୫ ବର୍ଷରେ ନର୍ଦ୍ଦମା ଓ ଟାଙ୍କି ସଫା କରି ୪୪୩ ଜଣଙ୍କ ମୃତ୍ୟୁ ଘଟିଛି: ସରକାର

ନୂଆଦିଲ୍ଲୀ: ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ୨୦୧୮ରୁ ଦେଶରେ ସେପ୍ଟିକ୍ ଟାଙ୍କି ଓ ନର୍ଦ୍ଦମା ସଫା କରିବା ସମୟରେ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଦସ୍ୟ ଅପରୂପା ପୋଦ୍ଦାରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଲୋକସଭାରେ କହିଛନ୍ତି ଯେ, ୨୦୧୮ରୁ ଚଳିତ ବର୍ଷ ନଭେମ୍ବର ୨୦ ମଧ୍ୟରେ ନର୍ଦ୍ଦମା ଓ ସେପ୍ଟିକ୍ ଟାଙ୍କି ସଫା କରିବା ସମୟରେ ୪୪୩ ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୮ରେ ୭୬, ୨୦୧୯ରେ ୧୩୩, ୨୦୨୦ରେ ୩୫, ୨୦୨୧ରେ ୬୬, ୨୦୨୨ରେ ୮୪ ଏବଂ ଚଳିତ ବର୍ଷ ନଭେମ୍ବର ୨୦ ସୁଦ୍ଧା ୪୯ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୫ ବର୍ଷ ମଧ୍ୟରେ ସେପ୍ଟିକ୍ ଟାଙ୍କି ଓ ନର୍ଦ୍ଦମା ସଫା କରିବା ସମୟରେ କେତେ ମୃତ୍ୟୁ ଘଟିଛି ତାହାର ରାଜ୍ୟସ୍ତରୀୟ ବିବରଣୀ ମାଗିଥିଲେ ପୋଦ୍ଦାର। ସରକାରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜସ୍ଥାନରେ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଓ ତାମିଲନାଡୁରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଅଠାଓ୍ୱାଲେ କହିଛନ୍ତି ଯେ ୨୦୧୮ରେ ନୀତି ଆୟୋଗଙ୍କ ନିର୍ଦ୍ଦେଶରେ କରାଯାଇଥିବା ନ୍ୟାସନାଲ ସର୍ଭେ ଅଫ୍ ମାନୁଆଲ ସ୍କାଭେଞ୍ଜର୍ସରେ ୪୪,୨୧୭ ଜଣ ମାନୁଆଲ ସ୍କାଭେଞ୍ଜର (ହାତରେ ମଳ ଉଠାଳି)ଙ୍କୁ ଚିହ୍ନଟ କରାଯାଇଥିଲା। ମାନୁଆଲ ସ୍କାଭେଞ୍ଜର ଭାବେ ନିଯୁକ୍ତି ନିଷେଧ ଏବଂ ସେମାନଙ୍କ ଥଇଥାନ ଆଇନ, ୨୦୧୩ ଅନୁଯାୟୀ ହାତରେ ମଳ ଉଠାଇବାକୁ ନିଷିଦ୍ଧ କରାଯାଇଛି। ମାନୁଆଲ ସ୍କାଭେଞ୍ଜିଂ କାରଣରୁ ହେଉଥିବା ମୃତ୍ୟୁ ଏବଂ ନର୍ଦ୍ଦମା ସଫା କରିବା ସମୟରେ ଘଟିଥିବା ମୃତ୍ୟୁ ମଧ୍ୟରେ ସରକାର ପାର୍ଥକ୍ୟ କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ନର୍ଦ୍ଦମା ଓ ସେପ୍ଟିକ୍ ଟାଙ୍କି ସଫା କରିବା ନିଷିଦ୍ଧ ପ୍ରଥାର ଏକ ସମ୍ପ୍ରସାରଣ।

ସମ୍ବନ୍ଧିତ ଖବର