‘ପରମାଣୁ ଶକ୍ତିକେନ୍ଦ୍ର’ଠାରୁ ଶହେଗୁଣ ଅଧିକ ବିକିରଣ: ମୃତ୍ୟୁଯନ୍ତା ବସାଇଛି ଫ୍ଲାଏ ଆସ୍
ସର୍ବାଧିକ ଅସୁରକ୍ଷିତ ତାଲିକାରେ ଓଡ଼ିଶାର ଅନୁଗୁଳ ଓ ଝାରସୁଗୁଡ଼ା
ଝାରସୁଗୁଡ଼ା/ଇବ୍ ଥର୍ମାଲ: ତାପଜ ବିଦ୍ୟୁତ୍ କେନ୍ଦ୍ର ତଥା ବିଭିନ୍ନ ଶିଳ୍ପାନୁଷ୍ଠାନରେ କୋଇଲା ଦହନରୁ ନିର୍ଗତ ଫ୍ଲାଏ ଆସ୍ ମଧ୍ୟ ବିକିରଣ କରିଥାଏ। ୟୁରାନିୟମ, ଥୋରିୟମ୍, ରେଡିୟମ ଭଳି ତେଜସ୍କ୍ରିୟ ଧାତୁ କାରଣରୁ ଏହି ଫ୍ଲାଏ ଆସ୍ର ବିକିରଣ ପରମାଣୁ ଶକ୍ତିକେନ୍ଦ୍ରର ବିକିରଣଠାରୁ ପ୍ରାୟ ଶହେ ଗୁଣ ଅଧିକ। ଯାହା ଉଭୟ ମଣିଷ ଓ ପରିବେଶ ପାଇଁ ହାନିକାରକ। ଆନ୍ତର୍ଜାତିକ ଜର୍ଣ୍ଣାଲ ‘ଜର୍ଣ୍ଣାଲ ଅଫ୍ ଏନଭିରନମେଣ୍ଟାଲ ମ୍ୟାନେଜମେଣ୍ଟ’ରେ ପ୍ରକାଶିତ ‘ପାଉଁଶ ଯୋଗୁ ହେଉଥିବା ବିକିରଣ ଓ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ’ ଶୀର୍ଷକ ଗବେଷଣାତ୍ମକ ସନ୍ଦର୍ଭରେ ଏ ସମ୍ପର୍କରେ ସତର୍କ କରି ଦିଆଯାଇଛି। ଓୟୁଟିଆର୍ର ମଧୁସ୍ମିତା ମିଶ୍ର, ଉତ୍କଳ ବିଶ୍ବବିଦ୍ୟାଳୟର ସରୋଜ କୁମାର ସାହୁ, ‘ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଫର୍ ହ୍ୟୁମାନିଟି ଆଣ୍ଡ ନେଚର’ର ପୁନମ ମଙ୍ଗରାଜ ଓ ଆଇଆଇଟିଏମ୍ର ଜି. ବେଗ୍ଙ୍କ ଏହି ଗବେଷଣାରେ ଦେଶର ୨୭୨ଟି ଶିଳ୍ପ ପ୍ରଭାବିତ ଜିଲ୍ଲାର ରିପୋର୍ଟ ଦିଆଯାଇଛି। ଉଦ୍ବେଗର ବିଷୟ, ତାଲିକାରେ ସର୍ବାଧିକ ଅସୁରକ୍ଷିତ ୧୦ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର ଅନୁଗୁଳ ଓ ଝାରସୁଗୁଡ଼ା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କୋଇଲାରେ ତେଜସ୍କ୍ରିୟ ପଦାର୍ଥ ରହିଛି। ପ୍ରାକୃତିକ ଅବସ୍ଥାରେ କୋଇଲାରେ ସେଗୁଡ଼ିକର ପ୍ରଭାବ ପ୍ରାୟତଃ ଶୂନ ରହିଥାଏ। ମାତ୍ର କୋଇଲା ଯେତେବେଳେ ପୋଡ଼ି ପାଉଁଶ ହୁଏ ସେତେବେଳେ ଏଥିରେ ୟୁରାନିୟମ, ଥୋରିୟମ, ରେଡିୟମ୍ ଭଳି ତେଜସ୍କ୍ରିୟ ପଦାର୍ଥ ସେମାନଙ୍କ ପ୍ରାକୃତିକ ସ୍ଥିତି ଅପେକ୍ଷା ୫ ଗୁଣ ଅଧିକ କ୍ଷତିକାରକ ହୋଇଉଠନ୍ତି। ଏହି ଉଡ଼ନ୍ତା ପାଉଁଶ ତାପଜ ବିଦ୍ୟୁତ କେନ୍ଦ୍ରର ଆଖପାଖରେ ମାଟି, ପାଣି, ପବନରେ ମିଶି ଚାଷଜମି, ପାଣି, ଖାଦ୍ୟ ଆଦିକୁ ସାଂଘାତିକ ଭାବରେ ପ୍ରଦୂଷିତ ଏବଂ ପ୍ରଭାବିତ କରିଥାଏ। ଏଥିରେ ଥିବା ତେଜସ୍କ୍ରିୟ ଧାତୁ ମାଛ, କଙ୍କଡ଼ା, ଗେଣ୍ଡା, ପରିବା, ଖାଦ୍ୟଶସ୍ୟ ମାଧ୍ୟମରେ ଖାଦ୍ୟଶୃଙ୍ଖଳାରେ ପ୍ରବେଶ କରିଥାଏ। ନିରନ୍ତର ଫ୍ଲାଏ ଆସ୍ ସଂସ୍ପର୍ଶରେ ଆସିବାଦ୍ୱାରା ତାପଜ ବିଦ୍ୟୁତ କେନ୍ଦ୍ର ନିକଟରେ ରହୁଥିବା ଲୋକଙ୍କ ଶରୀରରେ ବିକିରଣ ପ୍ରଭାବ ଯୋଗୁ ଫୁସଫୁସ୍, ଗଳା ଓ ମୂତ୍ରାଶୟ କର୍କଟ ରୋଗ ହୋଇଥାଏ।
ଏପରିକି ରେଡିୟମର ରେଡିଓ ଆକ୍ଟିଭ ଆଇସୋଟୋପ୍ ୨୨୬ ଓ ୨୨୮ର ସ୍ୱଳ୍ପ ମାତ୍ରା ମଧ୍ୟ ଫୁସଫୁସରେ ଜମା ହୋଇଯାଏ। ଆସ୍ ପଣ୍ଡ୍ରେ ଜମା ହୋଇଥିବା ଆସ୍ ସ୍ଲରି ପରିତ୍ୟକ୍ତ ଖଣିଖାଦାନ, କ୍ୱାରି ଓ ଖାଲିସ୍ଥାନ ପୋତିବା ପାଇଁ ବ୍ୟବହାର କରାଯାଉଥିବା ବେଳେ ଏହା ଆଖପାଖରେ ବାସ କରୁଥିବା ଜନଜୀବନ ପ୍ରତି ବିପଦ ପାଲଟୁଛି। ଦେଶର ୨୭୨ଟି ଜିଲ୍ଲାର ଶିଳ୍ପଜନିତ କାର୍ଯ୍ୟକଳାପରୁ ସୃଷ୍ଟ ତେଜସ୍କ୍ରିୟ ଧାତୁମିଶ୍ରିତ ଶିଳ୍ପ ବର୍ଜ୍ୟର ବିକିରଣକୁ ନେଇ ଏହି ଅଧ୍ୟୟନ କରାଯାଇ ଥିଲା। ଯେଉଁଥିରେ ଦେଶର ୧୦ଟି ସର୍ବାଧିକ ଅସୁରକ୍ଷିତ ଜିଲ୍ଲା ତାଲିକାରେ ଓଡ଼ିଶାର ଅନୁଗୁଳ ପ୍ରତିବର୍ଷ ୯୯୭.୬ ଜିବିକ୍ୟୁ ବିକିରଣ ସହ ତୃତୀୟ ସ୍ଥାନରେ ରହିଛି। ଝାରସୁଗୁଡ଼ା ଜିଲ୍ଲା ପ୍ରତିବର୍ଷ ୫୧୬.୯ ଜିବିକ୍ୟୁ ବିକିରଣ ସହ ନବମ ସ୍ଥାନରେ ରହିଛି। ଏହି ତାଲିକାରେ ଛତିଶଗଡ଼ର କୁର୍ବା, ରାୟଗଡ଼ ଓ ଚମ୍ପା, ଗୁଜରାଟର କଚ୍ଛ, ସୁରତ ଓ ଜାମନଗର, ମଧ୍ୟପ୍ରଦେଶର ସିଦ୍ଧି, ମହାରାଷ୍ଟ୍ରର ନାଗପୁର ମଧ୍ୟ ରହିଛି। ତାଲିକାରେ କୁର୍ବା ପ୍ରତିବର୍ଷ ୧୩୨୬.୪ ଜିବିକ୍ୟୁ ବିକିରଣ ସହ ତାଲିକାର ପ୍ରଥମ ଓ କଚ୍ଛ ପ୍ରତିବର୍ଷ ୧୨୧୨.୭ ଜିବିକ୍ୟୁ ବିକିରଣ ମାତ୍ରା ସହ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍ ନିୟମକୁ ଉଲ୍ଲଂଘନ କରି ଆସ୍ ପଣ୍ଡ୍ଗୁଡ଼ିକରୁ ପାଉଁଶ ପରିବହନ ଏକ ନିତିଦିନିଆ ଘଟଣା ପାଲଟିଛି। ଝାରସୁଗୁଡ଼ା, ଅନୁଗୁଳ ଭଳି ଜିଲ୍ଲାର ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରୁ ନିର୍ଗତ ପାଉଁଶ କେବଳ ଏହି ଦୁଇ ଜିଲ୍ଲା ନୁହେଁ, ବେଧଡ଼କ ଡମ୍ପିଂ ଯୋଗୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ପ୍ରଭାବିତ କରି ସାରିଲାଣି।