ଗାୟିକାରୁ ନାୟିକା ‘ସୋଫି ଚୌଦ୍ରୀ’

କଳା ଓ ସଂସ୍କୃତିର କ୍ଷେତ୍ର ଭାରତବର୍ଷ ପ୍ରତି ଅନେକ ବିଦେଶୀ କଳାକାର ଆକୃଷ୍ଟ ହୋଇ ଏଠାରେ ନିଜର ଜୀବିକା ନିର୍ବାହ କରିବାକୁ ପସନ୍ଦ କରି ଆସିଛନ୍ତି। ଏପରିକି ଭାରତୀୟ ଦର୍ଶକଙ୍କ ଚାହିଦା ପୂରଣ ପାଇଁ କେହି କେହି ସଂଗୀତରୁ ଅଭିନୟକୁ ନିଜର ପେସା ବଦଳାଇଛନ୍ତି ଯେ କେହି କେହି ବିପରୀତ ପନ୍ଥା ମଧ୍ୟ ଅବଲମ୍ବନ କରିଛନ୍ତି। ସେହି କ୍ରମରେ ମଡେଲ, ଟେଲିଭିଜନ ଉପସ୍ଥାପିକା, କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ସୋଫି ଚୌଦ୍ରୀଙ୍କ ଜୀବନଯାତ୍ରା ବେଶ୍‌ ରୋଚକପୂର୍ଣ୍ଣ ହୋଇପାରିଛି।

koimoi.com

ପ୍ରଥମେ ଟିଭି ଉପସ୍ଥାପିକା ଭାବେ ରଙ୍ଗିନ୍‌ ଦୁନିଆରେ ନିଜର ପେସାଗତ ଜୀବନ ଆରମ୍ଭ କରିଥିବା ସୋଫି ପରେ କିନ୍ତୁ ହିନ୍ଦୀ ସମେତ ଅନ୍ୟାନ୍ୟ ଭାରତୀୟ ଭାଷାର ସିନେମାରେ ନିଜର ଭାଗ୍ୟ ପରୀକ୍ଷା କରି ଶେଷରେ କଣ୍ଠଶିଳ୍ପୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଇଂଲାଣ୍ଡର ମାଞ୍ଚେଷ୍ଟରରେ ୧୯୮୩ ଫେବ୍ରୁଆରି ୮ରେ ଜନ୍ମିତ ସୋଫି ୟୁରୋପୀୟ ରାଜନୀତିରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ସେହିପରି ସଂଗୀତ ଓ ଅଭିନୟ କଳା ପାଠ୍ୟକ୍ରମରେ ସେ ମଧ୍ୟ ଜଣେ ସ୍ବର୍ଣ୍ଣପଦକ ବିଜୟିନୀ। ଏଥି ସହିତ ସେ ପାଶ୍ଚାତ୍ୟ ନୃତ୍ୟ ସାଲସା ସମେତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍‌ର ମଧ୍ୟ ଜଣେ ପ୍ରଶିକ୍ଷିତ ନୃତ୍ୟାଙ୍ଗନା। ବିଗତ ନବେ ଦଶକର ଶେଷ ଭାଗ ଆଡ଼କୁ ନିଜର ଅଧ୍ୟୟନ ବେଳେ ସେ ‘ଜୀ ୟୁକେ’ର ଜଣେ ଭିଡିଓ ଜକି ଭାବରେ ପେସା ଆରମ୍ଭ କରିଥିଲେ। କିଛି ବର୍ଷ ସେ ଏହି ଅଭିଜ୍ଞତା ହାସଲ କରି ୨୦୦୦ରେ ସଂଗୀତ କ୍ଷେତ୍ରକୁ ଆପଣେଇ ଜଣେ ପପ୍‌ ଗାୟିକାର ଭୂମିକା ନିଭାଇଥିଲେ। କେବଳ ମହିଳା କଳାକାରଙ୍କୁ ନେଇ ସେ ଗଢ଼ିଥିବା ‘ସଂସ୍କାର’ ନାମକ ସଂଗୀତ ଦଳକୁ ଧରି ‘ୟେ ଦିଲ୍‌ ସୁନ୍‌ ରହା ହୈ’ ଓ ‘ହବିବି’ ପରି ଦୁଇଟି ସଂଗୀତ ଆଲବମ୍‌ ଛାଡ଼ିଥିଲେ। ଏହାପରେ ସେ ଏକକ କଣ୍ଠଶିଳ୍ପୀ ଭାବରେ ଉଭା ହୋଇଥିଲେ।

CelebSecrets.in

ତେବେ ୨୦୦୩ରେ ସେ ଭାରତ ଚାଲି ଆସି ଏମ୍‌ଟିଭି ଇଣ୍ଡିଆର ଲୋକପ୍ରିୟ ଧାରାବାହିକ ‘ଏମ୍‌ଟିଭି ଲଭ୍‌ଲାଇନ୍‌’ର ଉପସ୍ଥିାପିକା ସାଜି ଆଶାତୀତ ଲୋକପ୍ରିୟତା ସାଉଁଟିଥିଲେ। ଏହି ଅବସରରେ ତାଙ୍କର ସଂଗୀତ ଆଲବମ୍‌ ‘ବେବି ଲଭ୍‌’ ମଧ୍ୟ ଯଥେଷ୍ଟ ଦର୍ଶକୀୟ ସ୍ବୀକୃତି ଆଣିଦେଇଥିଲା। ଏଭଳି ଟିଭି ଉପସ୍ଥାପିକା ଓ ଗାୟିକା ଭାବରେ ବାରମ୍ବାର ଜୀବିକା ବଦଳାଇ ସେ ୨୦୦୫ରେ ହିନ୍ଦୀ ଫିଲ୍ମ ‘ସାଦି ନଂ ୧’ରେ ନିଜର ନାୟିକା ଭାଗ୍ୟ ପରୀକ୍ଷା କରିଥିଲେ। ଏହାପରେ ତାଙ୍କର ଦ୍ବିତୀୟ ସିନେମା ‘ପ୍ୟାର୍‌ କେ ସାଇଡ୍‌ ଇଫେକ୍ଟ’ରେ ତାଙ୍କୁ ଅପାର ଲୋକପ୍ରିୟତା ମିଳିଥିଲା। ଏପରି ଭାବରେ ୭ଟି ହିନ୍ଦୀ ସିନେମା କରି ୨୦୧୧ରେ ସେ ତାମିଲ ସିନେମା ‘ବେଦି’ରେ ପ୍ରଥମ ପଦାର୍ପଣ କରିଥିଲେ।

ସେହିପରି ୨୦୧୪ରେ ତେଲୁଗୁ ଫିଲ୍ମ ‘୧: ନେନୋକ୍କାଦିନ୍‌’ର ‘ଲଣ୍ଡନ ବାବୁ’ ଗୀତର ଏକ ବିଶେଷ ଭୂମିକାରେ ମଧ୍ୟ ନିଜକୁ ପରଖିଥିଲେ। ତେବେ ଅଭିନୟରେ ସେଭଳି ଚମକ ଆଣିପାରିନଥିବା ସୋଫି ପୁଣି ଥରେ ସଂଗୀତ ଆଲବମ୍‌ ଜଗତ୍‌କୁ ଫେରି ଆସି ଅଧ୍ୟବସାୟ ଜାରି ରଖିଛନ୍ତି। ସେହିପରି ବାସ୍ତବଧର୍ମୀ ଟିଭି ଧାରାବାହିକ ‘ଝଲକ ଦିଖଲା ଯା-୭’ ଓ ‘ବିଗ୍‌ ବସ୍‌-୮’ରେ ମଧ୍ୟ ସେ ଜଣେ ପ୍ରତିଯୋଗୀ ଭାବେ ନିଜକୁ ଉପସ୍ଥାପିତ କରିଥିଲେ। ତାଙ୍କର ଏହି କଳାକାର ଜୀବନର ଏପରି ପରିବର୍ତ୍ତନଶୀଳ କଙ୍କିଳ ଯାତ୍ରାରେ ସୋଫିଙ୍କୁ ୨୦୦୧ରେ ଶ୍ରେଷ୍ଠ ନବାଗତା ଭାବେ ୟୁକେ ଏସୀୟ ପପ୍‌ ସମ୍ମାନ, ୨୦୦୪ରେ ସଂଗୀତର ଶ୍ରେଷ୍ଠ ମନୋରମା ମହିଳା ଭାବେ ଲିକ୍ରା ଏମ୍‌ଟିଭି ଷ୍ଟାଇଲ୍‌ ସମ୍ମାନ ଓ ୨୦୦୫ରେ ବଲିଉଡ୍‌ ସଂଗୀତ ସମ୍ମାନ ମିଳିଛି।

ସମ୍ବନ୍ଧିତ ଖବର