ବର୍ଷକରେ ଦୁଇ ଖାଁଙ୍କ ସହ ଚଳଚ୍ଚିତ୍ରରେ କାମ କଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ସବୁଠାରୁ ପ୍ରସିଦ୍ଧ ଦୁଇ ଖାନ ସଲମାନ କିମ୍ବା ଶାହରୁଖଙ୍କ ମଧ୍ୟରୁ ଜଣଙ୍କ ସହିତ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇବା ପରେ ଅନେକ ଅଭିନେତ୍ରୀଙ୍କର ଭାଗ୍ୟ ବଦଳି ଯାଇଛି। ଏବେ ଜଣେ ଟିଭି ଅଭିନେତ୍ରୀ ଏକ ବିରଳ ସୁଯୋଗ ସ୍ବରୂପ ଆସନ୍ତା ବର୍ଷ ସଲମାନ ଓ ଶାହରୁଖ ଉଭୟଙ୍କ ସହିତ ଦୁଇଟି ଚଳଚ୍ଚିତ୍ରରେ ଝଲସିବେ। ସେ ହେଉଛନ୍ତି ରିଦ୍ଧି ଡୋଗରା। ରିଦ୍ଧି ସଲମାନ ଖାଁଙ୍କ ‘ଟାଇଗର୍‌ ୩’ରେ ଅଭିନୟ କରିଛନ୍ତି ବୋଲି କିଛି ଦିନ ତଳେ ଶୁଣିବାକୁ ମିଳିଥିଲା। ପୁଣି ତାଙ୍କୁ ଶାହରୁଖ ଖାଁଙ୍କ ‘ଯଵାନ’ ଚଳଚ୍ଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳିଥିବାର ଜଣାପଡ଼ିଛି। ସେ ଉଭୟ ଚଳଚ୍ଚିତ୍ରରେ ନିଜ ଚରିତ୍ରରେ ସୁଟିଂ ସାରିଛନ୍ତି। ଜଣେ ନୃତ୍ୟାଙ୍ଗନା ଭାବେ ପେସା ଆରମ୍ଭ କରି କ୍ରମେ ଟେଲିଭିଜନ୍ ଧାରାବାହିକରେ ଅଭିନୟ କରିଆସିଥିବା ରିଦ୍ଧି ଏବେ ବଲିଉଡ୍‌ ସିନେମା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ‘ଯଵାନ’ରେ ତାଙ୍କର ଚରିତ୍ର ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିଲେ ବି ସେଥିରେ ସେ ଏକ କ୍ଷୁଦ୍ର ଚରିତ୍ରରେ ଦେଖାଦେବେ ବୋଲି ଶୁଣାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ରିଦ୍ଧି ଶାହରୁଖଙ୍କର ଜଣେ ବଡ଼ ପ୍ରଶଂସିକା। ତେଣୁ ‘ଯଵାନ’ରେ ଅଭିନୟ କରିବା ତାଙ୍କ ପାଇଁ ସ୍ବପ୍ନ ସତ ହେବା ଭଳି ଅଭିଜ୍ଞତା ଥିଲା ଏବଂ ଏହାର ମୁକ୍ତିଲାଭକୁ ସେ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିବାର କହିଛନ୍ତି। ଅଭିନବ ଅଭିନେତା ଚୟନକୁ ନେଇ ‘ଯଵାନ’ ଚଳଚ୍ଚିତ୍ର ଚର୍ଚ୍ଚାରେ ରହିଆସିଛି। ଲୋକପ୍ରିୟ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଏଟଲୀ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଉଭୟ ବଲିଉଡ୍‌ ଓ ଦକ୍ଷିଣ ଚଳଚ୍ଚିତ୍ର ଦୁନିଆର ଅଭିନେତା-ଅଭିନେତ୍ରୀ ଏଥିରେ ଅଭିନୟ କରିଛନ୍ତି। ଏହା ଜରିଆରେ ଦକ୍ଷିଣ ଅଭିନେତ୍ରୀ ନୟନତାରା ବଲିଉଡ୍‌ରେ ପାଦ ଦେଉଥିବା ବେଳେ ବିଜୟ ସେତୁପତି ଏଥିରେ ଖଳନାୟକ ଭାବରେ ଦେଖାଦେବେ। ପୁନେ, ମୁମ୍ବାଇ, ହାଇଦ୍ରାବାଦ ଓ ଚେନ୍ନାଇ ଆଦି ସ୍ଥାନରେ ଏହାର ସୁଟିଂ ହୋଇଥିବାରୁ ଏହା ଏକ ସର୍ବଭାରତୀୟ ଚଳଚ୍ଚିତ୍ର ବୋଲି ପ୍ରଚାର ହେଉଛି। ଆସନ୍ତା ବର୍ଷ ଜୁନ୍ ୨ରେ ଏହା ବଡ଼ ପରଦାରେ ମୁକ୍ତିଲାଭ କରିବ। ସେହିପରି ‘ଟାଇଗର୍‌ ୩’ ହେଉଛି ଲୋକପ୍ରିୟ ‘ଟାଇଗର୍‌’ ଚଳଚ୍ଚିତ୍ର ଶୃଙ୍ଖଳାର ତୃତୀୟ ଚଳଚ୍ଚିତ୍ର ଯେଉଁଥିରେ ସଲମାନ ଓ କ୍ୟାଟ୍ରିନାଙ୍କ ସହିତ ପ୍ରଥମ ଥର ପାଇଁ ଇମରାନ ହାସମି ଏକାଠି ଦେଖାଦେବେ। ଏହା ବଲିଉଡ୍‌ର ଅନ୍ୟତମ ବ୍ୟୟବହୁଳ ଚଳଚ୍ଚିତ୍ର ହେବାକୁ ଯାଉଛି ଯେଉଁଥିରେ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆସନ୍ତା ବର୍ଷ ଦୀପାବଳିରେ ‘ଟାଇଗର୍‌ ୩’ ରିଲିଜ୍ ହେବା ନିର୍ଦ୍ଧାରିତ ହୋଇଛି। ଉଭୟ ଚଳଚ୍ଚିତ୍ରରେ ରିଦ୍ଧିଙ୍କ ଅଭିନୟ ଦେଖିବା ଲାଗି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର