କଟକର ବିପର୍ଯ୍ୟସ୍ତ ରାସ୍ତାଘାଟକୁ ନେଇ ହାଇକୋର୍ଟ ପୁଣି କ୍ଷୁବ୍ଧ: ସତ୍ୟପାଠର ତଥ୍ୟ ଓ ବାସ୍ତବ ସ୍ଥିତି ଆକାଶପାତାଳ ଫରକ

ପୂର୍ତ୍ତ ବିଭାଗ ଅଧିକାରୀଙ୍କ ତଥ୍ୟକୁ ନେଇ ପ୍ରଶ୍ନ କଲେ

କଟକ: କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟର ଉପଯୁକ୍ତ ମରାମତି ଓ ପୁନଃନିର୍ମାଣ ହୋଇ ନଥିବାରୁ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସହରରେ କରାଯାଇଥିବା ରାସ୍ତାଘାଟ ମରାମତି, ପୁନଃନିର୍ମାଣ ଓ ଅନ୍ୟ କାର୍ଯ୍ୟ ପ୍ରସଂଗରେ ଆର ଆଣ୍ଡ ବି ଡିଭିଜନ-୧ ଓ ୨, ସିଏମସି ପକ୍ଷରୁ ପୃଥକ ସତ୍ୟପାଠ ଦାଖଲ କରାଯାଇଥିଲା। ସିଏମସି ସତ୍ୟପାଠରେ ମରାମତି କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିସ୍ତୃତ ତଥ୍ୟ ଉଲ୍ଲେଖ କରାଯାଇଥିଲା। କେତେକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ କେତେକ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସିଏମସି ତରଫରୁ ଦର୍ଶାଯାଇଥିଲା। ଆର ଆଣ୍ଡ ବି ପକ୍ଷରୁ ଦାଖଲ ସତ୍ୟପାଠରୁ କେତେକ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏଥିସହିତ ବିଭିନ୍ନ ମରାମତି କାର୍ଯ୍ୟ ପ୍ରସଂଗରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଆର ଆଣ୍ଡ ବି ସତ୍ୟପାଠରେ ରହିଥିବା ତଥ୍ୟକୁ ନେଇ କିନ୍ତୁ ଶୁଣାଣି ସମୟରେ ପ୍ରଶ୍ନ ଉଠିଥିଲା। ପୂର୍ବରୁ ସହରର ବିଭିନ୍ନ ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ ହୋଇଥିବା ଓ ଜାରି ରହିଥିବା ନେଇ ଆର ଆଣ୍ଡ ବି କହିଥିଲା। କିନ୍ତୁ କେତେକ କାର୍ଯ୍ୟ ପାଇଁ ଟେଣ୍ଡର ଚୂଡାନ୍ତ ହୋଇ ନଥିବା‌ ଆଜି ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା।

ସହରରେ ଆର ଆଣ୍ଡ ବି ଅଧୀନରେ ୧୨୯ କି.ମି. ରାସ୍ତା ରହିଥିବା ବେଳେ ଏଥିରୁ ପ୍ରାୟ ଶହେ କି.ମି. ରାସ୍ତାର ମରାମତି ହୋଇଛି ବୋଲି ଶୁଣାଣି ସମୟରେ ଉପସ୍ଥିତ ଅଧିକାରୀ ଦର୍ଶାଇଥିଲେ। ଅନ୍ୟପକ୍ଷରେ ତଥ୍ୟ ଠାରୁ ବାସ୍ତବ ସ୍ଥିତି ଭିନ୍ନ ରହିଥିବା ସ୍ପଷ୍ଟ ହୋଇଥିଲା। ସହରର ବହୁ ସ୍ଥାନରେ ଏବେ ମଧ୍ୟ ରାସ୍ତା ଅବସ୍ଥା ଶୋଚନୀୟ ଥିବା ବେଳେ ଆର ଆଣ୍ଡ ବି ତଥ୍ୟ କିନ୍ତୁ ଭିନ୍ନ କଥା କହୁଥିଲା। ଏଭଳି ତଥ୍ୟକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ଆର ଆଣ୍ଡ ବି ଅଧିକାରୀ ଦେଇଥିବା ତଥ୍ୟ ଠିକ୍ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଏବେ ମଧ୍ୟ ବହୁ ସ୍ଥାନରେ କାମ ହୋଇ ନାହିଁ। ଯେତିକି ବି କା‌ମ ହୋଇଛି ତାହା ଯଥେଷ୍ଟ ନୁହେଁ। ସହରର ଜନସାଧାରଣ ଯେଭଳି ଉପଯୁକ୍ତ ସୁବିଧା ପାଇ ପାରିବେ ତାହା ସୁନିଶ୍ଚିତ କରିବା ବିଭିନ୍ନ ବିଭାଗର ଦାୟିତ୍ବ। ଯଦି ଦାୟିତ୍ବ ନିର୍ବାହରେ ଅବହେଳା ହୁଏ ତେବେ ସଂପୃକ୍ତ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ହାଇକୋର୍ଟ ସତର୍କ କରାଇ ଦେଇଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ ସହରରେ ହୋଇଥିବା ବିଭିନ୍ନ ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ, ‌ଜାରି ରହିଥିବା କାର୍ଯ୍ୟ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ସବୁ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ, କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ପ୍ରସଂଗକୁ ନେଇ ୨୦୨୦ରେ ହାଇକୋର୍ଟ ନିଜ ଆଡ଼ୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ରାସ୍ତାଘାଟର ଉପଯୁକ୍ତ ମରାମତି ନ ହେବା, ଠିକ୍ ଭାବେ ଡ୍ରେନ୍ ସଫେଇ ନହେବା ଓ ସାଧାରଣ ମୌଳିକ ସୁବିଧା ପ୍ରଦାନରେ ଅବହେଳା ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଆମିକସକ୍ୟୁରୀ ଇଂଜିନିୟର ଏନ. କେ. ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏଥି ସହିତ ୨୦୨୦ ଡିସେମ୍ବର ୧୪ରେ ଓ ଆଡଭୋକେଟ କମିସନର ଭାବେ ସରୋଜ କୁମାର ପାଢୀ, ପଦ୍ମାଳୟା ମହାପାତ୍ର, ସିଦ୍ଧାର୍ଥ ଦାଶ, ପି.ସି.ନାୟକ, ଏସ୍‌.ମହାନ୍ତିଙ୍କୁ ହାଇକୋର୍ଟ ନିଯୁକ୍ତି ଦେଇଥିଲେ।

ସମ୍ବନ୍ଧିତ ଖବର