ହଠାତ୍ ବିଗିଡିଲା ‘ବାହୁବଲୀ’ର କଟପ୍ପାଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି ହେବା ପରେ ଆରୋଗ୍ୟ କାମନା କରି ଚାଲିଛି ପୂଜାର୍ଚ୍ଚନା

ମୁମ୍ବାଇ: ଏବେ ଦେଶରେ କାୟା ବିସ୍ତାର କରି ଚାଲିଛି କରୋନାର ତୃତୀୟ ଲହର । ଏଥିରେ ଅଭିନୟ ଜଗତର ଅନେକ ଆକ୍ରାନ୍ତ ହୋଇଥିବା ଖବର ଆସୁଛି । ବଲିଉଡର ଅନେକ ଅଭିନେତା ଅଭିନେତ୍ରୀ ଏଥିରେ ସଂକ୍ରମିତ ହୋଇଥିବାବେଳେ ସାଉଥ୍ ଇଣ୍ଡଷ୍ଟ୍ରି ମଧ୍ୟ ଏବେ କରୋନା କବଳରେ । ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଫିଲ୍ମ ‘ବାହୁବଲୀ’ର କଟପ୍ପା ବୋଲାଉଥିବା ସତ୍ୟରାଜ ଏବେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ ମୁତାବକ, ବରିଷ୍ଠ ଅଭିନେତା ସତ୍ୟରାଜଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ପୂର୍ବରୁ ସେ କରୋନାର ଲକ୍ଷଣ ଦେଖାଇଥିଲେ । ପରୀକ୍ଷା କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେସନରେ ରହିଥିଲେ। ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ପରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ଶୁକ୍ରବାର ସନ୍ଧ୍ୟାରେ ସତ୍ୟରାଜ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତେବେ ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏଯାଏଁ କୌଣସି ବିବୃତ୍ତି ଦିଆଯାଇନାହିଁ । କିନ୍ତୁ ତାଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରୁଛନ୍ତି ତାଙ୍କ ପ୍ରଶଂସକ ।

ଏହା ପୂର୍ବରୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତା କରୋନା ସଂକ୍ରମିତ ହୋଇଥିଲେ । ଫିଲ୍ମ ଷ୍ଟାର ମହେଶ ବାବୁଙ୍କଠାରୁ ଆରମ୍ଭ କରି ମାଞ୍ଚୁ ମନୋଜ, ମାଞ୍ଚୁ ଲକ୍ଷ୍ମୀ, ସଙ୍ଗୀତ ନିର୍ଦ୍ଦେଶକ ତମନ ନୀତିନଙ୍କ ପତ୍ନୀ ଏବଂ ଅଭିନେତା ବିଶ୍ୱକେସନ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।
ସମ୍ବନ୍ଧିତ ଖବର