ବାତ୍ୟା ‘ମିଗଜୋମ୍‌’ ପାଇଁ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପାଣି ଛାଡ଼ିବା ଜାରି

ଉପରମୁଣ୍ଡରୁ ବର୍ଷା ପାଣି ପସୁଛି, ଆକଳନ ପରେ ଗେଟ୍ ବନ୍ଦ ପାଇଁ ଚିନ୍ତା

ଜୟପୁର: ଜୟପୁର ବ୍ଲକର ରାଣୀଗଡ଼ ନିକଟରେ ଥିବା ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ଗୋଟିଏ ଗେଟକୁ ବାତ୍ୟା ‘ମିଗଜୋମ୍‌’ର ପ୍ରଭାବକୁ ଦୃଷ୍ଟିରେ ରଖି ଖୋଲା ରଖାଯାଇଛି ବୋଲି କହିଛନ୍ତି ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରଦୀପ କୁମାର ସେନାପତି। ଜଳଭଣ୍ଡାର ଥିବା ଉପରମୁଣ୍ଡ ଅଂଚଳରେ ଗତ କାଲି  ପ୍ରବଳ ବର୍ଷା ହୋଇଛି। ବର୍ଷା ପାଣି ସବୁ ଆଜି ଦିନ ତମାମ ଜଳଭଣ୍ଡାର ମଧ୍ୟରେ ପ୍ରବେଶ କରିଛି। ତେଣୁ କେତେ ପରିମାଣର ପାଣି ଜମା ହେଲାଣି ତାହାର ଆକାଳନ ଆସନ୍ତାକାଲି କରାଯିବା ପରେ ସର୍ବନିମ୍ନ ଜଳଭଣ୍ଡାରେ ଆସନ୍ତାଦିନରେ ରବି ଚାଷ ପାଇଁ ପାଣି ଛାଡ଼ିବାକୁ ଜମା କରି ରଖାଯିବ ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ।

ସୂଚନା ଅନୁଯାୟୀ, ବାତ୍ୟା ମୋଗଜାମର ପ୍ରଭାବରେ ମଙ୍ଗଳବାର ସକାଳ ୮ଟାରୁ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ଜଳଭଣ୍ଡାର ଅଂଚଳରେ ଲାଗି ରହିଥିବା ଉପରମୁଣ୍ଡରେ ଥିବା କୋରାପୁଟ ବ୍ଲକରେ ୬୭.୨ମିଲିମିଟର, ଜୟପୁର ବ୍ଲକରେ ୩୭.୭ମିଲିମିଟର ଓ ବୋରିଗୁମ୍ମା ବ୍ଲକରେ ୩୫.୮ମିଲିମିଟର ବର୍ଷା ହୋଇଛି। ଆଜି ସକାଳ ୮ଟାରୁ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ କେତେ ପରିମାଣର ବର୍ଷା ହେଉଛି ତାହାର ଆକଳନ ଗୁରୁବାର ସକାଳୁ କରାଯିବ ‌ବୋଲି କହିଛନ୍ତି ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ। ପ୍ରକଳ୍ପରେ ଜଳଧାରଣା କ୍ଷମତା ୬୩୩ମିଟର ରହିଛି। ୬୩୨.୫ମିଟର ପାଣି ରହିଥିବାରୁ ଓ ବାତ୍ୟାରେ ୭୦ରୁ ୧୦୦ମିଲିମିଟର ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗରୁ ସୂଚନା ପାଇବା ପରେ ଗୋଟିଏ ଗେଟ୍ ଖୋଲାଯାଇଥିଲା।

ଜଳଭଣ୍ଡାରର କ୍ଷମତା ୬୩୧ମିଟରେ ରଖିବା ସହ ଆଗାମୀ ଦିନରେ ରବିଚାଷ ପାଇଁ ୪୨୧୪ହେକ୍ଟର ଜମିରେ ୧୨ଟି ସବକେନାଲରେ ପାଣି ଯୋଗାଯିବା ଲକ୍ଷରହିଛି। ତେଣୁ ପାଣି ଗୋଟିଏ ଗେଟରୁ ଛଡ଼ାଯାଉଛି ବୋଲି କହିଛନ୍ତି ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ଇଂ.ସେନାପତି। ଆଜି, ଆସନ୍ତାକାଲିର ବାତ୍ୟା ଓ ଉପରମୁଣ୍ଡର ବର୍ଷାର ସ୍ଥିତିକୁ ପରଖିବା ସହ ଏସଓପି ଅନୁଯାୟୀ କେତେ ପାଣି ଜଳଭଣ୍ଡାରରେ ରହିଛି ତାହାକୁ ତଦାରଖ କରିବା ପରେ ଗେଟ୍ ଖୋଲା ରଖିବେ ନାଁ ବନ୍ଦ ରଖାଯିବ ସେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ। ପାଣି ଛଡ଼ାଯିବା ପରେ ତଳମୁଣ୍ଡରେ କେତେ ପାଣି ପହଚିଂଛି ତାହାର ଅନୁଧ୍ୟାନ ତହସିଲଦାର ଡ.ଆଚାର୍ଜୀ ଓ ବରିଷ୍ଠ ପରିଦର୍ଶକ ଶତପଥୀ କରିଥିଲେ। ତଳମୁଣ୍ଡରେ ଥିବା ଗ୍ରାମାଂଚଳର ଲୋକଙ୍କୁ ଡାକି ସଚେତନତା ସୃଷ୍ଟି କରିଥିଲେ।

 

ସମ୍ବନ୍ଧିତ ଖବର