ଆମ ସଂବିଧାନ ଆମ ଧର୍ମଗ୍ରନ୍ଥ: ନୂଆ ବ୍ୟବସ୍ଥାର ନକ୍ସା

ଦାଶ ବେନହୁର

ନକ୍ସା ନ ଥାଇ କୌଣସି ବ୍ୟବସ୍ଥା ନାହିଁ। ତାହା ଘର ହେଉ କି ନଗର। ସମାଜ ହେଉ କି ଦେଶ। ନକ୍ସାରେ ଗୋଳମାଳ ଚିରଦିନ ଗୋଟିଏ ବ୍ୟବସ୍ଥାକୁ ସମସ୍ୟାରେ ପକାଏ। ହେଲେ ମନେ ରଖିବା ଦରକାର ଯେ ନକ୍ସାର ମୂଳକଥା ହେଲା, ଭୂମି ଓ ଭୂଗୋଳ। ପୁଣି କ’ଣ ତାହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।
ଆମେ ଭାରତ ବର୍ଷକୁ ଏକ ବ୍ୟବସ୍ଥା ଭାବରେ ଗ୍ରହଣ କରିବା। ମନରେ ଆସିପାରେ ଭାରତ ତ ପ୍ରାଚୀନ ଭୂଖଣ୍ତ, ତା’ ପାଇଁ ପୁଣି ଗୋଟେ ନକ୍ସା କ’ଣ? ବ୍ରିଟିଶ୍‌ ହୁକୁମତ୍‌ ଗାର ପକେଇ, କ୍ଷମତା ହସ୍ତାନ୍ତର କରି ଚାଲିଗଲା ପରେ ଆଉ ନକ୍ସାର କ’ଣ ଆବଶ୍ୟକ?
୧୫ ଅଗଷ୍ଟ, ୧୯୪୭କୁ ଆମେ ସ୍ବାଧୀନତା ଦିବସ ଭାବରେ ପାଳନ କରୁଛେ। ସେତେବେଳକୁ ଭାରତ ମାଟି ତିନିଖଣ୍ତ। ଇଣ୍ତିଆ, ପଶ୍ଚିମ-ପାକିସ୍ତାନ ଓ ପୂର୍ବ-ପାକିସ୍ତାନ। ସବୁଆଡ଼େ ଅସ୍ଥିରତା। ଭୂଗୋଳ ଅସ୍ପଷ୍ଟ। ଭୂମି ଅନିର୍ଦ୍ଦିଷ୍ଟ। ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି, ଅର୍ଥ, ପ୍ରତିରକ୍ଷା, ଗମନାଗମନ, ଆନ୍ତର୍ଜାତିକ ସମ୍ପର୍କ, ଦେଶନୀତି, ବିଦେଶନୀତି କିଛିର ଠିକଣା ନାହିଁ।
ଏ କେଉଁ ସ୍ବାଧୀନତା? ସବୁଯାକ ରାଜାରାଜୁଡ଼ା ଅଞ୍ଚଳ ଥତମତ। କ’ଣ ହେବ ରାଜ୍ୟଗୁଡ଼ିକର ଭବିଷ୍ୟତ! ବ୍ରିଟିଶ୍‌ ଆଇନ କରିଦେଇଗଲେ ଯେ ରାଜା ମହାରାଜାମାନେ ଯେଉଁଆଡ଼କୁ ଚାହିଁବେ ସେ ଆଡ଼କୁ ଯାଇପାରିବେ। ଧର୍ମ ଆଧାରରେ ଦେଶ ଭଙ୍ଗା ହୋଇଛି। କେଉଁଠି ଶାସକ ଏ ଧର୍ମର ତ ପ୍ରଜା ସେ ଧର୍ମର। କିଏ ଉତ୍ତରରେ କିଏ ଦକ୍ଷିଣରେ।
୧୯୪୭, ଅଗଷ୍ଟ ୧୫ରେ ଚିରକାଳ ଜାମାଯୋଡ଼ ହୋଇ ପଗଡ଼ି ବାନ୍ଧି ଖଣ୍ତା ଝୁଲାଇ ନିଶ ମୋଡ଼ି ବୁଲୁଥିବା ଏ ଶାସକ ଦଳ ହଠାତ୍‌ ଅପାଙ୍‌କ୍ତେୟ ହୋଇଗଲେ। ପ୍ରଜାମାନେ କୁଆଡ଼କୁ ଯିବେ ତାହା ତାଙ୍କ ଇଚ୍ଛାରେ ନ ଥିଲା। ସ୍ବାଭାବିକ ଭାବେ ନୂଆ ନାଁ ପାଇଥିବା ଇଣ୍ତିଆ ଓ ପାକିସ୍ତାନ ଲାଗିଥିଲେ କେତେ ଅଧିକ ଭୂମି ସେମାନଙ୍କ ଅକ୍ତିଆରକୁ ନେଇପାରିବେ। ରାଜା ଓ ଶାସକମାନଙ୍କୁ ଫୁସୁଲେଇ, ଧମକେଇ ଟାଣୁଥିଲେ ନିଜ ଆଡ଼କୁ।
ବ୍ରିଟିଶ୍‌ ସରକାର ନ ଥିଲେ ମାତ୍ର ତାଙ୍କ ସାମରିକ ବାହିନୀର ଅନେକ ଅନୁଗତ ଥିଲେ ପାକିସ୍ତାନ ପଟେ। ତାଙ୍କର ମୁଖ୍ୟ ଥିଲେ ବ୍ରିଟିଶ୍‌ ଜେନେରାଲ୍‌ ଫ୍ରାଙ୍କ୍‌ ଵାଲ୍‌ଟର‌୍‌ ମେସର‌୍‌ଭି। ପାକିସ୍ତାନ ସେନାବାହିନୀର କମାଣ୍ତର‌୍‌-ଇନ୍‌-ଚିଫ୍‌ ଭାବେ ୧୫ ଅଗଷ୍ଟ ୧୯୪୭ରୁ ସେ ଥିଲେ ୧୦ ଫେବ୍ରୁଆରି ୧୯୪୮ ଯାଏ। ତାଙ୍କୁ ସିଧାସଳଖ ବାଛିଥିଲେ ମହମ୍ମଦ ଅଲ୍ଲି ଜିନ୍ନା। ତା’ ପୂର୍ବରୁ ସେ ଜେନେରାଲ୍‌ ଅଫିସର‌୍‌ କମାଣ୍ତି˚-ଇନ୍‌-ଚିଫ୍‌ ଭାବେ ଥିଲେ ଉତ୍ତର-ଭାରତ କମାଣ୍ତ୍‌ ଦାୟିତ୍ବରେ। ସିଏ ହିଁ ତିଆରି କରିଥିଲେ ‘‘ଅପରେସନ୍‌ ଗୁଲ୍‌ମାର୍ଗ’’, ଯାହା କାଶ୍ମୀର ସମସ୍ୟା ସୃଷ୍ଟିର ମୂଳ କାରଣ ପାଲଟିଥିଲା ସେତେବେଳେ।
କାଶ୍ମୀର ଏକ ଗଡ଼ଜାତ ରାଜ୍ୟ। ନିୟମ ଅନୁସାରେ କାଶ୍ମୀରର ରାଜା ଯେଉଁଆଡ଼କୁ ଚାହିଁଥାନ୍ତେ ସେ ଆଡ଼କୁ ଯାଇଥାନ୍ତା ସେ ଭୂଖଣ୍ତ। ଲୋକେ ଥିଲେ ମୁସଲମାନବହୁଳ। କିଛିଦିନ ଅପେକ୍ଷା କରିଥିଲେ ହୁଏତ ଲୋକଙ୍କ ଚାପରେ ରାଜା ହରି ସି˚ହ ପାକିସ୍ତାନ ଆଡ଼କୁ ଢଳିଥାଆନ୍ତେ। ମାତ୍ର ଜିନ୍ନାଙ୍କ ଅପରିଣାମଦର୍ଶୀ ଜିଦ୍‌ ଓ ଜେନେରାଲ୍‌ ମେସର‌୍‌ଭିଙ୍କ ମୂର୍ଖବୁଦ୍ଧି ଯୋଗୁଁ ଗୋଟାଏ ଅଭାବନୀୟ କାଣ୍ତ ଘଟିଗଲା। ସ୍ବାଧୀନତା ମିଳିବାର ମାତ୍ର ପାଞ୍ଚ ଦିନ ପରେ ଅଗଷ୍ଟ ୨୦, ୧୯୪୭ରେ ଯୋଜନା ପ୍ରସ୍ତୁତ କରିଦେଲେ ମେସର‌୍‌ଭି। ଗୋଟିଏ ଗୋଟିଏ ସାମରିକ ଗୋଷ୍ଠୀରେ ୧୦୦୦ ଲେଖାଏଁ ପାସ୍ତୁନ୍‌ ଆଦିବାସୀଙ୍କୁ ଯୁଦ୍ଧାସ୍ତ୍ରରେ ସଜ୍ଜିତ କରି ସେ ୨୦ଟି ଦଳ ତିଆରି କରିଦେଲେ। ତାଙ୍କ ସହ ପ୍ରଚ୍ଛନ୍ନରେ ରହିଥିଲେ ପାକ୍‌ ସେନା। ଯୋଜନା ହେଲା ୧୮ ଅକ୍‌ଟୋବରରେ ଆବୋଟାବାଦ୍‌ରୁ ଆକ୍ରମଣ ଆରମ୍ଭ କରି ଅକ୍‌ଟୋବର ୨୨ ସୁଦ୍ଧା ପୂରା କାଶ୍ମୀରକୁ ସେମାନେ ଅକ୍ତିଆର କରିନେବେ। ହିନ୍ଦୁ ରାଜା ହରି ସି˚ହ ବାଧ୍ୟହୋଇ ମିଶ୍ରଣ କାଗଜରେ ଦସ୍ତଖତ କରି ଭାରତକୁ ପଳାୟନ କରିବେ।

ଆଜି ଆମେ ଭାରତକୁ ଯେଭଳି ଦେଖୁଛେ ତାହା ଗଢ଼ାଯାଇଛି ଆମ ପୂର୍ବସୂରୀମାନେ ତିଆରି କରିଯାଇଥିବା ନକ୍ସା ଉପରେ। ତିଆରି ହୋଇଥିବା ବ୍ୟବସ୍ଥା, ଇମାରତ୍‌ ବା ଭୂଗୋଳ ଯେ ସବୁବେଳେ ସେମିତି ରହିବ ସେ କଥା କେହି କହିପାରିବେ ନାହିଁ। ଜିନ୍ନା କ’ଣ ଭାବିଥିବେ ଯେ ଯେଉଁ ପୂର୍ବ ପାକିସ୍ତାନ ପାଇଁ ସେ ରାତିଦିନ ଏକ କରିଦେଇଥିଲେ ତାହା ଦିନେ ଅଲଗା ହୋଇଯିବ ପାକିସ୍ତାନରୁ? ନା ଭାରତର ନେତାମାନେ ଭାବିଥିଲେ କାଶ୍ମୀର ଆପେ ଆସି ସେମାନଙ୍କ ଝୁଲିରେ ପଡ଼ିବ?

ଇଣ୍ତିଆ ସୁରାକ୍‌ ପାଇଲାବେଳକୁ ଅବସ୍ଥା ଭୟାବହ। ଶେଷରେ ହରି ସି˚ହ ଭାରତର ଶରଣ ପଶି କାଶ୍ମୀରକୁ ଭାରତ ରାଷ୍ଟ୍ର ସହ ମିଶାଇ ଦେଲେ। ଆଜି ଯେ ‘‘ପାକିସ୍ତାନ ଅଧିକୃତ କାଶ୍ମୀର’’ ତାହା ସେହି ଜିନ୍ନା-ମେସର‌୍‌ଭି ଚଞ୍ଚକତାର ସ୍ମୃତି ବହନ କରେ। ସେ ଅବସ୍ଥାରେ ପାକିସ୍ତାନ ଉପରେ ପ୍ରତି ଆକ୍ରମଣ ନ କରି କାଶ୍ମୀରର ଶେଷ ସୀମାଯାଏ ପାକିସ୍ତାନକୁ ନ ତଡ଼ି, ନବଗଠିତ ଜାତିସ˚ଘ ପାଖରେ ଜଣେ ଶାନ୍ତିକାମୀ ବିଶ୍ବନେତାର ପରିଚୟ ଲାଗି ପ୍ରଧାନମନ୍ତ୍ରୀ ନେହରୁ ଏ ସମସ୍ୟାକୁ ସମର୍ପିତ କରିଥିବା ଘଟଣା ଅନେକ ବିତର୍କର କାରଣ ହୋଇ ରହିଛି।
ଦୁର୍ଭାଗ୍ୟ।
ମାତ୍ର ଏକଥା ସତ ଯେ ‘‘ଅପରେସନ୍‌ ଗୁଲ୍‌ମାର୍ଗ’’ର ମୂର୍ଖାମି ଲାଗି ପାକିସ୍ତାନ କାଶ୍ମୀରକୁ ଚିରଦିନ ସକାଶେ ହରେଇ ଦେଲା। ଏ କଥା ପାକିସ୍ତାନ ଯେ ପର୍ଯ୍ୟନ୍ତ ନ ବୁଝିଛି ସେ ପର୍ଯ୍ୟନ୍ତ ଅଯଥା ବିଳାପରେ ହିଁ ସମୟ ବିତାଉଥିବ। ଜିନ୍ନା ଏ ଭୁଲ୍‌ ପଦକ୍ଷେପର ବର୍ଷେ ନ ପୂରୁଣୁ ସେପ୍‌ଟେମ୍ବର ୧୯୪୮ରେ ଆଖି ବୁଜିଥିଲେ। ସେଇଦିନୁ ପାକିସ୍ତାନ ଯେ ବିଭ୍ରାନ୍ତ ହେ‌ାଇଛି, ଏଯାଏ ବାଟ ପାଉନାହିଁ। ଗଣତନ୍ତ୍ର ଚିରକାଳ ଅପହଞ୍ଚ ହୋଇ ରହିଛି ପାକିସ୍ତାନ ପାଇଁ।
ଭାରତର ସୀମା-ନକ୍ସା ବିବଦମାନ ହୋଇ ରହିବାର କାରଣ ହେଲା ବ୍ରିଟିଶ୍‌ ପ୍ରସ୍ତୁତ ଭାରତୀୟ ସ୍ବାଧୀନତା ଆଇନ-୧୯୪୭ର ଦୂରଦୃଷ୍ଟିହୀନତା। ବ୍ରିଟିଶ୍ ସରକାର ତରବର ହୋଇ ଦୁଇ ଶହ ବର୍ଷ ଧରି ଶାସନ କରିଥିବା ବିବିଧତାରେ ଭରା ଏ ମାଟିକୁ ଯାହା ଯେମିତି ଅଛି ସେମିତି ପକେଇଦେଇ ପଳାୟନ କଲେ।
ଇତିହାସର ଶିକାର ହୋଇଗଲା ଏ ମହତୀ ଭୂଖଣ୍ତ।
ଆଜି ସାରା ଭାରତରେ ଅନେକ ବୁଦ୍ଧିଜୀବୀ ସମ୍ବିଧାନକୁ ନେଇ ଆଲୋଚନା କରୁଛନ୍ତି। ସମ୍ବିଧାନର ସୁରକ୍ଷା କଥା ଦଳେ କହିଲାବେଳକୁ ଆଉ ଦଳେ ସମ୍ବିଧାନରେ ଥିବା ଦୋଷ ଦୁର୍ବଳତାର କଥା କହି ସ˚ଶୋଧନ ଲାଗି ଦାବି ଉଠାଉଚନ୍ତି। ୩୭୦ ଧାରା ଉଠିବା ଓ ସମ୍ବିଧାନର ୪୪ ଧାରାକୁ ଆଇନବନ୍ତ କରି ସାରା ଦେଶରେ ସମାନ ନାଗରିକ ସ˚ହିତା ଲାଗୁ କରାଇବା ଏଇ ମନୋଭାବର ପରିପ୍ରକାଶ ମାତ୍ର।
