଯାନ ପ୍ରେରଣ କରିବା ଲାଗି ଚନ୍ଦ୍ର ପୃଷ୍ଠ ଅଚିରେ ପୃଥିବୀ ସକାଶେ ଏକ ଉତ୍‌କ୍ଷେପଣ କେନ୍ଦ୍ରରେ ମଧ୍ୟ ପରିଣତ ହେବ। ସଂପ୍ରତି ଆମେରିକାରେ ଅଗ୍ରଗତି ଲାଭ କରୁଥିବା ‘ଆର୍ଟେମିସ୍‌’ ପ୍ରକଳ୍ପର ଲକ୍ଷ୍ୟ ରହିଛି ୨୦୨୬ ମସିହା ସୁଦ୍ଧା‌ ଜଣେ ମହିଳା ଏବଂ ଜଣେ କୃଷ୍ଣାଙ୍ଗଙ୍କୁ ଚନ୍ଦ୍ର ପୃଷ୍ଠରେ ପହଞ୍ଚାଇବା, ଯେଉଁ ପ୍ରକଳ୍ପରେ ପୃଥିବୀର ସର୍ବାଧିକ ଧନୀକ ଏଲନ ମସ୍କଙ୍କ ‘ସ୍ପେସ୍‌-ଏକ୍‌ସ’ ସଂଶ୍ଳିଷ୍ଟ ରହିଛି। ଏହା ସହିତ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ସାଧାରଣ ମନୁଷ୍ୟ ଗମନାଗମନ କରିବାର ଯୁଗର ସୂତ୍ରପାତ ଘଟିବ ବୋଲି ବିଶେଷଜ୍ଞମାନେ ଆଶାବାଦୀ। ଇତି ମଧ୍ୟରେ ବିକ୍ରମ ଲ୍ୟାଣ୍ଡରରୁ ବାହାରି ‘ପ୍ରଜ୍ଞାନ ରୋଭର’ ଚନ୍ଦ୍ର ପୃଷ୍ଠରେ ବିଚରଣ କରିବା ଆରମ୍ଭ କରି ସାରିଛି। ଆସନ୍ତା ଦୁଇ ସପ୍ତାହର କାର୍ଯ୍ୟ କାଳ ମଧ୍ୟରେ ଏହି ସୂତ୍ରରୁ ଭାରତ ଏବଂ ସେହି କ୍ରମରେ ପୃଥିବୀ ଯେଉଁ ତଥ୍ୟମାନ ଲାଭ କରିବ ତାହା ଯେ ଉପର ବର୍ଣ୍ଣିତ ମହତ୍ତ୍ବାକାଂକ୍ଷାମାନ ପୂରଣ କରିବା ଦିଗରେ ଭିତ୍ତି ସ୍ଥାପନ କରିବ, ଏଥିରେ ସନ୍ଦେହ ନାହିଁ। ଏହା ସହିତ ଆଉ ଯେଉଁ ବିଷୟଟି ଭାରତର ଏହି ସଫଳତାକୁ ଅଧିକ ଚମକ ପ୍ରଦାନ କରିଛି, ତାହା ହେଲା ମାତ୍ର ୬୫୦ କୋଟି ଟଙ୍କା (ବର୍ତ୍ତମାନ ନିର୍ମିତ ହେଉଥିବା ଅନେକ ଚଳଚ୍ଚିତ୍ରର ବଜେଟ୍‌ରୁ ମଧ୍ୟ କମ୍‌) ବ୍ୟୟରେ ଏକ ଅତ୍ୟାଧୁନିକ ଏବଂ ସଫଳ ମହାକାଶ ଯାନ ନିର୍ମାଣ କରିପାରିବାର ଅତୁଳନୀୟ ଦକ୍ଷତା। ସୁତରାଂ, ଅର୍ଥ ଏବଂ ପ୍ରଯୁକ୍ତିଗତ ଉତ୍କର୍ଷ ଦୃଷ୍ଟିରୁ ଦୁର୍ବଳ ଅନେକ ରାଷ୍ଟ୍ରଙ୍କ ଚନ୍ଦ୍ରାଭିସାର ସ୍ବପ୍ନ ପୂରଣ କରିବାରେ ଭାରତ ସୂତ୍ରଧର ହେବାର ଆଶା ଉଜ୍ଜ୍ବଳ।
ତେବେ ଭୁଲିଗଲେ ହେବ ନାହିଁ ଯେ ଚନ୍ଦ୍ରଭିସାରରେ ମଗ୍ନତା ଏକଦା ସୋଭିଏତ୍‌ ସଂଘ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତାକୁ ଜନ୍ମ ଦେଇଥିଲା। ଏବେ ଚନ୍ଦ୍ରପୃଷ୍ଠକୁ ମନୁଷ୍ୟ ପ୍ରେରଣ କରିବାକୁ ଚୀନ ଏକାନ୍ତ ଭାବେ ଉଦ୍ୟମଶୀଳ। ସୁତରାଂ, ଅନୁମାନ କରାଯାଉଛି ଯେ ଭବିଷ୍ୟତ୍‌ରେ ଚୀନ ଏବଂ ଆମେରିକା ମଧ୍ୟରେ ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖା ଦେବ। ଚୀନ ଓ ଆମେରିକା ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାର ଚରିତ୍ର ଯାହା, ତହିଁରେ ଏଭଳି ଆଶଙ୍କା ମଧ୍ୟ ଅମୂଳକ ନୁହେଁ ଯେ ଏହି ପ୍ରତିଦ୍ବନ୍ଦ୍ବିତା ଚନ୍ଦ୍ର ପୃଷ୍ଠକୁ ମଧ୍ୟ ସଂପ୍ରସାରିତ ହେବ, ଯେଉଁଠି ଚନ୍ଦ୍ରର ଭୂମିରେ ଆଧିପତ୍ୟ ବିସ୍ତାର ସଂଘର୍ଷର କାରଣ ହୋଇପାରେ! ଏଭଳି ସ୍ଥିତିରେ ଅଧିକ ଉତ୍କର୍ଷ ସାଧନରେ ବ୍ରତୀ ନ ହୋଇ ଯଦି ପ୍ରତିଦ୍ବନ୍ଦ୍ବୀମାନେ ପରିସ୍ପରର ଉଦ୍ୟମ ପଣ୍ଡ କରିବାରେ ବ୍ୟାପୃତ ହେବେ ଏବଂ ‘ସାଇବର ଆକ୍ରମଣ’ ପରିପ୍ରେକ୍ଷୀରେ ଯାହା ଅତ୍ୟନ୍ତ ସମ୍ଭବ ମଧ୍ୟ, ତେବେ ହୁଏ’ତ ଆମ ଭୂପୃଷ୍ଠ ବ୍ୟର୍ଥ ଚନ୍ଦ୍ର-ଅଭିସାରକମାନଙ୍କ ରଣାଙ୍ଗନରେ ପରିଣତ ହେବ! ମନୁଷ୍ୟର ଅହଂକାର ଓ ଅବିମୃଶ୍ୟକାରିତା କିଭଳି ଦୁର୍ଦଶା ସୃଷ୍ଟି କରିପାରେ, ପୃଥିବୀ ତାହାର ସାକ୍ଷୀ। ଅନେକ ଆଗତଦ୍ରଷ୍ଟା ବୈଜ୍ଞାନିକ, ଚନ୍ଦ୍ର ପୃଷ୍ଠରେ ମନୁଷ୍ୟ ଉପଦ୍ରବର ଏହି ବୀଜ ଅଙ୍କୁରଣର ଆଶଙ୍କା ମଧ୍ୟ ଦେଖନ୍ତି!

ସମ୍ବନ୍ଧିତ ଖବର