ସ୍ବାସ୍ଥ୍ୟ ବିଭାଗର ଆକଳନ; ୨୦୩୬ରେ ଓଡ଼ିଶା ହେବ ବୟସ୍କଙ୍କ ରାଜ୍ୟ

ଖସୁଛି ରାଜ୍ୟର ଜନସଂଖ୍ୟା, ୩ ସଂପ୍ରଦାୟର ଟିଏଫ୍‌ଆର୍‌ ଭିନ୍ନଭିନ୍ନ

ଭୁବନେଶ୍ବର: ଦଶ ବର୍ଷ ପରେ ଓଡ଼ିଶାର ଜନସଂଖ୍ୟା ବଢ଼ିବା ବଦଳରେ ଖସୁଥିବ। ରାଜ୍ୟର ସମୁଦାୟ ପ୍ରଜନନ ହାର(ଟିଏଫ୍‌ଆର୍‌) ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଥିବା ଓ ଧୀରେଧୀରେ ଆହୁରି ହ୍ରାସ ପାଉଥିବା ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗ ଏଭଳି ଅନୁମାନ କରିଛି। ଆଉ ପାଦେ ଆଗକୁ ଯାଇ କହିଲେ, ଖୁବ୍‌ ଶୀଘ୍ର ଓଡ଼ିଶା ବୟସ୍କମାନଙ୍କର ଏକ ରାଜ୍ୟ ପାଲଟିବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ପରିବାର ନିୟୋଜନ ୨୦୩୦ ଭିଜନ୍‌ ଡକ୍ୟୁମେଣ୍ଟରେ ଏଭଳି ଆକଳନ କରାଯାଇଛି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ଅନୁଯାୟୀ, ରାଜ୍ୟରେ ଟିଏଫ୍‌ଆର ଏବେ ୧.୮ ରହିଛି। ଯାହାକି ରିପ୍ଲେସମେଣ୍ଟ ରେଟ୍‌ ବା ସନ୍ତୁଳିତ ହାର ୨.୧ଠାରୁ କମ୍। ଆସନ୍ତାବର୍ଷଠାରୁ ରାଜ୍ୟର ଟିଏଫ୍‌ଆର ୧.୮ ବଦଳରେ ୧.୬କୁ ଖସିଯିବା ନେଇ ଆକଳନ କରାଯାଇଛି। ରାଜ୍ୟରେ ଯଦି ୩ ଧର୍ମାବଲମ୍ବୀ ପରିବାର କଥା ବିଚାରକୁ ନିଆଯାଏ ତା’ହେଲେ ହିନ୍ଦୁମାନଙ୍କ କ୍ଷେତ୍ରରେ ଏହା ୧.୮, ମୁସଲିମଙ୍କର ୧.୯ ଓ ଖ୍ରୀଷ୍ଟିୟାନ୍‌ ବର୍ଗରେ ଏହା ୨.୩ ରହିଛି। ସେହିପରି ସହରାଞ୍ଚଳରେ ଟିଏଫ୍‌ଆର ୧.୬ ଓ ଗ୍ରାମାଞ୍ଚଳରେ ୧.୮ ରହିଛି। ୧୩ ବର୍ଷ ବେଳକୁ ରାଜ୍ୟର ଟିଏଫ୍‌ଆର ୧.୫ତଳକୁ ଖସିଯାଇଥାଇପାରେ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଜନସଂଖ୍ୟା ହାର ବେଶ୍ ଭଲ ରହିଛି। ହେଲେ ଏବେ ଅନେକ ପ୍ରଥମ ସନ୍ତାନ ଜନ୍ମକୁ ବିଳମ୍ବିତ କରୁଛନ୍ତି। ଅଧିକାଂଶ ଦମ୍ପତି ଗୋଟିଏ ମାତ୍ର ପିଲା ଜନ୍ମ କରୁଛନ୍ତି। ଏହାସହ ଦାରିଦ୍ର୍ୟ ମଧ୍ୟ ଆଉ ଏକ ପ୍ରମୁଖ କାରଣ। ବର୍ତ୍ତମାନର ମହଙ୍ଗା ଯୁଗରେ ଗରିବ ଶ୍ରେଣୀର ଲୋକଟିଏ ମଧ୍ୟ ପିଲା ଜନ୍ମ ପାଇଁ କୁଣ୍ଠାବୋଧ କରିବାକୁ ଆରମ୍ଭ କଲାଣି। ଓଡ଼ିଶାରେ ଏବେ ଯୁବପିଢ଼ିଙ୍କ ସଂଖ୍ୟା ଅଧିକ ରହିଥିବାରୁ ଜନସଂଖ୍ୟା ବୃଦ୍ଧି ହେଉଛି। ହେଲେ ଏହା ସବୁଦିନ ପାଇଁ ଜାରି ରହିବ ନାହିଁ। କାରଣ ଏବେ ଯେଉଁ ଯୁବକମାନେ ରହିଛନ୍ତି ଆସନ୍ତା ୧୫ବର୍ଷ ପରେ ସେମାନଙ୍କ ବୟସ ୪୦-୪୫ବର୍ଷ ଛୁଇଁବ। ସେତେବେଳକୁ ଓଡ଼ିଶାରେ ଜନସଂଖ୍ୟା ପିରାମିଡ୍‌ ଭିନ୍ନ ହେବ। ତେଣୁ ଆସନ୍ତା ୧୩ବର୍ଷ ଅର୍ଥାତ୍ ୨୦୩୬ ବେଳକୁ ରାଜ୍ୟରେ ଜନସଂଖ୍ୟା ଖସୁଥିବା ଦେଖିବାକୁ ମିଳିବ।