ନକ୍ସା ପ୍ରକୃତରେ ଗଢ଼ାହୁଏ ଉଭୟ ଭୌଗୋଳିକ ଓ ମାନସିକ ସ୍ତରରେ।
ପ୍ରାଚୀନ ଭାରତ କହିଲେ ତ କେତେ ବଡ଼। ମାତ୍ର ଏବର ଗଣତାନ୍ତ୍ରିକ ଭାରତ ତା’ ତୁଳନାରେ ଅନେକ ଛୋଟ। ଭାଗ୍ୟ ଭଲ ବ୍ରିଟିଶ୍‌ ସରକାର ଭାରତକୁ ଯେତେ ଛୋଟ ଓ ଖଣ୍ତ ଖଣ୍ତ କରିବାର ପରିକଳ୍ପନା କରିଥିଲେ ତାକୁ ଆମର ତତ୍କାଳୀନ ନେତାମାନେ ଫଳବତୀ ହେବାକୁ ଦେଇନାହାନ୍ତି। ପାଖାପାଖି ୫୬୫ କରଦ ରାଜ୍ୟରୁ ଭାରତରେ ମିଶିଛନ୍ତି ୫୫୦ ସରିକି ରାଜ୍ୟ। ତା’ର ମୂଳ କାରଣ ହେଲା ଭାରତର ମାନସିକ-ନକ୍ସା ଥିଲା ଧର୍ମନିରପେକ୍ଷତା, ପାରସ୍ପରିକ ସହନଶୀଳତା ଓ ବିବିଧତା ଉପରେ ପର୍ଯ୍ୟବସିତ। ସେଇଥିପାଇଁ ଇସଲାମ ସମେତ ଅଧିକା˚ଶ ଭିନ୍ନ ଧର୍ମାବଲମ୍ବୀ ଭାଇଭଉଣୀ ଭାରତରେ ରହିଯିବାକୁ ପସନ୍ଦ କଲେ।
ଧର୍ମ ହାରିଥିଲା, ଜିଣିଥିଲା ଧର୍ମନିରପେକ୍ଷତା।
ସମସ୍ତ ଶ୍ରେୟ ଯିବ ଭାରତର ପ୍ରଥମ ଗୃହରକ୍ଷା ତଥା ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ। ସେ ପ୍ରମାଣ କରିଯାଇଛନ୍ତି, ତାଙ୍କର ଅଲୌକିକ ଲୌହମାନବପଣ। ସେ ନ ଥିଲେ କି ଜୁନାଗଡ଼ କି ହାଇଦ୍ରାବାଦ କ’ଣ ଭାରତକୁ ଆସିଥାନ୍ତେ? ରାଜ୍ୟମାନଙ୍କର ମିଶ୍ରଣପର୍ବ ଭାରତ ଇତିହାସର ଏକ ଚମତ୍କାର ପୁଣି ଅଭାବନୀୟ ନାଟକ। ଖଦଡ଼ ପରିହିତ ଦେହ‌େର ଗୋଟାଏ ବୟସ୍କ ଲଣ୍ତାମୁଣ୍ତ ସେଦିନ ଭୂଲୁଣ୍ଠିତ କରି ଦେଇଥିଲା ଶହ ଶହ ବକସାମଲ ଖଚିତ ରାଜମୁକୁଟ। ରହିଯାଇଥିଲେ କିଛି କିଛି।
ପଟେଲ୍‌ ଗଲେ ୧୯୫୦ରେ। ଦାଦ୍ରା, ନଗର ହାବେଲି ଓ ଆଜିର ପୁଡୁଚେରି ଆସିଛନ୍ତି ୧୯୫୪ରେ। ୧୯୬୧ରେ ଆସିଛନ୍ତି ପର୍ତ୍ତୁଗିଜ୍‌ ଅଧିକୃତ ଗୋଆ ସାଙ୍ଗକୁ ଡାମନ୍‌ ଓ ଡିଉ। ୧୯୭୫ରେ ଯାଇ ସିକ୍କିମ୍‌ ସାମିଲ ହୋଇଛି ଭାରତରେ।
ଏ ସମସ୍ତ ଆଲୋଚନା କେବଳ ଭୌଗୋଳିକ ନକ୍ସାକୁ ନେଇ। ଭାରତ, ପାକିସ୍ତାନ ଓ ଭାରତ, ବାଂଲାଦେଶ ସୀମାକୁ ନେଇ ଟଣାଯାଇଥିବା ରେଡ୍‌କ୍ଲିଫ୍‌ ଲାଇନ୍‌ ଓ ବ୍ରିଟିଶ୍‌ ଭାରତ ଅମଳରୁ ତିବ୍ବତ୍‌, ମିଆଁମାର ଓ ଚୀନ୍‌ ସୀମାରେ ଗାରପଡ଼ିଥିବା ମାକ୍‌ମୋହନ ଲାଇନ୍‌ ଏବେ ବି ବିବଦମାନ। ବିଶେଷ କରି ଚୀନା ସରକାର ଏ ସୀମାଗାର ଗ୍ରହଣ କରିବାକୁ ସବୁବେଳେ ନାରାଜ୍‌।
ସ୍ବୀକାର କରିବାକୁ ପଡ଼ିବ ଯେ ବିଗତ ୭୫ ବର୍ଷ ଭିତରେ ନକ୍ସାର ଦୁର୍ବଳତା ହିଁ ଆମର ଜାତୀୟ ଜୀବନକୁ ବାରମ୍ବାର ପ୍ରଭାବିତ କରିଛି। ପଡ଼ୋଶୀ ପାକିସ୍ତାନ ଓ ଚୀନ୍‌ ବାରମ୍ବାର ଏ ସୀମାକୁ ନେଇ ଗଣ୍ତଗୋଳର ସୂତ୍ରପାତ କରିଛନ୍ତି। ଯୁଦ୍ଧକୁ ଓହ୍ଲାଇଛନ୍ତି। ଗୋଟିଏ କାଶ୍ମୀରକୁ ଓ ଗୋଟିଏ ତିବ୍ବତକୁ ନେଇ କେତେ ଯେ ସ˚ଘାତ ତା’ର ସୀମା ନାହିଁ।
ଆଜି ଆମେ ଭାରତକୁ ଯେଭଳି ଦେଖୁଛେ ତାହା ଗଢ଼ାଯାଇଛି ଆମ ପୂର୍ବସୂରୀମାନେ ତିଆରି କରିଯାଇଥିବା ନକ୍ସା ଉପରେ। ତିଆରି ହୋଇଥିବା ବ୍ୟବସ୍ଥା, ଇମାରତ୍‌ ବା ଭୂଗୋଳ ଯେ ସବୁବେଳେ ସେମିତି ରହିବ ସେ କଥା କେହି କହିପାରିବେ ନାହିଁ। ଜିନ୍ନା କ’ଣ ଭାବିଥିବେ ଯେ ଯେଉଁ ପୂର୍ବ ପାକିସ୍ତାନ ପାଇଁ ସେ ରାତିଦିନ ଏକ କରିଦେଇଥିଲେ ତାହା ଦିନେ ଅଲଗା ହୋଇଯିବ ପାକିସ୍ତାନରୁ? ନା ଭାରତର ନେତାମାନେ ଭାବିଥିଲେ କାଶ୍ମୀର ଆପେ ଆସି ସେମାନଙ୍କ ଝୁଲିରେ ପଡ଼ିବ?
୧୯୪୮ ସାରା ଗୋଟେ ପଟେ ତିଆରି ଚାଲିଥିଲା ନୂଆ-ଭାରତର ଭୌଗୋଳିକ ନକ୍ସା। ଅନ୍ୟ ପଟେ ନିଖିଳ ଭାରତର ବଛା ବଛା ମନୀଷୀମାନେ ବସି ତିଆରି କରୁଥିଲେ ତା’ ପାଇଁ ଭାବଗତ, ମାନସିକ ଓ ପ୍ରଶାସନିକ ନକ୍ସା।
ଘମାଘୋଟ ଆଲୋଚନା ଚାଲିଥିଲା ସମ୍ବିଧାନ ତିଆରି ସଭାରେ। ଗାନ୍ଧୀ ନ ଥିଲେ। ଜଣେ ମତାନ୍ଧ ତାଙ୍କୁ ମାରିଦେଇଥିଲେ ଜାନୁଆରି ୩୦ରେ। ଉଠି ଠିଆହେବାକୁ ଚେଷ୍ଟା କରୁଥିଲା ନୂଆ ଭାରତ।
[email protected]

ସମ୍ବନ୍ଧିତ ଖବର