ୟୁକ୍ରେନର ପତାକା ରଙ୍ଗର ସୁଟ୍ ପିନ୍ଧି ମହାକାଶ କେନ୍ଦ୍ରରେ ପହଞ୍ଚିଲେ ୩ ରୁଷୀୟ ମହାକାଶଚାରୀ, ଜାଣନ୍ତୁ କାହିଁକି

ମସ୍କୋ: ଅନ୍ତ୍ରର୍ଜାତୀୟ ମହାକାଶ କେନ୍ଦ୍ରରେ ଶୁକ୍ରବାର ପହଞ୍ଚିଥିବା ୩ ରୁଷୀୟ ମହାକାଶଚାରୀଙ୍କ ସୁଟ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ତିନି ମହାକାଶଚାରୀ ହଳଦିଆ ଓ ନୀଳ ରଙ୍ଗର ସୁଟ୍ ପିନ୍ଧିଥିଲେ ଯାହା ୟୁକ୍ରେନର ପତାକାର ରଙ୍ଗ। ଏହାକୁ ଦେଖି ସେଠାରେ ଥିବା ଆମେରିକା ଓ ଜର୍ମାନୀର ମହାକାଶଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗତ ମାସରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ, ଏହା ପ୍ରଥମ ଥର ପାଇଁ ଥିଲା ଯେତେବେଳେ ରୁଷୀୟ ମହାକାଶଚାରୀ ମହାକାଶ କେନ୍ଦ୍ର ପହଞ୍ଚିଥିଲେ।

ରୁଷୀୟ ମହାକାଶ ଏଜେନ୍ସି ରୋସକୋସମୋସର ତିନି ମହାକାଶ ଯାତ୍ରୀ ଓଲେଗ୍ ଅର୍ତେମେଭ୍, ଡେନିସ୍ ମାତୟେଭ ଓ ସର୍ଗେଇ କୋର୍ସାକୋଭ୍, ସୋୟୁଜ ଏମଏସ୍-୨୧ ରକେଟ୍ ଦ୍ଵାରା କାଜାଖସ୍ତାନର ବେକୋନୁର ଲଞ୍ଚପ୍ୟାଡ୍ ଠାରୁ ଶୁକ୍ରବାର ରାତି ୮ଟା ୫୫ ମିନିଟରେ ମହାକାଶ ପାଇଁ ଉଡାଣ ଭରିଥିଲେ। ପ୍ରାୟ ୩ ଘଣ୍ଟା ପରେ ତିନି ମହାକାଶ ଯାତ୍ରୀ ଅନ୍ତ୍ରର୍ଜାତୀୟ ମହାକାଶ କେନ୍ଦ୍ର ପହଞ୍ଚିଥିଲେ।

ରୋସକୋସମୋସର ମୁଖ୍ୟଙ୍କ ଅନୁସାରେ ରୁଷୀୟ ମହାକାଶଚାରୀ ୟୁକ୍ରେନର ସମର୍ଥନ କରୁ ନଥିଲେ। ରୁଷୀୟ ମହାକାଶଚାରୀ ପ୍ରକୃତରେ ନିଜର ବିଶ୍ଵବିଦ୍ୟାଳୟ, ବାଉମନ ମସ୍କୋ ଷ୍ଟେଟ୍ ଟେକ୍ନିକାଲ୍ ବିଶ୍ଵବିଦ୍ୟାଳୟର ରଙ୍ଗ ପିନ୍ଧିଥିଲେ। ସେମାନଙ୍କ କହିବା ଅନୁସାରେ, ଆମ ସୁଟରେ ହଳଦିଆ ରଙ୍ଗ କେବଳ ଏକ ରଙ୍ଗ ଅଟେ। ଏହା ବିଶ୍ଵବିଦ୍ୟାଳୟର ପ୍ରତୀକ ରଙ୍ଗ ସହିତ ମେଳ ଖାଇବା ପାଇଁ ଡିଜାଇନ କରାଯାଇଥିଲା। ମହାକାଶକୁ ଯିବା ପୂର୍ବରୁ ସବୁ ଦଳକୁ ନିଜ ସୁଟର ରଙ୍ଗ ବାଛିବାକୁ ସ୍ଵାଧାନତା ଦିଆଯାଇଥାଏ। ସୁଟର ରଙ୍ଗ କିଛି ମାସ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥାଏ। ଯେତେବେଳେ ଆମକୁ ସୁଟ୍ ରଙ୍ଗ ବାଛିବାର ସୁଯୋଗ ମିଳିଥିଲା ସେତେବେଳେ ଆମେ ବିଶ୍ଵବିଦ୍ୟାଳୟ ରଙ୍ଗ ସହ ମିଶୁଥିବା ରଙ୍ଗ ବାଛିଥିଲୁ।

ରୁଷର ସୋୟୁଜ୍ କ୍ୟାପସୁଲ୍ ଦ୍ଵାରା ୩୦ ମାର୍ଚ୍ଚରେ ତିନି ମହାକାଶଚାରୀ ପୃଥିବୀକୁ ଫେରିବେ। ଆମେରିକା ତରଫରୁ ରୁଷିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଦ୍ଵାରା ନିରାଶ ହୋଇ ରୁଷିଆ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଧ୍ଵଂସ କରିବାକୁ ଧମକ ଦେଇଥିଲା। ଏହାପରେ ୟୁରୋପୀୟ ମହାକାଶ କେନ୍ଦ୍ର ବି ରୁଷିଆକୁ ୮ ହଜାର କୋଟି ଟଙ୍କାରୁ ଅଧିକ ମଙ୍ଗଳ ମିଶନରୁ ବାହାର କରି ଦେଇଥିଲା।

ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ପ୍ରତି ନିଜର ସମର୍ଥନ ଜଣାଇବା ପାଇଁ ଅନେକ ଲୋକ ୟୁକ୍ରେନ ପତାକା ସହିତ ମିଶୁଥିବା ପୋଷାକ ପିନ୍ଧୁଛନ୍ତି।

ସମ୍ବନ୍ଧିତ ଖବର