ଅପରପକ୍ଷରେ ରାଜ୍ୟରେ ଜନ୍ମ ନିୟନ୍ତ୍ରଣର ସଫଳତାର ପରିସଂଖ୍ୟାନକୁ ଦେଖି ଏହାକୁ ଖୋଲା ଛଡ଼ା ଯାଇପାରିବ ନାହିଁ। ଏବେ ବି ୨୫% ଦମ୍ପତି ପାରମ୍ପରିକ ଗର୍ଭନିରୋଧକ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏଥିରେ ‌କିଛିଟା ସମସ୍ୟା ରହିଛି। ଏବେ ନୂଆ ନୂଆ ପଦ୍ଧତି ଉପଲବ୍ଧ ହେଲାଣି। ତେଣୁ ଏହି ନୂଆ ଗର୍ଭନିରୋଧକ ପଦ୍ଧତିକୁ ମହିଳମାନେ ଅବଲମ୍ବନ କରିବା ଉପରେ ଗୁରୁତ୍ବ ଦିଆଯିବ। ଜନସଂଖ୍ୟା ଓ ଗର୍ଭନିରୋଧକ ପଦ୍ଧତି ଇତ୍ୟାଦିକୁ ନଜରରେ ରଖି ପରିବାର ନିୟୋଜନ ୨୦୩୦ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି। ଏହି ଅବସରରେ ୨ଟି ନୂତନ ଗର୍ଭ ନିରୋଧକ ପଦ୍ଧତି ଆରମ୍ଭ କରାଯାଇଛି। ଗୋଟିଏ ହେଉଛି ସବ୍ ଡରମାଲ୍‌ ଇମ୍ପ୍ଲାଣ୍ଟ୍‌ ଓ ସବ୍‌କ୍ୟୁଟାନିୟମ୍‌ ଇଞ୍ଜେକଟେବଲ୍‌ କଣ୍ଟ୍ରାସେପଟିଭ୍‌ ଏମ୍‌ପିଏ(ଅନ୍ତରା)। ସବ୍ ଡରମାଲ୍‌ ଇମ୍ପ୍ଲାଣ୍ଟ୍‌ ଗଞ୍ଜାମ ଓ କଟକରେ ଆରମ୍ଭ କରାଯିବ। ଏହା ୩ବର୍ଷ ପାଇଁ ଗର୍ଭଧାରଣକୁ ରୋକିବ। ସବ୍‌କ୍ୟୁଟାନିୟମ୍‌ ଇଞ୍ଜେକଟେବଲ କଣ୍ଟ୍ରାସେପଟିଭ୍‌ ଏମ୍‌ପିଏ(ଅନ୍ତରା) ବାଲେଶ୍ବର ଓ ଗଜପତିରେ ଆରମ୍ଭ ହେବ। ଏହା ୩ମାସ ପାଇଁ ଗର୍ଭଧାରଣକୁ ରୋକିପାରିବ। ଏହି ନୂତନ ଗର୍ଭ ନିରୋଧକ ପଦ୍ଧତିର ବ୍ୟବହାର ଫଳରେ ମହିଳାଙ୍କ ପ୍ରଜନନ ସ୍ବାସ୍ଥ୍ୟରେ ସେମାନଙ୍କ ଅଧିକାରକୁ ଅଧିକ ସଶକ୍ତ କରିବ। ସବୁ ମହିଳା ଓ କିଶୋରୀ ସୁସ୍ଥ ଜୀବନଯାପନ କରିବା ସହିତ ଗର୍ଭନିରୋଧ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର